୧୯୫ ଜଣଙ୍କ ତାଲିକା ଘୋଷଣା କଲା ବିଜେପି, ବାରାଣସୀରୁ ମୋଦି
ଏହି ପ୍ରାର୍ଥୀଙ୍କ ମଧ୍ୟରେ ୨୮ ଜଣ ମହିଳା ଥିବା ବେଳେ ୫୦ରୁ କମ୍ ବୟସର ୪୭ ଜଣ ବ୍ୟକ୍ତି ରହିଛନ୍ତି। ସେହିପରି ଅନୁସୂଚିତ ଜାତିରୁ ୨୭ ଜଣ ପ୍ରାର୍ଥୀ ଥିବା ବେଳେ ଅନୁସୂଚିତ ଜନଜାତିରୁ ୧୮ ଓ ଓବିସିରୁ ୫୭ ଜଣ ପ୍ରାର୍ଥୀ ହୋଇଛନ୍ତି।
୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଏହି ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ତା’ ମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ। ସେ ପୁଣି ବାରଣାସୀରୁ ନିର୍ବାଚନ ଲଢ଼ିବା। ସେହିପରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ରାଜସ୍ଥାନର କୋଟାରୁ, ଗୃହ ମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗରରୁ ଓ ରାଜନାଥ ସିଂହ ଲକ୍ଷ୍ନୌରୁ ପ୍ରାର୍ଥୀ ହେବେ।
କେଉଁ ରାଜ୍ୟରୁ କେତୋଟି ଆସନ?
ବିଜେପି ଆଜି ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୧୯୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ତାଲିକାରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ପଶ୍ଚିମବଙ୍ଗରୁ ୨୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ମଧ୍ୟ ପ୍ରଦେଶରୁ ୨୪, ଗୁଜରାଟରୁ ୧୫, ରାଜସ୍ଥାନରୁ ୧୫, କେରଳରୁ ୧୨, ତେଲେଙ୍ଗାନାରୁ ୯, ଆସାମରୁ ୧୧, ଝାଡ଼ଖଣ୍ଡରୁ ୧୧, ଛତିଶଗଡ଼ରୁ ୧୧, ଦିଲ୍ଲୀରୁ ୫, ଜମ୍ମୁ ଓ କଶ୍ମୀରରୁ ୨, ଉତ୍ତରାଖଣ୍ଡରୁ ୩, ଅରୁଣାଚଳ ପ୍ରଦେଶରୁ ୨, ଗୋଆରୁ ୧, ତ୍ରିପୁରା ୧, ଆଣ୍ଡାମାନରୁ ୧ ଓ ଡାମନ ଡିଉରୁ ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।
କେଉଁ ବର୍ଗରୁ କେତେ?
ଏହି ପ୍ରାର୍ଥୀଙ୍କ ମଧ୍ୟରେ ୨୮ ଜଣ ମହିଳା ଥିବା ବେଳେ ୫୦ରୁ କମ୍ ବୟସର ୪୭ ଜଣ ବ୍ୟକ୍ତି ରହିଛନ୍ତି। ସେହିପରି ଅନୁସୂଚିତ ଜାତିରୁ ୨୭ ଜଣ ପ୍ରାର୍ଥୀ ଥିବା ବେଳେ ଅନୁସୂଚିତ ଜନଜାତିରୁ ୧୮ ଓ ଓବିସିରୁ ୫୭ ଜଣ ପ୍ରାର୍ଥୀ ହୋଇଛନ୍ତି। ଏହି ୧୯୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୩୪ ଜଣ କେନ୍ଦ୍ର ମନ୍ତ୍ରୀ ଅଛନ୍ତି।
BJP's first list of 195 candidates for Lok Sabha elections pic.twitter.com/ABZ7jHr3TZ— ANI (@ANI) March 2, 2024
କିଏ କେଉଁ ଆସନରୁ ଲଢ଼ିବେ?
