୧୭୧କୁ କେମିତି ଡିଫେଣ୍ଡ କଲା ଇଂଲଣ୍ଡ? କାହିଁକି ହାରିଲା ଭାରତୀୟ ଟିମ?

ଇଂଲଣ୍ଡ ମଧ୍ୟକ୍ରମରେ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲେ ହେଁ ୯ ୱିକେଟ ହରାଇ ଚ୍ୟାଲେଞ୍ଜିଂ ୧୭୧ କରି ନେଇଥିଲା।

୧୭୧କୁ କେମିତି ଡିଫେଣ୍ଡ କଲା ଇଂଲଣ୍ଡ? କାହିଁକି ହାରିଲା ଭାରତୀୟ ଟିମ?

ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦କୁ ହାରି ଯାଇଛି ଭାରତୀୟ ଟିମ। କୋଲକାତା ଓ ଚେନ୍ନାଇରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ଟିମ ରାଜକୋଟରେ ମଧ୍ୟ ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲା। ଇଂଲଣ୍ଡ ମଧ୍ୟକ୍ରମରେ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲେ ହେଁ ୯ ୱିକେଟ ହରାଇ ଚ୍ୟାଲେଞ୍ଜିଂ ୧୭୧ କରି ନେଇଥିଲା। ରାଜକୋଟ ଭଳି ବ୍ୟାଟିଂ ପିଚ୍‌ରେ ଇନଫର୍ମ ଭାରତୀୟ ବ୍ୟାଟର ଏହାକୁ ବେଶ ସହଜରେ ହାସଲ କରି ନେବେ ବୋଲି ସମସ୍ତେ ଆଶା ରଖିଥିଲେ।

ଏପରି କି ଚେଜ ବେଳେ କାକର ପଡ଼ିବାର ଆଶା ଥିବାରୁ ଏହା ଘରୋଇ ଟିମକୁ ସୁହାଇବ ବୋଲି କ୍ରିକେଟ ପଣ୍ଡିତମାନେ ମତ ରଖିଥିଲେ। ହେଲେ ଭାରତୀୟ ଟିମ ଅପ୍ରତ୍ୟାଶିତ ଭାବେ ପରାସ୍ତ ହୋଇଛି। ଦଳ ୨୦ ଓଭରରେ ୯ ୱିକେଟ ହରାଇ କେବଳ ୧୪୫ ରନ କରିପାରିଛି। ଇଂଲଣ୍ଡ ୨୬ ରନରେ ମ୍ୟାଚ୍‌କୁ ଜିତି ୫ ଟିକିଆ ସିରିଜକୁ ୨-୧ ସ୍ଥିତିକୁ ନେଇ ଆସିଛି। ଏବେ ଶୁକ୍ରବାର ୪ର୍ଥ ଟି-୨୦ ଖେଳାଯିବ।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କ’ଣ ପାଇଁ ମ୍ୟାଚ୍‌ ହାରିଲା ଭାରତୀୟ ଟିମ। ସବୁ କିଛି ଠିକ ଠାକ ଥିବା ବେଳେ କେମିତି ଇଂଲଣ୍ଡ ୧୭୧ ରନକୁ ଡିଫେଣ୍ଡ କରିପାରିଲା? ଏହାର କାରଣ ହେଉଛି ଦ୍ୱିତୀୟ ଇନିଂସରେ ଆଶା ଅନୁସାରେ କାକର ନ ପଡ଼ିବା। କାକରର ଅଭାବ ଯୋଗୁ ଇଂଲଣ୍ଡ ବୋଲରମାନେ ଭାରତୀୟ ବ୍ୟାଟରଙ୍କ ଉପରେ ନିଜର ଦବଦବା ଦେଖାଇବାକୁ ସକ୍ଷମ ହୋଇଛନ୍ତି। ଇଂଲଣ୍ଡ ପାଇଁ ଜାମି ଓଭର୍ଟନ, ଜୋଫ୍ରା ଆର୍ଚର, ମାର୍କ ଉଡ, ବ୍ରାୟଡନ କାର୍ସେ ଓ ଆଦିଲ ରଶିଦ ଭାରତୀୟ ବ୍ୟାଟରଙ୍କୁ ମ୍ୟାଚର ମୋଡ ବଦଳାଇବାକୁ ଆଦୌ ସୁଯୋଗ ଦେଇ ନଥିଲେ।

