ୟେମେନ୍ରେ ଆମେରିକା-ବ୍ରିଟେନ୍ର ଏୟାର ଷ୍ଟ୍ରାଇକ୍, ହୁତି ବିଦ୍ରୋହୀଙ୍କ ୧୬ ଠିକଣା ଧ୍ବସ୍ତ
ୱାଶିଂଟନ: ରୁଷ୍-ୟୁକ୍ରେନ, ଇସ୍ରାଏଲ- ହମାସ ଯୁଦ୍ଧ ପରେ ଏବେ ପୁଣି ବିଶ୍ବରେ ଯୁଦ୍ଧ ଭୟ ସୃଷ୍ଟି ହୋଇଛି। ଲୋହିତ ସାଗରରେ ବାରମ୍ବାର ଆକ୍ରମଣ ପରେ ଆମେରିକା ଏବଂ ବ୍ରିଟେନ ବଡ଼ ପଦକ୍ଷେପ ଗ୍ରହଣ କରି ମିଳିତ ଭାବେ ୟେମେନରେ ଏୟାର ଷ୍ଟ୍ରାଇକ କରିଛନ୍ତି। ଗୁରୁବାର ହୁତି ବିଦ୍ରୋହୀଙ୍କ ନିୟନ୍ତ୍ରଣାଧୀନ ଅଞ୍ଚଳରେ ଏୟାରଷ୍ଟ୍ରାଇକ କରି ୧୬ଟି ସ୍ଥାନରେ ଥିବା ୬୦ ଲକ୍ଷ୍ୟକୁ ଧ୍ବଂସ କରିଦେଇଛନ୍ତି। ଏହି ଆକ୍ରମଣରେ ୟେମେନର ରାଜଧାନୀ ସନା ସହିତ ଧମାର ସଦା ସହର ଏବଂ […]

ୱାଶିଂଟନ: ରୁଷ୍-ୟୁକ୍ରେନ, ଇସ୍ରାଏଲ- ହମାସ ଯୁଦ୍ଧ ପରେ ଏବେ ପୁଣି ବିଶ୍ବରେ ଯୁଦ୍ଧ ଭୟ ସୃଷ୍ଟି ହୋଇଛି। ଲୋହିତ ସାଗରରେ ବାରମ୍ବାର ଆକ୍ରମଣ ପରେ ଆମେରିକା ଏବଂ ବ୍ରିଟେନ ବଡ଼ ପଦକ୍ଷେପ ଗ୍ରହଣ କରି ମିଳିତ ଭାବେ ୟେମେନରେ ଏୟାର ଷ୍ଟ୍ରାଇକ କରିଛନ୍ତି। ଗୁରୁବାର ହୁତି ବିଦ୍ରୋହୀଙ୍କ ନିୟନ୍ତ୍ରଣାଧୀନ ଅଞ୍ଚଳରେ ଏୟାରଷ୍ଟ୍ରାଇକ କରି ୧୬ଟି ସ୍ଥାନରେ ଥିବା ୬୦ ଲକ୍ଷ୍ୟକୁ ଧ୍ବଂସ କରିଦେଇଛନ୍ତି। ଏହି ଆକ୍ରମଣରେ ୟେମେନର ରାଜଧାନୀ ସନା ସହିତ ଧମାର ସଦା ସହର ଏବଂ ହୋଦେଇଦାହ ପ୍ରଦେଶରେ ଥିବା ବିଦ୍ରୋହୀଙ୍କ ଲଜିଷ୍ଟିକ୍ ହବ୍, ଏୟାର ଡିଫେନ୍ସ ସିଷ୍ଟମ ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାର ଆଦିକୁ ନିଶାଣ କରାଯାଇଥିଲା। ଏହି ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ବିଦ୍ରୋହୀଙ୍କ ଅସ୍ତ୍ରଶସ୍ତ୍ର, ବିମାନ ଆଦି ମଧ୍ୟ ଧ୍ବଂସ ହୋଇଯାଇଛି। ଏହି ଆକ୍ରମଣରେ ଯୁଦ୍ଧ ଜାହାଜ, ବୁଡ଼ାଜାହାଜ, ଲଢୁଆ ବିମାନ ଏବଂ ଟୋମହକ୍ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା ।
