୨୫ ବର୍ଷ ଚାକିରି କରିଥିଲେ ବେସିକ୍‌ର ଅଧା ମିଳିବ ପେନ୍‌ସନ୍‌; NPSଠୁ କେତେ ଭଲ UPS ? ଜାଣନ୍ତୁ...

ଆସନ୍ତା ଏପ୍ରିଲରୁ ଲାଗୁ ହେବ ନୂଆ ପେନସନ୍ ଯୋଜନା- ୟୁନିଫାଏଡ୍ ପେନସନ୍ ସ୍କିମ୍ ବା UPS। ଯେଉଁଥିରେ ଉପକୃତ ହେବେ ଦେଶର ୨୩ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ। ଯଦି ରାଜ୍ୟଗୁଡ଼ିକ ଏହାକୁ ଲାଗୁ କରନ୍ତି ତାହେଲେ ହିତାଧିକାରୀଙ୍କ ସଂଖ୍ୟା ୯୦ ଲକ୍ଷକୁ ବଢ଼ିଯିବ।

୨୫ ବର୍ଷ ଚାକିରି କରିଥିଲେ ବେସିକ୍‌ର ଅଧା ମିଳିବ ପେନ୍‌ସନ୍‌; NPSଠୁ କେତେ ଭଲ UPS ? ଜାଣନ୍ତୁ...

ଆସନ୍ତା ଆର୍ଥିକ ବର୍ଷରୁ କେନ୍ଦ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ୟୁନିଫାଏଡ୍ ପେନସନ ସ୍କିମ୍- UPS। ଯେଉଁଥିରେ ୨୫ ବର୍ଷର ଚାକିରିଆ ଅବସର ପରେ ମୂଳ ଦରମାର ଅଧା ପେନସନ ଆକାରରେ ପାଇବେ। ତେବେ ୨୦୦୪ରୁ ଲାଗୁ ହୋଇଥିବା ନ୍ୟାସନାଲ୍ ପେନସନ୍ ସିଷ୍ଟମ ତୁଳନାରେ ଏହା କେତେ ଫାଇଦାଜନକ ? ଏହାକୁ ନେଇ କର୍ମଚାରୀଙ୍କ ମତ କ’ଣ ? ଜାଣନ୍ତୁ...

ଆସନ୍ତା ଏପ୍ରିଲରୁ ଲାଗୁ ହେବ ନୂଆ ପେନସନ୍ ଯୋଜନା- ୟୁନିଫାଏଡ୍ ପେନସନ୍ ସ୍କିମ୍ ବା UPS। ଯେଉଁଥିରେ ଉପକୃତ ହେବେ ଦେଶର ୨୩ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ। ଯଦି ରାଜ୍ୟଗୁଡ଼ିକ ଏହାକୁ ଲାଗୁ କରନ୍ତି ତାହେଲେ ହିତାଧିକାରୀଙ୍କ ସଂଖ୍ୟା ୯୦ ଲକ୍ଷକୁ ବଢ଼ିଯିବ। ୨୦୦୪ରୁ ଦେଶରେ ନ୍ୟାସନାଲ୍ ପେନସନ୍ ସିଷ୍ଟମ ବା NPS ଲାଗୁ ହୋଇଥିବା ବେଳେ କାହିଁକି ଆବଶ୍ୟକ ପଡ଼ିଲା UPS ? ବିଶେଷଜ୍ଞଙ୍କ ମତରେ, NPS ତୁଳନାରେ ଢେର ଫାଇଦା ଦେବ UPS। ୨୦୦୪ ଜାନୁଆରୀ ପରେ ଚାକିରିରେ ଯୋଗ ଦେଇଥିବା କର୍ମଚାରୀ ଏହି ଯୋଜନାରେ ସାମିଲ ହୋଇପାରିବେ। NPSର ଜମାରାଶି ମାର୍କେଟ୍ ଲିଙ୍କଡ୍ ଥିବାରୁ ଜଣେ ହିତାଧିକାରୀ କେତେ ପେନସନ ପାଇବେ ତାହା ପୂର୍ବ ନିର୍ଦ୍ଧାରିତ ନ ଥିଲା। କିନ୍ତୁ UPS ହିତାଧିକାରୀ ୨୫ ବର୍ଷ ଚାକିରି କରିଥିଲେ, ଅବସର ପୂର୍ବରୁ ଶେଷ ୧୨ ମାସର ମୌଳିକ ବେତନର ହାରାହାରି ରାଶିର ୫୦ ପ୍ରତିଶତ ପେନସନ ଆକାରରେ ପାଇବେ। 

ଏମିତିକି ଜଣେ ୧୦ ବର୍ଷ ଚାକିରି ପରେ ଅବସର ନେଇଥିଲେ, ମାସିକ ୧୦ ହଜାର ଟଙ୍କାର ସର୍ବନିମ୍ନ ପେନସନ ପାଇବେ, ଯାହା NPSରେ ନଥିଲା। ସେହିଭଳି NPSରେ ସରକାରଙ୍କ ଅବଦାନ ୧୪ ପ୍ରତିଶତ ଥିଲା ବେଳେ ୟୁପିଏସ୍‌ରେ ଏହା ୧୮.୫ ପ୍ରତିଶତ ରହିବ। କିନ୍ତୁ NPS ଭଳି ୟୁପିଏସ୍‌ରେ ମଧ୍ୟ କର୍ମଚାରୀଙ୍କ ଅବଦାନ ୧୦ ପ୍ରତିଶତ ରହିବ। UPS  ପେନସନଭୋଗୀଙ୍କ ମୃତ୍ୟୁ କ୍ଷେତ୍ରରେ ମୃତ୍ୟୁ ସମୟରେ ସେ ଯେତିକି ପେନସନ ପାଉଥିଲେ, ତାର ୬୦ ପ୍ରତିଶନ ପେନସନ୍ ତାଙ୍କ ପରିବାରକୁ ମିଳିବ। ତେବେ କର୍ମଚାରୀମାନେ NPS କିମ୍ବା UPSରେ ରହିବେ, ତାହା ସେମାନଙ୍କ ଇଛାଧୀନ। ତେବେ ଏହି ବ୍ୟବସ୍ଥାକୁ କେବଳ ସରକାରୀ କର୍ମଚାରୀଙ୍କ ମଧ୍ୟରେ ସୀମିତ ନ ରଖି, କର୍ପୋରେଟ୍  ଜଗତରେ ମଧ୍ୟ ଲାଗୁ କରାଯାଉ ବୋଲି ମତ ରଖିଛନ୍ତି ବିଶେଷଜ୍ଞ।

୨୦୦୪ରେ NPS ଲାଗୁ ହେବା ପରଠାରୁ ଦେଶବ୍ୟାପୀ ସରକାରୀ ଚାକିରିଆ ଏହାକୁ ପ୍ରତ୍ୟାହାର କରି ପୁରୁଣା ପେନସନ ସ୍କିମ ଲାଗୁ ପାଇଁ ଦାବି କରିଆସୁଛନ୍ତି। ଏବେ କେନ୍ଦ୍ର ସରକାର ନୂଆ ପେନସନ ସ୍କିମ୍ ଘୋଷଣା କରିବା ପରେ ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ମିଶ୍ର ପ୍ରତିକ୍ରିୟା। କେତେକ କର୍ମଚାରୀ ସଂଘ UPSକୁ ସ୍ବାଗତ କରିବା ସହ ଏହା ତୁରନ୍ତ ରାଜ୍ୟରେ ମଧ୍ୟ ଲାଗୁ ହେବ ବୋଲି ଆଶା ବାନ୍ଧିଛନ୍ତି। ଅନ୍ୟପକ୍ଷରେ ଅନ୍ୟ କେତେକ କର୍ମଚାରୀ ସଂଘ କହିଛନ୍ତି, କର୍ମଚାରୀମାନେ ଦେବାକୁ ଥିବା ୧୦ ପ୍ରତିଶତ ଅବଦାନ, ଅବସର ବେଳେ ଫେରସ୍ତ ମିଳିବ କି ନାହିଁ, UPSରେ ତାହାର କୌଣସି ସ୍ପଷ୍ଟତା ନାହିଁ। ଏହାଛଡ଼ା ପୁରୁଣା ପେନସନ ସ୍କିମ୍ ପୁଣିଥରେ ଲାଗୁ ପାଇଁ ଦାବି ରଖିଛନ୍ତି।