କାକର ନ ପଡ଼ିବା ଓ ପିଚ୍‌ ଧିମା ହେବା

ରାଜକୋଟ ଏମିତି ଏକ ପିଚ୍‌ ଯେଉଁଠାରେ ସାଧାରଣତଃ ରନର ବର୍ଷା ହୋଇଥାଏ। ଭାରତୀୟର ଟିମର ଟି-୨୦ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଏଠାରେ ଶ୍ରୀଲଙ୍କା ବିପକ୍ଷରେ ବିସ୍ଫୋରକ ଶତକ ମଧ୍ୟ ହାସଲ କରିଥିଲେ। କିନ୍ତୁ ମଙ୍ଗଳବାର ଖେଳ ଆଗକୁ ବଢ଼ିବା ସହ ରନ ଚେଜ ବେଳେ ପିଚ୍‌ ଧିମା ହେବାରେ ଲାଗିଥିଲା। ଦ୍ୱିତୀୟ ଇନିଂସରେ ପିଚ୍‌ ଧିମା ହୋଇଯାଇଥିଲା।

ସମସ୍ତେ ଭାବିଥିଲେ କାକର ପଡ଼ିବ। କିନ୍ତୁ କାକର ଠିକଣା ସମୟରେ ପଡ଼ି ନଥିଲା। ଏହି ସବୁ କାରଣ ଇଂଲଣ୍ତ ବୋଲରଙ୍କୁ ସହାୟତା କରିଥିଲା। କାକର ଅଭାବ ଯୋଗୁ ଆଦିଲ ରଶିଦ କମାଲ କରିଥିଲେ। ସେ ବଲକୁ ଭଲ ଭାବେ ଗ୍ରିପ କରିବା ସହ ୪ ଓଭରରେ ମାତ୍ର ୧୫ ରନ ଦେଇ ଇନଫର୍ମ ତିଲକ ବର୍ମାଙ୍କ ୱିକେଟ ନେଇଥିଲେ। ସେ ନିଜ ସ୍ପିଡକୁ ଭଲ ଭାବେ ନିୟନ୍ତ୍ରଣ କରିବାକୁ ସକ୍ଷମ ହେବାରୁ ଭାରତ ଘାଇଲା ହୋଇଥିଲା।

କମାଲ କରିଥିଲେ ବରୁଣ ଚକ୍ରବର୍ତ୍ତୀ

ଭାରତର ବୋଲିଂ ବେଳେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ପୁଣି କମାଲ କରିଥିଲେ। ସେ ତୃତୀୟ ଟି-୨୦ ୪ ଓଭରରେ ୨୪ ରନ ଦେଇ ୫ ୱିକେଟ ନେଇଛନ୍ତି। ପୁରୁଷ ଟି-୨୦ରେ ବରୁଣ ତୃତୀୟ ଭାରତୀୟ ଭାବେ ଦୁଇ ଥର ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଛନ୍ତି। ତାଙ୍କ ପୂର୍ବରୁ କୁଲଦୀପ ଯାଦବ ଓ ଭୁବନେଶ୍ୱର କୁମାର ଏପରି ସଫଳତା ପାଇଥିଲେ।

ଟିମ ଚୟନ ଉପରେ ଉଠିଲା ପ୍ରଶ୍ନ

ତୃତୀୟ ଟି-୨୦ରେ ଟିମ ଚୟନରେ ତ୍ରୁଟି ହେବାରୁ ଭାରତକୁ ହାରିବାକୁ ପଡ଼ିଲା ବୋଲି ଅନେକ ମତ ରଖିଛନ୍ତି। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଟିମ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କହିବା କଥା ଯେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତିବା ପରେ ତୃତୀୟ ମ୍ୟାଚ୍‌ରେ ମୋମେଟମ ହରାଇଛି। ଏହାର କାରଣ ହେଲା ଭାରତୀୟ ଟିମ ସ୍କ୍ୱାଡରେ ଥିବା ଗଭୀରତାକୁ ବ୍ୟବହାର କରିବାରେ ବିଫଳ ହୋଇଛି। ଏଥିସହ ପରାଜୟ ପାଇଁ ଅସ୍ଥିର ପ୍ରଦର୍ଶନ ମଧ୍ୟ କିଛି ମାତ୍ରାରେ ଦାୟୀ।

