ୟୁଏଏସକୁ ମିଳିତ ସମନ୍ଵୟ ଶିକ୍ଷକ ସଂଘର ବିରୋଧ, ଦାବିପତ୍ର ପ୍ରଦାନ
କୃଷ୍ଣପ୍ରସାଦ : କୃଷ୍ଣପ୍ରସାଦ ବ୍ଲକ ପ୍ରାଥମିକ ଓ ମାଧ୍ୟମିକ ମିଳିତ ଶିକ୍ଷକ ସଂଘ ପକ୍ଷରୁ ଅନଲାଇନ ଉପସ୍ଥାନ ବ୍ୟବସ୍ଥାକୁ ଦୃଢ଼ ବିରୋଧ କରାଯାଇଛି । ଏନେଇ ସଂଘର କର୍ମକର୍ତ୍ତାମାନେ ଶନିବାର ଚିଲିକା ନୂଆପଡା ବ୍ଳକ ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି କୃଷ୍ଣପ୍ରସାଦ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସିଧେଶ୍ୱର କରଣଙ୍କୁ ପ୍ରଦାନ କରିଥିବା ଜଣାଯାଇଛି। ଶିକ୍ଷକ ସଂଘ […]

କୃଷ୍ଣପ୍ରସାଦ : କୃଷ୍ଣପ୍ରସାଦ ବ୍ଲକ ପ୍ରାଥମିକ ଓ ମାଧ୍ୟମିକ ମିଳିତ ଶିକ୍ଷକ ସଂଘ ପକ୍ଷରୁ ଅନଲାଇନ ଉପସ୍ଥାନ ବ୍ୟବସ୍ଥାକୁ ଦୃଢ଼ ବିରୋଧ କରାଯାଇଛି । ଏନେଇ ସଂଘର କର୍ମକର୍ତ୍ତାମାନେ ଶନିବାର ଚିଲିକା ନୂଆପଡା ବ୍ଳକ ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି କୃଷ୍ଣପ୍ରସାଦ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସିଧେଶ୍ୱର କରଣଙ୍କୁ ପ୍ରଦାନ କରିଥିବା ଜଣାଯାଇଛି। ଶିକ୍ଷକ ସଂଘ ଦର୍ଶାଇଛି ଯେ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।ଏ ହା ସ୍ଵାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ହେଁ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ସୁଦୃଢ ପ୍ରତି ଦୃଷ୍ଟି ନଦେବା ,ନୂତନ ଶିକ୍ଷକ ନିଯୁକ୍ତି ନକରି ସରକାର ଦୈନନ୍ଦିନ ବିଭିନ୍ନ କାର୍ଯ୍ୟ ଶିକ୍ଷକମାନଙ୍କ ଉପରେ ଲଦି ଦେଉଥିବା ଫଳରେ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଜଣାପଡିଛି।
ଜାତୀୟ ଶିକ୍ଷାନୀତି- ୨୦୨୦ ଅନୁସାରେ ବିଦ୍ୟାଳୟ ମାନଙ୍କରେ ଚଳିତ ଶିକ୍ଷାବର୍ଷରୁ ଶିଶୁ ବାଟିକା ଶ୍ରେଣୀକୁ ନୂତନ ଭାବେ ଯୋଗ କରାଯାଇଛି । ମାତ୍ର ଅଦ୍ୟାବଧି ବିଦ୍ୟାଳୟରେ ଶିକ୍ଷାଦାନ ନିମନ୍ତେ ନୂତନ ଶିକ୍ଷକ ନିଯୁକ୍ତି କରାଯାଇନାହିଁ । ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଶିକ୍ଷକ,ଶିକ୍ଷୟତ୍ରୀ ନାହାଁନ୍ତି । ଏତଦ ବ୍ୟତିତ ବିଦ୍ୟାଳୟରେ ୟୁନିଫାଏଡ ଅଟୋମେସନ ସିଷ୍ଟମ (ୟୁଏଏସ) ବ୍ୟବସ୍ଥା ପ୍ରଚଳନ କରିବା ପାଇଁ ରାଜ୍ଯ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟରେ ୟୁଏଏସ ବ୍ୟବସ୍ଥା ଲାଗୁ କରାଗଲେ ଶିକ୍ଷକମାନେ ଅଧିକାଂଶ ସମୟ ବ୍ୟସ୍ତ ରହିବା ସହ ଶିକ୍ଷାଦାନ କାର୍ଯ୍ୟ ବ୍ୟାହତ ହେବ ବୋଲି ଶିକ୍ଷକ ସଂଘର ବରିଷ୍ଠ ସଦସ୍ଯ ମାନେ ମତ ଦେଇଛନ୍ତି।
ଏହି ଅବସରରେ ନାରାୟଣ ବିଦ୍ୟାପୀଠ ଚିଲିକା ନୂଆପଡା ପରିସରରେ ବ୍ଳକ ଓଷ୍ଟା ସଂଘ ସଭାପତି ଶିକ୍ଷାବିତ କାଶୀନାଥ ଜେନାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସର୍ବ ଭାରତୀୟ ଶିକ୍ଷକ ସଂଘ କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ମହାନ୍ତି, ପୁରୀ ଜିଲ୍ଲା ଓଷ୍ଟା ସମ୍ପାଦକ ବିଭୁଦତ୍ତ ନାୟକ, ଜିଲ୍ଲା ଓଷ୍ଟା ଉପସଭାପତି ଲକ୍ଷ୍ମୀଧର ଉପାଧ୍ୟାୟ, ଜିଲ୍ଲା କାଉନସିଲ ସଭ୍ୟ ଯାମିନୀ ପ୍ରସାଦ ନାୟକ, ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ସଭାପତି ପବିତ୍ର ମୋହନ ପ୍ରଧାନ, ବ୍ଳକ ଓଷ୍ଟା ସମ୍ପାଦକ ସନାତନ ତରେଇ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ବିଭୂ ନାରାୟଣ ଜେନା, କୃଷ୍ଣପ୍ରସାଦ ଜୋନ ୨ ସମ୍ପାଦକ ନବ କିଶୋର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଶଙ୍କର୍ଷଣ ଦାଶ ଧନ୍ୟବାଦ ଅର୍ପଣ କରିଥିବା ବେଳେ ନବ କିଶୋର ପ୍ରଧାନ ପରିଚୟ ପ୍ରଦାନ କରିଥିଲେ । ଅନ୍ୟାନ୍ୟ କର୍ମକର୍ତ୍ତା ,ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ଯକ୍ରମରେ ସାମିଲ ହୋଇଥିଲେ।