୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ ୨୦ ବର୍ଷ ପରେ ଏଠାରେ ପ୍ରାର୍ଥୀ ବଦଳାଇ ପ୍ରଥମ କରି ଜଣେ ମହିଳାଙ୍କୁ ନିର୍ବାଚନ ମଇଦାନକୁ ଛାଡ଼ିଛି। ଲଗାତର ୪ଥରର ବିଧାୟକ ରଜନୀକାନ୍ତ ସିଂହଙ୍କୁ ଦଳ ଟିକେଟ୍‌ ନ ଦେଇ ତାଙ୍କ ସ୍ତ୍ରୀ ସଂଯୁକ୍ତା ସିଂହଙ୍କୁ ପ୍ରାର୍ଥୀ କରିଛି। ରାଜନୀତି ଓ ନିର୍ବାଚନ ଲଢ଼େଇରେ ସଂଯୁକ୍ତା ସମ୍ପୂର୍ଣ୍ଣ ନୂଆ ଚେହେରା। […] The post ୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା appeared first on Dharitri Odia News.

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ ୨୦ ବର୍ଷ ପରେ ଏଠାରେ ପ୍ରାର୍ଥୀ ବଦଳାଇ ପ୍ରଥମ କରି ଜଣେ ମହିଳାଙ୍କୁ ନିର୍ବାଚନ ମଇଦାନକୁ ଛାଡ଼ିଛି। ଲଗାତର ୪ଥରର ବିଧାୟକ ରଜନୀକାନ୍ତ ସିଂହଙ୍କୁ ଦଳ ଟିକେଟ୍‌ ନ ଦେଇ ତାଙ୍କ ସ୍ତ୍ରୀ ସଂଯୁକ୍ତା ସିଂହଙ୍କୁ ପ୍ରାର୍ଥୀ କରିଛି। ରାଜନୀତି ଓ ନିର୍ବାଚନ ଲଢ଼େଇରେ ସଂଯୁକ୍ତା ସମ୍ପୂର୍ଣ୍ଣ ନୂଆ ଚେହେରା। ସେହିପରି କଂଗ୍ରେସ ମଧ୍ୟ ଏଥର ପ୍ରାର୍ଥୀ ବଦଳାଇ ଜିଲା ସଭାପତି ଦାୟିତ୍ୱରେ ଥିବା ଅମ୍ବିକା ପ୍ରସାଦ ଭଟ୍ଟଙ୍କୁ ଟିକେଟ୍‌ ଦେଇଛି। ଅମ୍ବିକା ପ୍ରଥମ କରି ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ତେବେ ଭାଜପା ଅନୁଗୋଳରେ ପ୍ରାର୍ଥୀ ପରିବର୍ତ୍ତନ କରିନାହିଁ। ପୁରୁଣା ମୁହଁ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉପରେ ଦଳ ପୁଣି ଭରସା କରିଛି। ତେଣୁ ଅଭିଜ୍ଞ ପ୍ରତାପଙ୍କ ସହ ଏଠାରେ ବିଜେଡି ଓ କଂଗ୍ରେସର ନବାଗତ ପ୍ରାର୍ଥୀଙ୍କ ମୁକାବିଲା ହେବା ବୋଲି କୁହାଯାଉଛି।
ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ଦୀର୍ଘ ୨୪ ବର୍ଷ ହେଲା ବିଜେଡି ବିଜୟ ଲାଭ କରିଆସୁଛି। ୨୦୦୦ ମସିହାରେ ଅଦ୍ୱୈତ ପ୍ରସାଦ ସିଂହ ଓ ୨୦୦୪ରୁ ଲଗାତର ତାଙ୍କ ପୁତ୍ର ରଜନୀକାନ୍ତ ସିଂହ ବିଜେଡିରୁ ବିଜୟୀ ହୋଇ ଅନୁଗୋଳକୁ ବିଜେଡି ଗଡ଼ରେ ପରିଣତ କରିଆସିଛନ୍ତି। ଏଥର ମଧ୍ୟ ସେ ଟିକେଟ୍‌ ଲବିରେ ଥିଲେ। ହେଲେ ଗତ ନିର୍ବାଚନରେ ଭୋଟହାର ହ୍ରାସକୁ ଦେଖି ଦଳ ରଜନୀକାନ୍ତଙ୍କ ପରିବର୍ତ୍ତେ ତାଙ୍କ ସ୍ତ୍ରୀ ସଂଯୁକ୍ତାଙ୍କୁ ପ୍ରାର୍ଥୀ କରିବାକୁ ସୁରକ୍ଷିତ ମଣିଛି। ଦଳର ଏପରି ନିଷ୍ପତ୍ତି ଅନ୍ୟ ଆଶାୟୀଙ୍କୁ ନିରାଶ କରିଥିବା ବେଳେ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଇତିମଧ୍ୟରେ ଦଳର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ, ମୀରା ଗଡ଼ନାୟକ, ଯୁବ ବିଜେଡି ରାଜ୍ୟ ଉପସଭାପତି ପ୍ରକାଶ ଚନ୍ଦ୍ର ଭୋଇ, ଆଦର୍ଶ ଗ୍ରୁପ୍‌ ପ୍ରତିଷ୍ଠାତା ମହେଶ ଚନ୍ଦ୍ର ଧଳ, ବିଜେଡି ଡିଜିଟାଲ ସମ୍ପାଦକ ପ୍ରଶାନ୍ତ କୁମାର ଦେହୁରୀ, ବିଜୁ ଛାତ୍ର ଜନତା ଦଳ ଜିଲା ସାଧାରଣ ସମ୍ପାଦକ ରାହୁଲ ମହାପାତ୍ର ଓ ବାଉଳିଗଡ଼ ସରପଞ୍ଚ ଅମରେନ୍ଦ୍ର ଗଡ଼ନାୟକ ବିଜେଡି ପରିତ୍ୟାଗ କରି ଭାଜପାରେ ସାମିଲ ହେବା ବିଜେଡିର ଭୋଟବ୍ୟାଙ୍କ ଉପରେ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ବନ୍ତଳା ଅଞ୍ଚଳର ବିଜେଡି ନେତା ଦୁର୍ଗା ପ୍ରସାଦ ପ୍ରଧାନ ଘର ବାହୁଡ଼ା କରିଥିବାରୁ ଏହା ଅନୁଗୋଳ ବିଜେଡି ପାଇଁ ସାମାନ୍ୟ ଆଶ୍ୱାସନା ଆଣିପାରିଛି।
ସେହିପରି କଂଗ୍ରେସ ଟିକେଟ୍‌ ପାଇଥିବା ଅମ୍ବିକା ପ୍ରସାଦ ନିର୍ବାଚନ ଲଢ଼େଇରେ ସମ୍ପୂର୍ଣ୍ଣ ନୂଆ ହୋଇଥିବା ବେଳେ ଦଳ ମଧ୍ୟ ଅନୁଗୋଳରେ ଆଉ ପୂର୍ବପରି ଶକ୍ତିଶାଳୀ ହୋଇ ରହିନାହିଁ। ଏହାଛଡ଼ା ଅମ୍ବିକାଙ୍କୁ ପ୍ରାର୍ଥୀ କରାଯିବା ପରଠାରୁ ଦଳରେ ଗୋଷ୍ଠୀ କନ୍ଦଳ ଦେଖାଦେଇଛି। ଶେଷଥର ପାଇଁ ୧୯୯୫ରେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା ଅନୁଗୋଳରେ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ଭାଜପା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ୨୦୧୪ରେ କଂଗ୍ରେସରୁ ଓ ୨୦୧୯ରେ ଭାଜପାରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବାରୁ ଅଭିଜ୍ଞତା କ୍ଷେତ୍ରରେ ଆଗରେ ରହିଛନ୍ତି। ଏପରି କି ୨୦୧୯ରେ ବିଜେଡି ସହ କଡ଼ା ମୁକାବିଲା କରିଥିବା ପ୍ରତାପ ମାତ୍ର ୮,୮୨୩ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିବାରୁ ଏଥର ସଫଳତା ପାଇଁ ବେଶ୍‌ ଉତ୍ସାହୀ ରହିଥିବା ଆଲୋଚନା ହେଉଛି।

The post ୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା appeared first on Dharitri Odia News.