୨୦୨୯ରେ ପୃଥିବୀରେ ମାଡ଼ ହେବେ ଧ୍ୱଂସର ଦେବତା!

ଏପ୍ରିଲ ୨୦୨୯ରେ ‘ଧ୍ୱଂସର ଦେବତା’ ଉପନାମରେ ପରିଚିତ ଗ୍ରହାଣୁ ଆପୋଫିସ୍‌ ପୃଥିବୀର ନିକଟତର ହେବ। ସେହି ସମୟରେ ଏହା ସିଧାସଳଖ ଭାବେ ପୃଥିବୀରେ ମାଡ଼ ହେବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ। ତେବେ, ତା’ ପୂର୍ବରୁ ଯଦି ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଏହି ଗ୍ରହାଣୁ ସହିତ ଅନ୍ୟ କୌଣସି ଗ୍ରହାଣୁ କିମ୍ବା ମହାକାଶ ପଥର ମାଡ଼ ହୁଏ ତେବେ ଏହାର ଗତିପଥ ବଦଳିଯାଇପାରେ ଏବଂ ଏହା ପୃଥିବୀ ସହ ମାଡ଼ ହେବାର ସମ୍ଭାବନା ବଢ଼ିଯାଇପାରେ।

୨୦୨୯ରେ ପୃଥିବୀରେ ମାଡ଼ ହେବେ ଧ୍ୱଂସର ଦେବତା!

ଏପ୍ରିଲ ୨୦୨୯ରେ ‘ଧ୍ୱଂସର ଦେବତା’ ଉପନାମରେ ପରିଚିତ ଗ୍ରହାଣୁ ଆପୋଫିସ୍‌ ପୃଥିବୀର ନିକଟତର ହେବ। ସେହି ସମୟରେ ଏହା ସିଧାସଳଖ ଭାବେ ପୃଥିବୀରେ ମାଡ଼ ହେବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ। ତେବେ, ତା’ ପୂର୍ବରୁ ଯଦି ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଏହି ଗ୍ରହାଣୁ ସହିତ ଅନ୍ୟ କୌଣସି ଗ୍ରହାଣୁ କିମ୍ବା ମହାକାଶ ପଥର ମାଡ଼ ହୁଏ ତେବେ ଏହାର ଗତିପଥ ବଦଳିଯାଇପାରେ ଏବଂ ଏହା ପୃଥିବୀ ସହ ମାଡ଼ ହେବାର ସମ୍ଭାବନା ବଢ଼ିଯାଇପାରେ।

ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ ଆପୋଫିସ୍‌ର ବ୍ୟାସ ହେଉଛି ୩୪୦ ମିଟରରୁ ୪୫୦ ମିଟର ମଧ୍ୟରେ। ୨୦୨୯ ଏପ୍ରିଲରେ ଏହା ପୃଥିବୀଠାରୁ ୩୭,୦୦୦ କିଲୋମିଟର ଦୂରରେ ଗତି କରିବାର ସମ୍ଭାବନା ରହିଛି। ସେହି ସମୟରେ ଏହା ଖାଲି ଆଖିରେ ଦେଖାଯାଇ ପାରେ।

