୨୪ ବର୍ଷ ପରେ ବିରୋଧୀ ଦଳ ସିଟ୍ରେ ନବୀନ: ଲକ୍ଷ୍ମଣ ବାଗ୍ଙ୍କୁ ଦେଖି କହିଲେ...
ନୂଆ ବିଧାୟକ..ନୂଆ ଉତ୍ସାହ। ସପ୍ତଦଶ ବିଧାନସଭାରେ ଶପଥ ସମାରୋହରେ ଅନେକ ନୂଆ ଚେହେରା। ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ବିଧାୟକ ଭାବେ। ବିଧାନସଭାରେ ହେଉଛି ଗୃହ ପ୍ରବେଶ।
ମୁଣ୍ଡିଆ ମାରିଲେ, ଗୃହ ପ୍ରବେଶ କଲେ, ଶପଥ ନେଲେ। ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଶପଥ ପାଠ କରିଛନ୍ତି ନବ ନିର୍ବାଚିତ ବିଧାୟକ। ଏହି ଅବସରରେ ଆଜି ଗୃହରେ ଦେଖିବାକୁ ମିଳିଥିଲା ଅନେକ ରୋଚକ ଦୃଶ୍ୟ। ଦିନେ ଯିଏ ମୁଖ୍ୟମନ୍ତ୍ରୀ ସାଜି ଗୃହକୁ ଆସୁଥିଲେ, ସେ ଆଜି କେବଳ ନିରୋଳା ବିଧାୟକ ଭାବେ ଶପଥ ନେଇଥିଲେ। ଅନ୍ୟପକ୍ଷରେ ଦିନେ ଯିଏ କେବଳ ବିଧାୟକ ଥିଲେ, ସିଏ ଆଜି ମୁଖ୍ୟମନ୍ତ୍ରୀ ସାଜି ଗୃହ ପ୍ରବେଶ କରିଥିଲେ। ଏହା ଭିତରେ ନବୀନ ଓ ତାଙ୍କୁ କଣ୍ଟାବାଞ୍ଜିରେ ହରାଇଥିବା ଲକ୍ଷ୍ମଣ ବାଗଙ୍କ ସାକ୍ଷାତ ଥିଲା ବେଶ୍ ରୋଚକ।
ନୂଆ ବିଧାୟକ..ନୂଆ ଉତ୍ସାହ। ସପ୍ତଦଶ ବିଧାନସଭାରେ ଶପଥ ସମାରୋହରେ ଅନେକ ନୂଆ ଚେହେରା। ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ବିଧାୟକ ଭାବେ। ବିଧାନସଭାରେ ହେଉଛି ଗୃହ ପ୍ରବେଶ। ଜଣଙ୍କ ପରେ ଜଣେ ପହଞ୍ଚୁଛନ୍ତି। କିଏ ମୁଣ୍ଡିଆ ମାରୁଛନ୍ତି ତ ଆଉ କିଏ ସାଷ୍ଟାଙ୍ଗ ପ୍ରଣିପାତ କରି ଏଣ୍ଟ୍ରି କରିଛନ୍ତି। ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଓ ବଡ଼ଚଣା ବିଧାୟକ ଅମର ନାୟକ। ଗୃହରେ ପ୍ରବେଶ ପୂର୍ବରୁ ପୁଷ୍ପାଞ୍ଜଳି ଦେଇଥିଲେ ଉଭୟେ। ୨୬ ବର୍ଷିୟା ନବନିର୍ବାଚିତ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ତ ବେଶ୍ ଭାବବିହ୍ୱଳ ହୋଇଥିଲେ। ହାତରେ ଥିଲା ବାପା ତଥା ଦିବଙ୍ଗତ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୧୯୯୫ ମସିହାର ବିଧାୟକ ପରିଚୟ ପତ୍ର। ଏହାକୁ ଧରି ବିଧାନସଭାକୁ ପ୍ରବେଶ କରିଥିଲେ ଉପାସନା।
ଆଜି ପ୍ରଥମ ଦିନରେ ମୋଟ୍ ୧୦୨ ଜଣ ବିଧାୟକ ଶପଥ ନେଇଛନ୍ତି, ଯାହାଙ୍କ ଭିତରେ ଅଛନ୍ତି ୮୦ ନୂ୍ଆ ମୁହଁ। ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କୁ ଶପଥପାଠ କରାଇଥିଲେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏହାପରେ ଜଣଙ୍କ ପରେ ଜଣେ ବିଧାୟକ ଶପଥ ନେଇଥିଲେ। ଯେଉଁଥିରେ ସ୍ପଷ୍ଟ ବାରି ହେଉଥିଲେ ନୂଆ ଚେହେରା, ସାମ୍ନାକୁ ଆସୁଥିଲା ଗୋଟିଏ ଗୋଟିଏ ରୋଚକ ଦୃଶ୍ୟ।
୨୪ ବର୍ଷ ଧରି ଶାସକ ଦଳରେ ରହି ଆସିଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ, ପ୍ରଥମ ଥର ଲାଗି ବିରୋଧୀ ବିଧାୟକ ଭାବେ ଆସିଥିଲେ ଗୃହକୁ। ଷଷ୍ଠଥର ଲାଗି ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଥିଲେ ନବୀନ। ଶପଥ ପାଠ ପରେ ଗୃହ ଭିତରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ ସାମ୍ନାସାମ୍ନି ହୋଇଥିଲେ ନବୀନ। କଣ୍ଟାବାଜି ଆସନରେ ନବୀନଙ୍କୁ ମାତ୍ ଦେଇଥିଲେ ଲକ୍ଷ୍ମଣ। ଉଭୟେ ପରସ୍ପରକୁ ନମସ୍କାର ହେବା ପରେ ଲକ୍ଷ୍ମଣ ନିଜ ପରିଚୟ ଦେଇଥିଲେ। ଆଉ ପରିଚୟ ପାଇ ଲକ୍ଷ୍ମଣଙ୍କୁ ଶୁଭେଚ୍ଛା ଜଣାଇବା ସହ ନବୀନ ହସି ହସି କହିଥିଲେ ‘ଓଃ ଆପଣ ତା ହେଲେ ମୋତେ ହରାଇଛନ୍ତି’।
ସେପଟେ ମୁଖ୍ୟମନ୍ତ୍ରୀ ଭାବେ ଆଜି ପ୍ରଥମ ଥର ପାଇଁ ବିଧାନସଭାକୁ ଏଣ୍ଟ୍ରି କରିଥିଲେ ମୋହନ ଚରଣ ମାଝୀ। ବିଧାୟକ ଭାବେ ଶପଥ ପାଠ ପରେ ବିଧାନସଭାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଚାମ୍ବରକୁ ଯାଇ ବିଧିବଦ୍ଧ ଦାୟିତ୍ବ ସମ୍ଭାଳିଥିଲେ ମୋହନ। ଆସନ୍ତାକାଲି ବି ଚାଲିବ ଶପଥ ସମାରୋହ। ୨୦ରେ ହେବ ବାଚସ୍ପତି ନିର୍ବାଚନ। ଶାସକ ଦଳ ପକ୍ଷରୁ ପ୍ରାର୍ଥୀ ସ୍ପଷ୍ଟ ହୋଇନିଥିଲେ ମଧ୍ୟ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ନାଁ ଆଗରେ ଥିବା କୁହାଯାଉଛି।