୧୫ ହଜାର ମାଗିଥିଲେ; ୫ ହଜାର ନେଇଥିଲେ, ୮ ହଜାର ନେବା ବେଳେ ଧରାପଡ଼ିଲେ ମହିଳା ସହକାରୀ ଯନ୍ତ୍ରୀ

ଲାଞ୍ଚ ନ ମିଳିଲେ ବିଲ୍ ପାସ୍ କରିବେ ନାହିଁ ବୋଲି ସହକାରୀ ଯନ୍ତ୍ରୀ କହିବା ପରେ ଠିକାଦାର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

୧୫ ହଜାର ମାଗିଥିଲେ; ୫ ହଜାର ନେଇଥିଲେ, ୮ ହଜାର ନେବା ବେଳେ ଧରାପଡ଼ିଲେ ମହିଳା ସହକାରୀ ଯନ୍ତ୍ରୀ

ବିଲ୍‌ ପାସ୍ କରାଇ ଦେବା ପାଇଁ ଠିକାଦାରଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ମହିଳା ସହକାରୀ ଯନ୍ତ୍ରୀ (ଏଇ)। ତାଙ୍କ ନାଁ ସୁଚିସ୍ମିତା ପରିଜା। ସେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ନିୟୋଜିତ ହୋଇଛନ୍ତି।

ଏମ୍‌ଜିଏନ୍‌ଆରଇଜିରେ ହୋଇଥିବା ଏକ କାର୍ଯ୍ୟର ବିଲ୍ ପାସ୍ କରିବାକୁ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ସଂପୃକ୍ତ ଠିକାଦାରଙ୍କୁ ୧୫ ହଜାର ଟଙ୍କା ଲାଞ୍ଜ ମାଗିଥିଲେ। ଠିକାଦାର ତାଙ୍କୁ କିଛି ଦିନ ତଳେ ୫ ହଜାର ଟଙ୍କା ଦେଇଥିଲେ। କିନ୍ତୁ ବିଲ୍ ପାସ୍ କରିବାକୁ ସହକାରୀ ଯନ୍ତ୍ରୀ ଶ୍ରୀମତି ପରିଜା ତାଙ୍କୁ ବାକି ୧୦ ହଜାର ଟଙ୍କା ଦେବାକୁ କହିଥିଲେ।

ଲାଞ୍ଚ ନ ମିଳିଲେ ବିଲ୍ ପାସ୍ କରିବେ ନାହିଁ ବୋଲି ସହକାରୀ ଯନ୍ତ୍ରୀ କହିବା ପରେ ଠିକାଦାର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ପ୍ରକାରେ ଠିକାଦାର ଆଜି ସହକାରୀ ଯନ୍ତ୍ରୀ ଶ୍ରୀମତି ପରିଜାଙ୍କୁ ତାଙ୍କ ସରକାରୀ ବାସଭବନରେ ୮ ହଜାର ଟଙ୍କା ଦେଇଥିଲେ। ସେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜାଙ୍କର ତିନିଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଏହି ଘଟଣାରେ କୋରାପୁଟ ପୁଲିସରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।

ସେହିପରି ଆଜି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଆଉ ଜଣେ ମହିଳା ସରକାରୀ ଯନ୍ତ୍ରୀ। ତାଙ୍କ ନାଁ ସୁସ୍ମିତା ଓରାମ। ସେ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଜଣେ ଠିକାଦାରଙ୍କୁ ୩୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶେଷ କିସ୍ତିରେ ୮ ହଜାର ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।