ତେବେ ନୂଆ ତଥ୍ୟ କହୁଛି, ଏହା ପୂର୍ବରୁ ଯଦି ମହାକାଶର କୌଣସି ପଥର କିମ୍ବା ଗ୍ରହାଣୁ ଆପୋଫିସ୍‌ ସହ ଧକ୍କା ଖାଆନ୍ତି ତେବେ ଏହାର ଗତିପଥ ବଦଳିଯିବାର ସମ୍ଭାବନା ଅଛି। ସେଭଳି କ୍ଷେତ୍ରରେ ଏହା ପୃଥିବୀର ଆହୁରି ନିକଟକୁ ଚାଲିଆସିପାରେ କିମ୍ବା ପୃଥିବୀ ସହ ଧକ୍କା ଖାଇପାରେ। ତାହା ପୃଥିବୀ ପାଇଁ ଅତ୍ୟନ୍ତ ବିପଜ୍ଜନକ ହେବ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଆପୋଫିସ୍‌ ଉପରେ ତୀକ୍ଷଣ ନଜର ରଖିଛି। ସଂସ୍ଥାର ଅଧ୍ୟକ୍ଷ ଏସ୍‌ ସୋମନାଥ ଗଣମାଧ୍ୟମକୁ କହିଛନ୍ତି ଯେ ଯଦି ଏକ ବଡ଼ ଧରଣର ଗ୍ରହାଣୁ ପୃଥିବୀ ସହ ମାଡ଼ହୁଏ ତେବେ ମାନବ ସମାଜର ଅସ୍ତିତ୍ୱ ପ୍ରତି ଭୟଙ୍କର ବିପଦ ଆସିପାରେ। ଇସ୍ରୋ ଏଭଳି ଏକ ବିପଦ ନେଇ ସଚେତନ ଅଛି ଏବଂ ଆପୋଫିସ୍‌ ଉପରେ ସତର୍କ ଦୃଷ୍ଟି ରଖିଛି। ଇସ୍ରୋର ନେଟ୍‌ୱାର୍କ ଫର୍‌ ସ୍ପେଶ ଅବଜେକ୍ଟ ଟ୍ରାକିଂ ଆଣ୍ଡ ଆନାଲିସିସ୍‌ (ନେତ୍ର) ଏହି କାମରେ ନିୟୋଜିତ ଅଛି। ଯାହା ହେଲେ ବି ବଂଚିବା ପାଇଁ ଆମର ମାତ୍ର ଗୋଟିଏ ପୃଥିବୀ ଅଛି। ଏଭଳି ଏକ ବିପଦର ମୁକାବିଲା କରିବାରେ ଭାରତ ବିଶ୍ୱର ଅନ୍ୟ ସମସ୍ତ ଦେଶ ସହ ସହଯୋଗ କରିବ ବୋଲି ଇସ୍ରୋ ଅଧ୍ୟକ୍ଷ କହିଛନ୍ତି।

ଇତିମଧ୍ୟରେ ଜ୍ୟୋତିବିର୍ବିଜ୍ଞାନୀ ପଲ୍‌ ୱିଗେର୍ଟ କହିଛନ୍ତି ଯେ ସେ ତାଙ୍କ ଗବେଷଣାରୁ ଜାଣିପାରିଛନ୍ତି କି ଅନ୍ୟ କୌଣସି ଗ୍ରହାଣୁ ଆପୋଫିସ୍‌ରେ ମାଡ଼ ହୋଇ ତାହାକୁ ପୃଥିବୀ ଆଡ଼କୁ ମୁହାଁଇବାର ସମ୍ଭାବନା ନାହିଁ କହିଲେ ଚଳେ। ୱିଗେର୍ଟ ପଶ୍ଚିମ ଅଣ୍ଟାରିଓ ବିଶ୍ୱବିଦ୍ୟାଳୟରେ କାମ କରନ୍ତି। ପ୍ରଫେସର ୱିଗେର୍ଟଙ୍କ କହିବା କଥା ହେଲା ଅନ୍ୟ କୌଣସି ଗ୍ରହାଣୁ ବା ମହାକାଶ ପଥର ଆପୋଫିସ୍‌ରେ ମାଡ଼ ହେବାର ସମ୍ଭାବନା ୧ ନିୟୁତରେ ଏକ ଏବଂ ୨୦୨୯ ଏପ୍ରିଲରେ ଆପୋଫିସ୍‌ ପୃଥିବୀରେ ସିଧାସଳଖ ମାଡ଼ ହେବାର ସମ୍ଭାବନା ୨୦୦ କୋଟିରେ ୧।

ସ୍ପେଶ୍‌ ଡଟ୍‌ କମ୍‌ ପ୍ରକାଶ କରିଥିବା ପ୍ରଫେସର ୱିଗେର୍ଟଙ୍କ କଥା ଅନୁସାରେ ତାତ୍ତ୍ୱିକ ଦୃଷ୍ଟିକୋଣରୁ ଅନ୍ୟ କୌଣସି ଗ୍ରହାଣୁ ଆପୋଫିସ୍‌ରେ ମାଡ଼ ହେଲେ ତାହାର ଗତିପଥ ପୃଥିବୀ ମୁହାଁ ହୋଇପାରେ, ମାତ୍ର ସେଭଳି ସମ୍ଭାବନା ନାହିଁ କହିଲେ ଚଳେ। ପ୍ରଫେସର ୱିଗେର୍ଟଙ୍କ ଅନୁଧ୍ୟାନ ୬୦ ସେଣ୍ଟିମିଟରରୁ ୩ ମିଟର ଆକାର ବିଶିଷ୍ଟ ପଦାର୍ଥର ଆପୋଫିସ୍‌ ସହ ଧକ୍କା ହେବା ସମ୍ଭାବନା ଉପରେ ପର୍ଯ୍ୟବସିତ ଥିଲା। ଏଭଳି କ୍ଷେତ୍ରରେ ଏପରି ପଦାର୍ଥ ନିର୍ଦ୍ଦିଷ୍ଟ କୋଣରୁ ଆପୋଫିସ୍‌ ସହ ଧକ୍କା ଖାଇଲେ ତାହାର ଗତିପଥରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୪ ମସିହାରେ ଆପୋଫିସ୍‌ ସଂପର୍କରେ ଜଣାପଡ଼ିଥିଲା। ଏହାର ଆକାର ଓ ଗତିପଥ ନେଇ ଉଭୟ ୟୁରୋପୀୟ ମହକାଶ ସଂସ୍ଥା ଓ ଆମେରିକାର ନାସା ତରଫରୁ ଉଦବେଗ ପ୍ରକାଶ ପାଇଥିଲା। ଏହା ପୃଥିବୀ ପାଇଁ ବିପଜ୍ଜନକ ବୋଲି ଅନେକ ବୈଜ୍ଞାନିକ ଆଶଙ୍କା ପ୍ରକାଶ କରିଥିଲେ। ସେତିକିବେଳେ ଏହାକୁ ‘ଧ୍ୱଂସର ଦେବତା’ ଭାବେ ବର୍ଣ୍ଣନା କରାଗଲା। ମାତ୍ର, ୨୦୨୧ ମସିହାରେ ଏହା ପ୍ରଥମ ଥର ପାଇଁ କୌଣସି ପ୍ରଭାବ ନପକାଇ ପୃଥିବୀ ପାଖାପାଖି ଚାଲିଯିବା ପରେ ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି ଯେ ଅନ୍ତତଃ ଆଉ ୧୦୦ ବର୍ଷ ପାଇଁ ଆପୋଫିସ୍‌ ଆଡ଼ୁ ପୃଥିବୀ ପାଇଁ କୌଣସି ବିପଦ ନାହିଁ। ୨୦୨୯ରେ ଏହା ପୁଣି ଥରେ ପୃଥିବୀର ନିକଟତର ହେବ, ତା’ପରେ ୨୦୩୬ ଓ ପୁଣି ଥରେ ୨୦୬୮ରେ ପୃଥିବୀ ପାଖ ଦେଇ ଗତି କରିବାର ସମ୍ଭାବନା ରହିଛି। ଯଦି ସେତେବେଳେ ତାହା ବିପଜ୍ଜନକ ହେବ ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରିବେ ତେବେ ତାହାକୁ ପୃଥିବୀଠାରୁ ଦୂରେଇ ଦେବା ପାଇଁ ମଧ୍ୟ ବ୍ୟବହାର ଉପଯୋଗୀ ପ୍ରଯୁକ୍ତିର ପ୍ରୟୋଗ କରିବାକୁ ଉଦ୍ୟମ ଆରମ୍ଭ ହୋଇସାରିଲାଣି।