୨ ଲକ୍ଷ ଟଙ୍କାର ଦାମୀ ବ୍ୟାଗ ଧରି ଟ୍ରୋଲ ହେଲେ ପ୍ରବଚିକା ଜୟା କିଶୋରୀ

ନିଜ ଅନୁଗାମୀମାନଙ୍କୁ ମୋହ-ମାୟାରୁ ଦୂରରେ ରହି ଏକ ସରଳ ଜୀବନଯାପନ କରିବାକୁ ପରାମର୍ଶ ଦେଉଥିବା ଆଧ୍ୟାତ୍ମିକ ପ୍ରବଚିକା ଜୟା କିଶୋରୀ ଧରୁଛନ୍ତି 2 ଲକ୍ଷ ଟଙ୍କାର ଦାମୀ ବ୍ୟାଗ। ଭିଡିଓ ଭାଇରାଲ ହେବାପରେ ହେଉଛନ୍ତି ଟ୍ରୋଲ।

୨ ଲକ୍ଷ ଟଙ୍କାର ଦାମୀ ବ୍ୟାଗ ଧରି ଟ୍ରୋଲ ହେଲେ ପ୍ରବଚିକା ଜୟା କିଶୋରୀ

ଆଧ୍ୟାତ୍ମିକ ପ୍ରବଚିକା ତଥା ଗାୟିକା ଜୟା କିଶୋରୀ ଏବେ ପୁଣିଥରେ ହେଉଛନ୍ତି ଟ୍ରୋଲ୍। ନିଜ ଅନୁଗାମୀମାନଙ୍କୁ ଧନସଂପତ୍ତି ଆହରଣର ମୋହରୁ ଦୂରରେ ରହି ଏକ ସରଳ ଜୀବନଯାପନ କରିବାକୁ ପରାମର୍ଶ ଦେଉଥିବା ପ୍ରବଚିକାଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ ସେ ସାଙ୍ଗରେ ଧରି ବୁଲୁଥିବା ଡାୟର୍ ବ୍ୟାଗ (Dior Bag)ର ମୂଲ୍ୟ ପ୍ରାୟ ୨ ଲକ୍ଷରୁ ଅଧିକ ହେବ। ଯାହାପରେ ସୋଶାଲ ମିଡିଆରେ ତାଙ୍କୁ ପ୍ରବଳ ସମାଲୋଚନା କରୁଛନ୍ତି ୟୁଜର୍ସ।

ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଭିଡିଓ ୨୯ ବର୍ଷୀୟା ଜୟା କିଶୋରୀ ତାଙ୍କ ଦାମୀ ଡାୟର୍ ବ୍ୟାଗ୍ ସହିତ ବିମାନବନ୍ଦରରେ କେଉଁଆଡ଼େ ଯାଉଥିବା ସମୟରେ ସୁଟିଂ କରାଯାଇଛି। ଯାହାପରେ ସେ ସମାଲୋଚକଙ୍କ ଟାର୍ଗେଟକୁ ଆସିଛନ୍ତି। ଡାୟର୍ ୱେବସାଇଟରେ ସର୍ଚ୍ଚ କଲେ ଜଣାପଡୁଛି ଯେ ଭିଡିଓରେ ଦେଖାଯାଇଥିବା "ଡାୟର୍ ବୁକ୍ ଟୋଟ୍" ବ୍ୟାଗ୍ କପା ଦ୍ୱାରା ନିର୍ମିତ ଏବଂ ଏଥିରେ ପଶୁ ଚର୍ମର ଏକ ସ୍ତର ମଧ୍ୟ ବ୍ୟବହାର ହୋଇଛି। ଏହାର ମୂଲ୍ୟ ୨ ଲକ୍ଷରୁ ବି ଅଧିକ ଅଟେ।

‘ଏକ୍ସ’ରେ ଏହି ଭିଡିଓ ସେୟାର କରି ଜଣେ ୟୁଜର୍ ବୀଣା ଜୈନ ଲେଖିଛନ୍ତି, ‘ଆଧ୍ୟାତ୍ମିକ ପ୍ରଚାରକ ଜୟା କିଶୋରୀ ତାଙ୍କ ଭିଡିଓ ଡିଲିଟ କରିଦେଇଛନ୍ତି, ଯେଉଁଥିରେ ସେ ୨ ଲକ୍ଷ ୧୦ ହଜାର ଟଙ୍କା ମୂଲ୍ୟର ଏକ ଡିୟର୍ ବ୍ୟାଗ ଧରିଥିଲେ। ତଥାପି, ସେ ଏକ ସରଳ ଜୀବନଯାପନ ପାଇଁ ପ୍ରଚାର କରନ୍ତି ଏବଂ ନିଜକୁ ଭଗବାନ କୃଷ୍ଣଙ୍କର ଜଣେ ଭକ୍ତ ବୋଲି କୁହନ୍ତି। ଆଉ ଗୋଟିଏ କଥା, ଡିୟର କମ୍ପାନୀ ବ୍ୟାଗ୍ ପ୍ରସ୍ତୁତିରେ ବାଛୁରୀ ଚମଡା ବ୍ୟବହାର କରିଥାଏ।’

ଅନ୍ୟ ଜଣେ ‘ଏକ୍ସ’ ବ୍ୟବହାରକାରୀ ପୋଷ୍ଟ କରି ଲେଖିଛନ୍ତି, ‘ଜୟା କିଶୋରୀ ଲୋକଙ୍କୁ ସରଳ ଜୀବନଯାପନ କରିବାକୁ କୁହନ୍ତି, ତଥାପି ସେ ନିଜେ ୨ ଲକ୍ଷରୁ ଅଧିକ ମୂଲ୍ୟର ବିଳାସପୂର୍ଣ୍ଣ ବ୍ୟାଗ ବ୍ୟବହାର କରନ୍ତି। ଏହି ପ୍ରଚାରକମାନଙ୍କ ମଧ୍ୟରୁ ଅଧିକାଂଶ ଏପରି, ଯେଉଁମାନେ ଆମ ଧର୍ମକୁ ଅର୍ଥ ଉପାର୍ଜନ କରିବା ଏବଂ ବିଳାସପୂର୍ଣ୍ଣ ଜୀବନଯାପନ କରିବା ପାଇଁ ବ୍ୟବହାର କରନ୍ତି।’