୧୭ରେ ଶପଥ ନେବେ ସୈନି

ଲଗାତର ଦ୍ୱିତୀୟ ଥର ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାୟବ ସିଂହ ସୈନି।

୧୭ରେ ଶପଥ ନେବେ ସୈନି

ହରିୟାଣାରେ ବିଜେପିର ଦମଦାର ବିଜୟ ପରେ ସରକାର ଗଠନ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୧୭ରେ ତାରଖିରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାୟବ ସିଂହ ସୈନି। ସକାଳ ୧୦ଟାରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ନାୟବ ଶପଥ ଗ୍ରହଣ କରିବେ।

ସୂତ୍ର ଅନୁସାରେ ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ଏଥିସହ ବହୁ ବରିଷ୍ଠ ନେତାମାନେ ମଧ୍ୟ ଯୋଗ ଦେବେ। ପଞ୍ଚକୁଲାର ଗ୍ରାଉଣ୍ଡ ସେକ୍ଟର ୫ରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ।

ଶପଥ ଗ୍ରହଣ ସମାରୋହ ସମ୍ପର୍କରେ ସୂଚନା ଦେଇ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ ଅକ୍ଟୋବର ୧୭ ରେ ପଞ୍ଚକୁଲାରେ ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ମଞ୍ଜୁରୀ ମିଳିସାରିଛି।

ଶପଥ ଗ୍ରହଣ ସମାରୋହରେ ପ୍ରାୟ ୫୦ ହଜାର ଲୋକ ଉପସ୍ଥିତ ରହିବାର ସମ୍ଭାବନା ରହିଛି। ଏହି ସମାରୋହରେ ବିଜେପି ଶାସିତ ରାଜ୍ୟଗୁଡ଼ିକର ଅନେକ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବେ। ଏହା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତୃତ୍ୱଙ୍କ ସହ ଦଳର ବରିଷ୍ଠ ନେତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ସୂଚନାନୁସାରେ ହରିୟାଣା ସରକାରଙ୍କ ନୂତନ କ୍ୟାବିନେଟରେ ଅନିଲ ବିଜ, କୃଷ୍ଣ ଲାଲ ମିଣ୍ଢା, ଶ୍ରୁତି ଚୌଧୁରୀ, ଅରବିନ୍ଦ କୁମାର ଶର୍ମା, ବିପୁଲ ଗୋୟଲ, ନିଖିଲ ମଦନ ସ୍ଥାନ ପାଇପାରନ୍ତି।