୩ ଘଣ୍ଟାର ବର୍ଷାରେ ଉବୁଟୁବୁ ବାରିପଦା ସହର, ଜବରଦଖଲକାରୀଙ୍କ କବଳରେ ଛୋଟ ଓ ବଡ଼ ନାଳ…
ବାରିପଦା: ବୁଧବାର ଅପରାହ୍ନରେ ତିନି ଘଣ୍ଟା ଲଗାଣ ବର୍ଷାରେ ବାରିପଦା ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ଛୋଟ ଓ ବଡ଼ ନାଳ ଗୁଡ଼ିକ ଜବରଦଖଲକାରୀଙ୍କ କବଳରେ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଲୋକଙ୍କ ଘରେ ପଶିବା ସହିତ ୱାର୍ଡ ନମ୍ବର ୭, ୮, ୯, ୧୫, ୧୭ ଆଦି ଅନେକ ୱାର୍ଡର ରାସ୍ତା ଉପରେ ବର୍ଷାପାଣି ପ୍ରବାହିତ ହେବାରୁ ଉତ୍ତେଜନା ପ୍ରକାଶ ପାଇଛି। ମଧୁବନ ଓ ତକତପୁର ଠାରେ ଲୋକମାନେ ରାସ୍ତା […]

ବାରିପଦା: ବୁଧବାର ଅପରାହ୍ନରେ ତିନି ଘଣ୍ଟା ଲଗାଣ ବର୍ଷାରେ ବାରିପଦା ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ଛୋଟ ଓ ବଡ଼ ନାଳ ଗୁଡ଼ିକ ଜବରଦଖଲକାରୀଙ୍କ କବଳରେ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଲୋକଙ୍କ ଘରେ ପଶିବା ସହିତ ୱାର୍ଡ ନମ୍ବର ୭, ୮, ୯, ୧୫, ୧୭ ଆଦି ଅନେକ ୱାର୍ଡର ରାସ୍ତା ଉପରେ ବର୍ଷାପାଣି ପ୍ରବାହିତ ହେବାରୁ ଉତ୍ତେଜନା ପ୍ରକାଶ ପାଇଛି। ମଧୁବନ ଓ ତକତପୁର ଠାରେ ଲୋକମାନେ ରାସ୍ତା ଅବରୋଧ କରିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।
ପ୍ରଶାସନ, ପୁଲିସ ଓ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ତତ୍କାଳ ଜଳ ନିଷ୍କାସନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଗୁରୁବାର ଏହିସବୁ ସ୍ଥାନମାନଙ୍କରେ ଜବରଦଖଲରେ ଥିବା ନାଳ ଗୁଡ଼ିକୁ ବାଧା ମୁକ୍ତ କରିବା ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ନଗରପାଳ ଶ୍ରୀ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।
ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ବାରିପଦା ସହର ପୁଣି ଜଳମଗ୍ନ ହୋଇଛି। ସହରର ପ୍ରବାହିତ ନାଳ, ମହାନାଳ ଗୁଡିକ ସଙ୍କୁଚିତ ହେବାରେ ଲାଗିଛି। କେଉଁଠି ଜବର ଦଖଲ ହେଲାଣି ତ କେଉଁଠି ନଦୀ ପଠା ଅନାବନା ଗଛ, ଦଳ ଓ ପଙ୍କରେ ଭର୍ତ୍ତି ହୋଇଗଲାଣି। ପ୍ରଶାସନିକ ଉଦାସୀନତା ପାଇଁ ବାରିପଦା ସହରବାସୀ ବର୍ତ୍ତମାନ ଚିନ୍ତିତ ହେଉଛନ୍ତି। ୨୦୧୩ ଫାଇଲିନ ହୋଇଥିବା ବେଳେ ବନ୍ୟା ବିଭିଷିକା କଥା ମନେ ପକାଇ ପୁଣି ସହରବାସୀ ଡରିଲେଣି।
ବାରିପଦା ସହର ମଧ୍ୟରେ ବୁଢାବଳଙ୍ଗ ନଦୀ ସହ ତାହାର ୩ଟି ଶାଖା ନଦୀ ଜରାଳୀ, ସରାଳୀ ଓ ସୁକ୍ଯୋଡ ପ୍ରବାହିତ ହେଉଛି। ବାରିପଦା ପୋୖରପାଳିକାର ସମସ୍ତ ୨୮ଟି ୱାର୍ଡରୁ ନିଷ୍କାସିତ ଦୂଷିତ ଜଳ, ବର୍ଷା ଜଳ ସମସ୍ତ ଡ୍ରେନରେ ଯାଇ ଉକ୍ତ ଜରାଳୀ, ସରାଳୀ ଓ ଶୁକ୍ଯୋଡ ମହାନାଳରେ ମିଶିଥାଏ। ଏବେ ଜବରଦଖଲ ଓ ଗଛଲତାରେ ପରିପୂର୍ଣ୍ଣ ହୋଇ ପୁଣି ନଦୀ ସବୁ ଛୋଟିଆ ନାଳରେ ପରିଣତ ହେବାକୁ ଲାଗିଲାଣି। ନଦୀ କଡ଼ରୁ ପାଚେରୀ କରି ନଦୀ ପଠାକୁ ଲୋକେ ଜବର ଦଖଲ କରି ସାରିଲେଣି। ଯାହା ପ୍ରତି ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡୁନାହିଁ। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗିରହିଥିବା ବେଳେ ପୁଣି ସେହି ୨୦୧୩ ଫାଇଲିନ ପରିସ୍ଥିତି ବାରିପଦା ସହରରେ ସୃଷ୍ଟି ହେବାର ଆଶଙ୍କା ସହର ବାସୀ ଚିନ୍ତିତ କରିଛି। ତେବେ ଘଟଣା ସମ୍ପର୍କରେ ଅତିଶୀଘ୍ର ହିଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରି ରାସ୍ତା ଅବରୋଧ କରିଥିବା ବେଳେ ବୁଝାସୁଝା କରିବା ପରେ ଆନ୍ଦୋଳନ ଥମି ଥିଲା। ବାରିପଦା ପୌରପରିଷଦ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଜବରଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି।