୧୨୦୬ ଥିଲା ରୂପାନୀଙ୍କ ଲକି ନମ୍ବର, କିନ୍ତୁ ୧୨-୦୬ରେ ଗଲା ଜୀବନ

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ପାଇଁ ୧୨୦୬ ଗୋଟିଏ ସାଧାରଣ ନମ୍ବର ନଥିଲା।

୧୨୦୬ ଥିଲା ରୂପାନୀଙ୍କ ଲକି ନମ୍ବର, କିନ୍ତୁ ୧୨-୦୬ରେ ଗଲା ଜୀବନ

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ପାଇଁ ୧୨୦୬ ଗୋଟିଏ ସାଧାରଣ ନମ୍ବର ନଥିଲା। ଏହା ଦୀର୍ଘ ଦଶନ୍ଧି ଧରି ରୂପାନୀଙ୍କ ଉଭୟ ସର୍ବସାଧାରଣ ଓ ବ୍ୟକ୍ତିଗତ ଜୀବନ ସହ ଯୋଡ଼ି ହୋଇ ରହିଥିଲା। ତାଙ୍କର ସବୁ ଗାଡ଼ିର ନମ୍ବର ପ୍ଲେଟରେ ଏହି ନମ୍ବର ରହୁଥିଲା। ରାଜନୀତିକ ଜୀବନ ଆରମ୍ଭ କରିବା ପୂର୍ବରୁ ସେ ଚଳାଉଥିବା ସ୍କୁଟି ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ହେବା ପରେ ମିଳିଥିବା ଗାଡ଼ିର ନମ୍ବର ପ୍ଲେଟରେ ୧୨୦୬ ଲେଖା ଯାଉଥିଲା। ବିଜେପି ଦୀର୍ଘ ବର୍ଷ ଧରି କାମ କରିଥିବା ରୂପାନୀଙ୍କ ପାଇଁ ୧୨୦୬ ସବୁବେଳେ ଭଲ ଖବର ଆଣି ଦେଉଥିଲା। ୧୨୦୬ ତାଙ୍କର ଲକି ନମ୍ବର ଥିଲା।

ହେଲେ ଏହି ଲକି ନମ୍ବର ତାଙ୍କ ଜୀବନର ଦୀପ ଦିନେ ଲିଭାଇ ଦେବ ସେ ସମ୍ଭବତଃ ଜାଣି ନଥିଲେ। ଯେଉଁ ୧୨୦୬କୁ ସେ ସବୁବେଳେ ନିଜ ପାଇଁ ଆଶୀର୍ବାଦ ଓ ଲକି ବୋଲି ଭାବୁଥିଲେ ଏବେ ଏହା ଘାତକ ସାବ୍ୟସ୍ତ ହୋଇଛି। ୨୦୨୫ ମସିହାର ଜୁନ ୧୨ ତାରିଖ ଅର୍ଥାତ ୧୨-୦୬ ତାଙ୍କ ଜୀବନର ଶେଷ ଦିନ ପାଲଟିଛି। ଗୁରୁବାର ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୪୧ ଜଣଙ୍କ ମଧ୍ୟରେ ବିଜୟ ରୂପାନୀ ବି ରହିଛନ୍ତି।

୬୮ ବର୍ଷୀୟ ବିଜୟ ରୂପାନୀ ଏୟାର ଇଣ୍ଡିଆର ଏଆଇ ୧୭୧ ବିମାନରେ ଅହମଦାବାଦରୁ ଲଣ୍ଡନର ଗାଟୱିକ ଯାଉଥିଲେ। ଲକି ନମ୍ବର ୧୨୦୬ ହୋଇଥିବାରୁ ସେ ୧୨-୦୬-୨୦୨୫ରେ ଲଣ୍ଡନ ଯାତ୍ରା କରୁଥିଲେ। ହେଲେ ସେ ବସିଥିବା ବିମାନ ଉଡ଼ାଣ ଆରମ୍ଭ କରିବାର ୫ ମିନିଟ ମଧ୍ୟରେ ସ୍ଥାନୀୟ ଜନବସତିରେ କ୍ରାଶ କରି ଯାଇଥିଲା। କ୍ରାଶ ପରେ ବିମାନ ନିଆଁ ପିଣ୍ଡୁଳାରେ ପରିଣତ ହୋଇ ଯିବାରୁ ଜଣଙ୍କୁ ଛାଡ଼ି ବିମାନରେ ଥିବା ୨୪୧ ଜଣ ପୋଡ଼ି ହୋଇ ଜୀବନ ହରାଇଛନ୍ତି।

ବିଜୟ ରୂପାନୀ ଲଣ୍ଡନରେ ଥିବା ତାଙ୍କ ପତ୍ନୀ ଓ ଝିଅଙ୍କୁ ଦେଖା କରିବାକୁ ଯାଉଥିଲେ। ହେଲେ ସେ ପତ୍ନୀ ଓ ଝିଅଙ୍କୁ ଆଉ କେବେ ବି ଦେଖି ପାରିବେ ନାହିଁ। ବିଜୟ ରୂପାନୀ ବିମାନର ୨ଡି ସିଟରେ ବସିଥିଲେ। ବିଜୟ ରୂପାନୀ ଆଉ ନାହାନ୍ତି। କିନ୍ତୁ ଏବେ ବି ତାଙ୍କ ଗାଡ଼ିର ନମ୍ବର ପ୍ଲେଟରେ ୧୨୦୬ ରହିଛି। ଯେଉଁ ୧୨୦୬କୁ ସେ ସବୁବେଳେ ନିଜ ସହ ରଖୁଥିଲେ ଏବେ ସେହି ୧୨-୦୬ରେ ତାଙ୍କ ଜୀବନ ଯାଇଛି।