ଅରୁଣାଚଳ ୱେଷ୍ଟରୁ ଲଢ଼ିବେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ। ସେହିପରି ଦିବ୍ରୁଗଡ଼ରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। ସ୍ମୃତି ଇରାନୀ ଆମେଥିରୁ ପ୍ରାର୍ଥୀ ହେବେ। କୋର୍ବାରୁ ସରୋଜ ପାଣ୍ଡେ, ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ, ଦିଲ୍ଲୀ ଚାନ୍ଦିନୀଚୌକରୁ ପ୍ରବୀଣ ଖଣ୍ଡେଲୱାଲ, ନର୍ଥଇଷ୍ଟ ଦିଲ୍ଲୀରୁ ମନୋଜ ତିୱାରୀ, ନୂଆଦିଲ୍ଲୀରୁ ବାଂସୁରୀ ସ୍ୱରାଜ, ପଶ୍ଚିମ ଦିଲ୍ଲୀରୁ କମଲଜୀତ ସହରାୱତ, ଦକ୍ଷିଣ ଦିଲ୍ଲୀରୁ ରାମବୀର ସିଂହ ବିଧୁଡ଼ୀ, ପୋରବନ୍ଦରରୁ ମନସୁଖ ମାଣ୍ଡଭୀୟ, ଉଧମପୁରରୁ ଜିତେନ୍ଦ୍ର ସିଂହ, ଜମ୍ମୁରୁ ଯୁଗଳ କିଶୋର ଶର୍ମା, ଖୁଣ୍ଟିରୁ ଅର୍ଜୁନ ମୁଣ୍ଡା, ସିଂହଭୂମରୁ ଗୀତା କୋଡ଼ା, ହଜାରୀବାଗରୁ ମନୀଷ ଜୟସୱାଲ, ତିରୁବନନ୍ତପୁରମରୁ ରାଜୀବ ଚନ୍ଦ୍ରଶେଖର, ଗୁନାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଦିଶାରୁ ଶିବରାଜ ସିଂହ ଚୌହ୍ବାନ, ବିକାନିରରୁ ଅର୍ଜୁନରାମ ମେଘୱାଲ, ଅଲୱାରରୁ ଭୂପେନ୍ଦ୍ର ଯାଦବ, ଯୋଧପୁରରୁ ଗଜେନ୍ଦ୍ର ସିଂ ଶେଖାୱତ, ମଣ୍ଡଲାରୁ ଫଗ୍ଗନ ସିଂହ କୁଲସ୍ତେ, ସିକନ୍ଦରାବାଦରୁ ଜି. କୀଷନ ରେଡ୍ଡୀ, ତ୍ରିପୁରା ପଶ୍ଚିମରୁ ବିପ୍ଳବ ଦେବ, ମଥୁରାରୁ ହେମା ମାଳିନୀ, ଖେରିରୁ ଅଜୟ ମିଶ୍ରା ଟେନି, ଫତେପୁରରୁ ସାଧ୍ୱୀ ନିରଞ୍ଜନା ଜ୍ୟୋତି, ଦୁମୁରିଆଗଞ୍ଜରୁ ଜଗଦମ୍ବିକା ପାଲ୍, ଗୋରଖପୁରରୁ ରବି କିଷନ, କୁଚ୍ବେହାରରୁ ନୀଶିଥ ପ୍ରମାଣିକ, ବେଲୁରଘାଟରୁ ସୁକାନ୍ତ ମଜୁମଦାର ଓ ହୁଗ୍ଲିରୁ ଲକେଟ ଚାଟାର୍ଜୀ ପ୍ରମୁଖଙ୍କ ନାଁ ପ୍ରଥମ ପର୍ଯ୍ୟାୟ ତାଲିକାରେ ଅଛି।
BJP releases first list of 195 candidates for Lok Sabha elections pic.twitter.com/ms1zTtzLfL— ANI (@ANI) March 2, 2024