ଚୂଡ଼ାନ୍ତ ଏକାଦଶରେ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଥିଲେ ହେଁ ତାଙ୍କର ପୂର୍ଣ୍ଣ ବ୍ୟବହାର ହୋଇପାରୁନି। ଏହା ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା। ସୁନ୍ଦର ୩ଟି ଯାକ ମ୍ୟାଚ୍‌ର ଚୂଡ଼ାନ୍ତ ଏକାଦଶରେ ରହିଥିଲେ। କିନ୍ତୁ କୌଣସି ମ୍ୟାଚ୍‌ରେ ସେ ବୋଲିଂରେ ନିଜ କୋଟା(୪ ଓଭର) ସାରି ପାରିନାହାନ୍ତି। ଯଦି ଦଳରେ ୪ ଜଣ ସ୍ପିନରଙ୍କୁ କୋଚ ଓ ଅଧିନାୟକ ରଖିବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ୧୬ ଓଭର ବୋଲିଂ କରିବା କଥା। ହେଲେ କ’ଣ ୩ଟି ଯାକ ମ୍ୟାଚ୍‌ରେ ଆପଣ ସ୍ପିନରଙ୍କ ୧୬ ଓଭର କୋଟା ସାରିଛନ୍ତି କି? ପ୍ରତି ମ୍ୟାଚ୍‌ରେ ସୁନ୍ଦର କେବଳ ଗୋଟିଏ ଲେଖାଏ ଓଭର ବୋଲିଂ କରିବା ଅତ୍ୟନ୍ତ ଅପ୍ରତ୍ୟାଶିତ ଘଟଣା।

ଟି-୨୦ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ମହମ୍ମଦ ଶାମି, ଅର୍ଶଦୀପ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା ଓ ହର୍ଷିତ ରାଣା ଦ୍ରୁତ ବୋଲିଂର କମାଣ ସମ୍ଭାଳିବାକୁ ରହିଛନ୍ତି। ହେଲେ ତୃତୀୟ ଟି-୨୦ରେ ଟିମରେ ଦ୍ରୁତ ବୋଲିଂ ଆଦୌ ପ୍ରଭାବୀ ନଥିଲା। ଶାମି ୧୫ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିବା ବେଳେ ଆଦୌ ଲୟରେ ଥିବା ଭଳି ଲାଗୁ ନଥିଲେ। ପ୍ରଥମ ଦୁଇ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିବା ଅର୍ଶଦୀପଙ୍କୁ ହଠାତ୍‌ ବିଶ୍ରାମ ଦେବାର କାରଣ ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

ଦଳରେ ଧ୍ରୁବ ଜୁରେଲଙ୍କୁ ବ୍ୟାଟର ଭାବେ ରଖାଯାଇଛି। କିନ୍ତୁ ସେ ତୃତୀୟ ଟି-୨୦ରେ ୮ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ତାଙ୍କୁ କାହିଁକି ଏତେ ତଳେ ବ୍ୟାଟିଂ କରିବାକୁ ଛଡ଼ା ଗଲା, ତା’ ଉପରେ ବି ପ୍ରଶ୍ନ ଉଠିଛି। ଜାନୁଆରୀ ୩୧ରେ ମୁମ୍ବାଇ ଠାରେ ୪ର୍ଥ ଟି-୨୦ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତକୁ ଜଣେ ଖେଳାଳିଙ୍କ ଅପେକ୍ଷା ସାମୁହିକ ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡ଼ିବ। ଯଦି ଦଳ ସାମୁହିକ ଭାବେ ପ୍ରଦର୍ଶନ ନ କରିପାରିବ, ତା’ହେଲେ ସିରିଜ ବଞ୍ଚାଇବା ଦଳ ପାଇଁ କଷ୍ଟକର ହୋଇଯିବ। ଇଂଲଣ୍ଡ ବିପକ୍ଷ ବାକି ୨ଟି ମ୍ୟାଚ୍‌ରୁ ସିରିଜ ଜିତିବା ପାଇଁ ଭାରତକୁ ଅତିକମରେ ଗୋଟିଏ ମ୍ୟାଚରେ ବାଜିମାତ କରିବାକୁ ପଡ଼ିବ।

