୨ ହଷ୍ଟେଲରେ ପିଟି ହେଲା ବିମାନ, ୫ ମେଡିକାଲ ଶିକ୍ଷାର୍ଥୀ ମୃତ

ବିମାଟି ପିଟି ହୋଇଥିବା ହଷ୍ଟେଲରେ ଥିବା ୫ ଜଣ ମେଡିକାଲ ଶିକ୍ଷାର୍ଥୀଙ୍କ ମଧ୍ୟ ଜୀବନ ଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

୨ ହଷ୍ଟେଲରେ ପିଟି ହେଲା ବିମାନ, ୫ ମେଡିକାଲ ଶିକ୍ଷାର୍ଥୀ ମୃତ

ଅହମଦାବାଦରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନ ୨ଟି ହଷ୍ଟେଲରେ ମାଡ଼ ହୋଇଥିଲା। ଏହାପରେ ଯାତ୍ରୀବାହୀ ବିମାନଟି ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା। ବିମାନରେ ଥିବା ସମସ୍ତ ୨୪୨ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

କେବଳ ସେତିକି ନୁହେଁ, ବିମାଟି ପିଟି ହୋଇଥିବା ହଷ୍ଟେଲରେ ଥିବା ୫ ଜଣ ମେଡିକାଲ ଶିକ୍ଷାର୍ଥୀଙ୍କ ମଧ୍ୟ ଜୀବନ ଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେହିପରି ଏଥିରେ ଶତାଧିକ ଶିକ୍ଷାର୍ଥୀ ଆହତ ହୋଇଛନ୍ତି। ପିଲାମାନେ ହଷ୍ଟେଲ ମେସରେ ଖାଉଥିବା ବେଳେ ହଠାତ ଏୟାର ଇଣ୍ଡିଆ ବିମାନ ବିଲଡିଂରେ ମାଡ଼ ହୋଇଥିଲା।

ବିମାନଟି ପ୍ରଥମେ ଜୁନିୟର ଡାକ୍ତର ହଷ୍ଟେଲରେ ପିଟି ହୋଇଥିଲା। ଏହାପରେ ଏହାର କିଛି ଅଂଶ ସିନିୟର ରେସିଡେଣ୍ଟ ଡାକ୍ତରଙ୍କ ହଷ୍ଟେଲରେ ମାଡ଼ ହୋଇଥିଲା। ଦୁର୍ଘଟଣା ଯୋଗୁ ଜୁନିୟର ଡାକ୍ତରଙ୍କ ହଷ୍ଟେଲ ଅଧିକ କ୍ଷତିଗ୍ରସ୍ତ ହୋଇଛି।

ଏଥିସହ ଗୋଟିଏ ବିଲଡିଂରେ ନିଆଁ ମଧ୍ୟ ଲାଗି ଯାଇଥିଲା। ବିଜେ ମେଡିକାଲ କଲେଜର ହଷ୍ଟେଲରେ ବିମାନ ମାଡ଼ ହେବା ଯୋଗୁ ୪ ଜଣ ଅଣ୍ଡର ଗ୍ରାଜ୍ୟୁଏଟ ଓ ଜଣେ ପୋଷ୍ଟ ଗ୍ରାଜ୍ୟୁଏଟ ଶିକ୍ଷାର୍ଥୀଙ୍କ ଜୀବନ ଯାଇଛି।

ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓରେ ହୃଦୟ ବିଦାରକ ଦୃଶ୍ୟ ରହିଛି। କ୍ୟାଣ୍ଟିନ ଟେବୁଲ ଉପରେ ପିଲାମାନଙ୍କ ଖାଦ୍ୟ ସେମିତି ରହିଥିବା ବେଳେ ଗ୍ଲାସ ଓ ଅନ୍ୟାନ୍ୟ ଜିନିଷ ବିଚ୍ଛୁରିତ ହୋଇ ପଡ଼ିଛି। ମେଡିକାଲ ଶିକ୍ଷାର୍ଥୀମାନେ ଲଞ୍ଚ କରୁଥିବା ବେଳେ ବିମାନଟି ବିଲଡିଂରେ ପିଟି ହେବାରୁ ଏପରି ସ୍ଥିତି ସୃଷ୍ଟି ହୋଇଥିଲା। ଦୁର୍ଘଟଣା ଯୋଗୁ ହଷ୍ଟେଲ ବିଲଡିଂର କାନ୍ଥ ଭାଙ୍ଗି ଯାଇଛି। ବିମାନର କିଛି ଅଂଶ କାନ୍ଥରେ ଲାଖି ରହିଛି।