୨ ଶିଶୁ ସମେତ ୪ ଜଣଙ୍କୁ ନିର୍ମମ ହତ୍ୟା; ରେଳ ଟ୍ରାକ୍‌ରୁ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ

ପୁରୁଷ ଓ ମହିଳାଙ୍କ ମୃତଦେହ ଅଖା ଭିତରେ ସିଲ୍ ହୋଇ ଟ୍ରାକ୍‌ ବାହାରେ ପଡ଼ିଥିବା ବେଳେ ଦୁଇ ଶିଶୁଙ୍କ ମୃତଦେହ ଟ୍ରାକ୍‌ରେ ପଡ଼ି ରହିଛି।ଦୁ ଇ ଶିଶୁଙ୍କ ମଧ୍ୟରେ ଜଣେ ଅଢେଇ ବର୍ଷର ଶିଶୁ କନ୍ୟା ହୋଇଥିବା ବେଳେ ଆଉ ଜଣେ ୮ ମାସର ଶିଶୁ ପୁତ୍ର ବୋଲି ଜଣାଯାଇଛି।

୨ ଶିଶୁ ସମେତ ୪ ଜଣଙ୍କୁ ନିର୍ମମ ହତ୍ୟା; ରେଳ ଟ୍ରାକ୍‌ରୁ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ

ଓଡିଶା ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲାର  ତାଲାବୁରୁ ଏବଂ କେନ୍ଦୋପୋସି ରେଳ ଷ୍ଟେସନ ନିକଟ ଟ୍ରାକ୍‌ରେ ଦେଖିବାକୁ ମିଳିଛି ଅତି ବୀଭତ୍ସ ଦୃଶ୍ୟ । ଚକ୍ରଧରପୁର ରେଳ ବିଭାଗ ଅଧୀନରେ ଯାଉଥିବା ରେଳ ଟ୍ରାକ୍‌ ଭିତରେ ଓ ବାହାରେ ବିକ୍ଷିପ୍ତ ହୋଇ ପଡ଼ିଛି ୪ଟି ମୃତଦେହ। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ, ଜଣେ ମହିଳା ଥିବା ବେଳେ ଆଉ ୨ ଜଣ ଶିଶୁ  ଅଛନ୍ତି । ଝାଡ଼ଖଣ୍ଡର ହାଟଗହ୍ମାରିଆ ଥାନା ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା।  ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।

ଦୁଇ ଶିଶୁଙ୍କ ମଧ୍ୟରେ ଶିଶୁ କନ୍ୟାର ବୟସ ୩ ବର୍ଷ ପାଖାପାଖି ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଶିଶୁ ପୁତ୍ରର ବୟସ ବର୍ଷେରୁ କମ୍‌ ହେବ ବୋଲି ଜଣାଯାଇଛି। ମହିଳାଙ୍କ ହାତ ଓ ଗୋଡ଼ ବନ୍ଧା ଯାଇଥିବା ବେଳେ ତାଙ୍କ ଶରୀର ଦୁଇ ଭାଗ ହୋଇ ଯାଇଛି। ଟ୍ରାକ୍‌ରେ ଯୁବକଙ୍କର ମୃତଦେହ ପଡ଼ିଥିବା ବେଳେ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଛି। 

ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ଟ୍ରାକ୍‌ରେ ଦୁଇଟି ଅଖା ପଡ଼ିଥିବାରୁ ଅଖାରେ ମୃତଦେହକୁ ଭର୍ତ୍ତି କରି ଆଣି ଟ୍ରାକ୍‌ରେ ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି। ଫଳରେ ଟ୍ରେନ୍‌ ଧକ୍କାରେ ତାହା ଖଣ୍ଡବିଖଣ୍ଡିତ ହୋଇ ଟ୍ରାକ୍‌ ଭିତରେ ଓ ବାହାରେ ପଡ଼ି ରହିଛି।  ମୃତକଙ୍କ ପରିଚୟ ମିଳି ପାରିନି। 

ଟ୍ରାକ୍‌ ନିକଟରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦୁଇଟି ବାଡ଼ି ଜବତ ହୋଇଛି। ଗତକାଲି ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି। କେହି ଦୁର୍ବୃତ୍ତ ଏହି ହତ୍ୟାକାଣ୍ଡ ଘଟାଇଥିବା ପରେ ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଏପରି କରିଥିବା ପୁଲିସ୍‌ ଅନୁମାନ କରୁଛି। ଏପରି ଲୋମଟାଙ୍କୁରା ଘଟଣା ସମ୍ପର୍କରେ ପ୍ରଚାରିତ ହେବା ପରେ ଉକ୍ତ ଟ୍ରାକ୍‌ରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଛି।

ଖବର ପାଇ ଝାଡ଼ଖଣ୍ଡର ଚକ୍ରଧରପୁର ଡିଏସପି ରାକେଶ ମିଞ୍ଜ, ରେଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଫୋରେନସିକ୍ ଟିମ୍ ସାହାଯ୍ୟରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ସେମାନେ ଏକ ପରିବାରର ସଦସ୍ୟ ବୋଲି ଅନୁମାନ କରାଯାଉଛି। ତେବେ ଏନେଇ କିଛି ଠୋସ୍‌ ପ୍ରମାଣ ମିଳିନି। ଏଥିସହ ହତ୍ୟାକାରୀଙ୍କ ସମ୍ପର୍କରେ ବି କିଛି ସୁରାଗ ମିଳି ପାରିନି। 

ରିପୋର୍ଟ - କୋଇଡାରୁ ସୁନୀଲ ପଣ୍ଡା