କ’ଣ କହିଲେ ସୂର୍ଯ୍ୟ କୁମାର ଯାଦବ?

ପରାଜୟ ପରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଏହାର କାରଣ କହିଛନ୍ତି। ତାଙ୍କ କହିବା କଥା ଯେ ଇଂଲଣ୍ଡର ନିମ୍ନକ୍ରମ ବ୍ୟାଟରଙ୍କୁ ଭାରତୀୟ ବୋଲର ରୋକିବାରେ ସକ୍ଷମ ହୋଇ ନଥିଲେ। ସେହିପରି ସେ ସ୍ପିନର ଆଦିଲ ରାଶିଦଙ୍କ ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି। ସୂର୍ଯ୍ୟ କୁମାର କହିଛନ୍ତି, “ମୁଁ ଭାବୁଥିଲି ଯେ ଦ୍ୱିତୀୟ ଇନିଂସରେ କିଛି କାକର ପଡ଼ିବ। ସେହିପରି ହାର୍ଦ୍ଦିକ ଓ ଅକ୍ଷର ବ୍ୟାଟିଂ କରିବା ବେଳେ ମ୍ୟାଚ୍‌ ଆମ ହାତରେ ଥିଲା ଭଳି ଲାଗୁଥିଲା। ହେଲେ ସବୁ ଶ୍ରେୟ ଆଦିଲ ରଶିଦଙ୍କୁ ଯାଉଛି। ସେ ଚମତ୍କାର ବୋଲିଂ କରିଛନ୍ତି। ଖାସ ଏହି କାରଣ ପାଇଁ ସେ ଜଣେ ବିଶ୍ୱସ୍ତରୀୟ ବୋଲର। ସେ ଆମକୁ ରନ କରିବାର ସୁଯୋଗ ଦେଇ ନଥିଲେ।

ମୋ ମତରେ ଟି-୨୦ ମ୍ୟାଚ୍‌ରୁ ସବୁବେଳେ କିଛି ନା କିଛି ଶିଖିବାକୁ ମିଳିଥାଏ। ଆମେ ୧୨୭ ରନରେ ଇଂଲଣ୍ଡର ୮ଟି ୱିକେଟ ନେଇ ସାରିଥିଲୁ। କିନ୍ତୁ ଶେଷ ଭାଗରେ ବହୁତ ରନ ହେବା ସହ ସେମାନେ ୧୭୧ ରନରେ ପହଞ୍ଚି ଗଲେ। ଆମକୁ ବ୍ୟାଟିଂ ପଏଣ୍ଟ ଅଫ ଭ୍ୟୁରୁ ସବୁ କିଛି ବୁଝିବାକୁ ପଡ଼ିବ। ଆମକୁ ଆମ ତ୍ରୁଟିରୁ ଶିଖିବାକୁ ହେବ।”

ତୃତୀୟ ଟି-୨୦ରେ ଇଂଲଣ୍ଡ ଏକଦା ୮୩/୨ ଥିବେ ବେଳେ ୧୨୭/୮ରେ ପହଞ୍ଚି ଯାଇଥିଲା। କିନ୍ତୁ ରଶିଦ ଓ ମାର୍କ ଉଡ ଇଂଲଣ୍ଡର ସ୍କୋରକୁ ୧୭୧/୯ରେ ପହଞ୍ଚାଇ ଦେଇଥିଲେ। ଏହା ହିଁ ପୂରା ମ୍ୟାଚ୍‌ରେ ଫରକ ସୃଷ୍ଟି କରିଥିଲା।