ଏହାର ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଆକ୍ରମଣ ଦ୍ବାରା ୨୦୧୪ରୁ ଗୃହଯୁଦ୍ଧର ସାମ୍ନା କରୁଥିବା ୟେମେନ ପୁଣିଥରେ ଯୁଦ୍ଧ ମଧ୍ୟକୁ ଠେଲି ହୋଇଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ ଲୋହିତ ସାଗର ଆକ୍ରମଣର ପ୍ରତିଶୋଧ ନିଆଯାଇଛି ବୋଲି କହିଛନ୍ତି। ଜାହାଜ ଉପରେ ଆକ୍ରମଣକୁ ଆଦୌ ଗ୍ରହଣ କରାଯିବ ନାହିଁ। ହୁତି ବିଦ୍ରୋହୀଙ୍କ ଆକ୍ରମଣ ଯୋଗୁଁ ଲୋହିତ ସାଗର ଦେଇ ଯାଉଥିବା ଜାହାଜର ଗତି ପଥ ବଦଳାଇବାକୁ ପଡୁଥିଲା। ନିଜ ଲୋକ ଏବଂ ବ୍ୟବସାୟୀକ ମାର୍ଗର ସୁରକ୍ଷା ପାଇଁ କଡ଼ା ନିର୍ଦ୍ଦେଶ ଦେବାକୁ ପଛଘୁଞ୍ଚା ଦେବୁ ନାହିଁ। ସେହିପରି ଆତ୍ମରକ୍ଷା ପାଇଁ ଏହି ଆକ୍ରମଣ କରାଯାଇଛି ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କହିଛନ୍ତି। ଜଳପଥର ସୁରକ୍ଷା ପାଇଁ ବ୍ରିଟେନ ସବୁବେଳେ ଆଗଭର ହୋଇ ରହିଛି। ଜାହାଜ ଏବଂ କର୍ମଚାରୀଙ୍କ ଉପରେ ଆକ୍ରମଣକୁ କେବେ ବି ବରଦାସ୍ତ କରାଯିବ ନାହିଁ। ସାମୁଦ୍ରିକ ମାର୍ଗକୁ ବିପଦରେ ପକାଇବାର ଅନୁମତି କାହାକୁ ଦିଆଯିବ ନାହିଁ। ଅନ୍ୟପଟେ ସାଉଦି ଆରବ ଏହି ଆକ୍ରମଣ ଉପରେ ଚିନ୍ତା ପ୍ରକଟ କରିଛି। ଏହି ପ୍ରସଙ୍ଗରେ ଉପସାଗରୀୟ ରାଷ୍ଟ୍ର ସହ ଆମେରିକା ଏବଂ ବ୍ରିଟେନର ସମ୍ପର୍କ ଖରାପ ହୋଇପାରେ ବୋଲି କୁହାଯାଉଛି। ହୁତି ଉପ-ବିଦେଶ ମନ୍ତ୍ରୀ ହୁସେନ ଅଲ-ଏଜିଜ ଦେଶରେ ବଡ଼ ଆକ୍ରମଣ ହୋଇଥିବା କହିଛନ୍ତି। ଏହି ଆକ୍ରମଣକୁ ନେଇ ବ୍ରିଟେନ-ଆମେରିକାକୁ ଚେତାବନୀ ଦେଇଛନ୍ତି। ଏହାର ବହୁମୂଲ୍ୟ ଦେବାକୁ ପଡ଼ିବ। ଏୟାର ଷ୍ଟ୍ରାଇକ ସତ୍ତ୍ବେ ଲୋହିତ ସାଗରରେ ଆକ୍ରମଣ ଜାରି ରହିବ।
ସୂଚନା ଅନୁଯାୟୀ ୨୦୧୬ ପରେ ଆମେରିକା ପ୍ରଥମ ଥର ପାଇଁ ହୁତି ବିଦ୍ରୋହୀଙ୍କ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣ ପଛରେ ଅଷ୍ଟ୍ରେଲିଆ, ବାହାରିନ, କାନାଡ଼ା ଏବଂ ନେଦରଲାଣ୍ଡ ରହିଛି। ଅପରପକ୍ଷେ ଆମେରିକା-ବ୍ରିଟେନ ଆକ୍ରମଣ ଦ୍ବାରା ଇସ୍ରାଏଲ- ହମାସ ଯୁଦ୍ଧ ମଧ୍ୟ ପ୍ରାଚ୍ୟ ପର୍ଯ୍ୟନ୍ତ ବ୍ୟାପିବ ବୋଲି ସାଉଦି ଆରବ ଆଶଙ୍କା କରିଛି। ଏଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାମଲାକୁ ଆଗକୁ ନ ବଢ଼ାଇବା ପାଇଁ ସାଉଦି ବିଦେଶ ମନ୍ତ୍ରାଳୟ ଅନୁରୋଧ କରିଛି। ସେହିପରି ଆମେରିକା-ବ୍ରିଟେନ କାର୍ଯ୍ୟାନୁଷ୍ଠାନକୁ ରୁଷ୍ ବେଆଇନ କହିଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ର ଜରୁରୀକାଳୀନ ବୈଠକ ଡାକିବାକୁ ଦାବି କରିଛି।
ଆରବ ସାଗରରେ ଭାରତର ୧୦ ଯୁଦ୍ଧ ଜାହାଜ
ସମୁଦ୍ର ଲୁଟେରାଙ୍କଠାରୁ ଜାହାଜକୁ ସୁରକ୍ଷା ଦେବା ପାଇଁ ଭାରତ ଆରବ ସାଗରରେ ୧୦ଟି ଯୁଦ୍ଧ ଜାହାଜ ମୁତୟନ କରିଛି। ପୂର୍ବରୁ ତିନୋଟି ଯୁଦ୍ଧ ଜାହାଜ ଥିବାବେଳେ ଆଦେନ ଉପସାଗରୀୟ କ୍ଷେତ୍ର ପର୍ଯ୍ୟନ୍ତ ଆଉ ୭ଟି ଯୁଦ୍ଧ ଜାହାଜକୁ ମୁତୟନ କରାଯାଇଛି। ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି ଯେ ଆରବ ସାଗରରେ କାର୍ଗୋ ଜାହାଜ ଉପରେ ଆକ୍ରମଣ କ୍ରମାଗତ ଭାବେ ବଢ଼ି ଚାଲିଛି। ଏହି ସବୁ ଜାହାଜକୁ ସୁରକ୍ଷା ଦେବା ପାଇଁ ଏବଂ ଡ୍ରୋନ ଆକ୍ରମଣକୁ ବିଫଳ କରିବାକୁ ସୋମାଲିଆ ଉପକୂଳ ନିକଟରେ, ଆରବ ସଗାରରେ ଏବଂ ଆଦେନ ଉପସାଗରୀୟ କ୍ଷେତ୍ରରେ ଡେଷ୍ଟ୍ରୟର୍ସ, ଫ୍ରିଗେଟ୍ସ ଏବଂ ପାଟ୍ରୋଲିଂ ବୋଟ୍ ସମେତ ୧୦ ଯୁଦ୍ଧ ଜାହାଜ ମୁତୟନ କରାଯାଇଛି। ଏହା ମଧ୍ୟରେ ଆଇଏନ୍ଏସ୍, ମୋରମୁଗାଓ, ଆଇଏନ୍ଏସ୍ କୋଲକାତା, ଆଇଏନ୍ଏସ୍ କୋଚି, ଆଇଏନ୍ଏସ୍ ଚେନ୍ନଇ, ଆଇଏନ୍ଏସ୍ ତରକସ ଏବଂ ଆଇଏନ୍ଏସ୍ ତଲୱାର ସାମିଲ ରହିଛି। ଏବେ ସମୁଦ୍ରରେ ଘଟୁଥିବା ପ୍ରତ୍ୟେକ ଘଟଣା ଉପରେ ନୌସେନାର ନଜର ରହିବ। ଏହି ଜାହାଜରେ ଥିବା ମରିନ କମାଣ୍ଡୋ ଲୁଟେରାଙ୍କ ସମସ୍ତ କାର୍ଯ୍ୟକଳାପକୁ ବିଫଳ କରିଦେବେ। ସୂଚନାଯୋଗ୍ୟ ଯେ ଗତ ୪୨ ଦିନରେ ବିଭିନ୍ନ ଜାହାଜ ଉପରେ ୩୫ ଥର ଆକ୍ରମଣ ହୋଇଥିଲା। ଏହି ଜାହାଜରେ ଭାରତୀୟ କ୍ର୍ୟୁ ସଦସ୍ୟ ମଧ୍ୟ ସାମିଲ ଥିଲେ।