୧୦ ପଦବୀକୁ ୧୮୦୦ ଆଶାୟୀ, ଭାଙ୍ଗିଗଲା ଲୁହା ରେଲିଂ, ଭିଡିଓ ଭାଇରାଲ

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ।

୧୦ ପଦବୀକୁ ୧୮୦୦ ଆଶାୟୀ, ଭାଙ୍ଗିଗଲା ଲୁହା ରେଲିଂ, ଭିଡିଓ ଭାଇରାଲ

ଗୁଜରାଟର ଭରୁଚ ଜିଲ୍ଲାର ଝଗଡ଼ିୟା ସ୍ଥିତ ଗୁଜରାଟ ଇଣ୍ଡଷ୍ଟ୍ରୀଆଲ ଡେଭଲପମେଣ୍ଟ କର୍ପୋରେସନ କଂପ୍ଲେକ୍ସରେ ଥିବା ଏକ ଇଞ୍ଜିନିୟରିଂ କଂପାନୀ ୧୦ଟି ପଦବୀରେ ନିଯୁକ୍ତି ଦେବାକୁ ବିଜ୍ଞାପନ ଦେଇଥିଲା। ଏଥିପାଇଁ ସୋମବାର ଅଙ୍କଲେଶ୍ୱରରେ ଏକ ହୋଟେଲରେ ଆଶାୟୀଙ୍କ ପାଇଁ ସାକ୍ଷାତକାରର ବ୍ୟବସ୍ଥା କରିଥିଲା। ହେଲେ କଂପାନୀ ଜାଣି ନଥିଲା ଯେ ୧୦ଟି ପଦବୀ ପାଇଁ ୧୮୦୦ ଆଶାୟୀ ଆସିବେ ଓ ସେମାନଙ୍କୁ ଅକଳ ସ୍ଥିତିରେ ପକାଇବେ। 

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ହୋଟେଲର ପ୍ରବେଶ ଦ୍ୱାରରେ ଆଶୟୀଙ୍କ ଜବରଦସ୍ତ ଭିଡ ଲାଗିଛି। ଭିଡ଼ ବଢ଼ିବା ଯୋଗୁ ପ୍ରବେଶ ଦ୍ୱାର ନିକଟରେ ଲାଗିଥିବା ଏକ ଲୁହା ରେଲିଂ ଉପରେ ଧୀରେ ଧୀରେ ଚାପ ବଢ଼ିଥିଲା ଓ ତାହା ଧୀରେ ଧୀରେ ତଳକୁ ନଇଁବା ଆରମ୍ଭ କରିଥିଲା। ଭିଡ଼ ଯୋଗୁ କିଛି ଆଶାୟୀ ଏହି ନଇଁ ପଡ଼ିଥିବା ରେଲିଂ ଉପରେ ଚଢ଼ି ଯାଇଥିଲେ। ଆଉ ଦେଖୁ ଦେଖୁ ତାହା ଆହୁରି ନଇଁ ଶେଷରେ ଭାଙ୍ଗି ଯାଇଥିଲା।

ଲୁହା ରେଲିଂଟି ଭାଙ୍ଗବା ସମୟରେ ଦୁଇ ଜଣ ଆଶାୟୀ ସେଥିରୁ ଡେଇଁ ପଡ଼ିଥିଲା। ଆଉ ପ୍ରାୟ ୬ ଜଣ ରେଲିଂ ସହିତ ତଳେ ପଡ଼ି ଯାଇଥିଲେ। ଅବଶ୍ୟ କେହି ଗୁରୁତର ଆହତ ହୋଇନାହାନ୍ତି। କିନ୍ତୁ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ଦଳ କହିଛି, ଏହା କ’ଣ ଗୁଜରାଟ ମଡେଲ? ଦେଶରେ ବଢୁଥିବା ବେକାରୀ ସଂଖ୍ୟା ଏଥିରୁ ପ୍ରମାଣିତ ହୋଇଛି। 

ଅନ୍ୟପକ୍ଷରେ ଏହି ଘଟଣା ପାଇଁ ଭରୁଚ ବିଜେପି ସାଂସଦ ଉକ୍ତ କଂପାନୀକୁ ଦାୟୀ କରିଛନ୍ତି। ଏମିତି ଖୋଲା ସାକ୍ଷାତକାର ନେବା ଅପେକ୍ଷା ଆଶାୟୀମାନଙ୍କ ଯୋଗ୍ୟତା ଓ ଅନ୍ୟାନ୍ୟ ଦିଗକୁ ନେଇ ସେମାନ ନିର୍ଦ୍ଦିଷ୍ଟ ଭାବେ ସୂଚନା ଦେଇଥିଲେ, ଏତେ ଭିଡ଼ ହୋଇନଥାନ୍ତେ ବୋଲି ସେ କହିଛନ୍ତି। ଭବିଷ୍ୟତରେ ଯେଭଳି ଏଭଳି ଘଟଣାର ପୁନରାବୃତ୍ତି ନଘଟେ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।