୪ ଥର ବିଧାୟକ ପରେ ବି ମୋହନଙ୍କ ଚାଳ ଛପର ଘର !
ଯେତେବେଳେ ଟିଭିରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ମୋହନ ମାଝି ବୋଲି ଘୋଷଣା ହେଲା, ସେତେବେଳେ ତାଙ୍କ ପାଦ ଆଉ ତଳେ ରହିଲା ନାହିଁ ।
‘ସେ ଭାରି ଭଲ ଲୋକ । ଗର୍ବ ଅହଙ୍କାର ନାହିଁ । ଗରିବ ଘରର ପିଲା । ପ୍ରରିଶ୍ରମୀ ପିଲା । କାମିକିଆ ପିଲା । ଆମେ ଗୋଟେ ସ୍କୁଲରେ ପଢ଼ୁଥିଲୁ । ପୋଖରୀରେ ମିଶିକି ଗାଧୋଉଥିଲୁ । ମାଛ ଧରୁଥିଲୁ । ବାଟି ଖେଳୁଥିଲୁ । ତିହିରି ଖେଳୁଥିଲୁ । ସେ ଭାରି ସରଳ । ଏବେ ବି ତାଙ୍କର ଚାଳଛପର ଘର ଅଛି ।’ ଆମେ ରାତିରେ ପାଠ ପଢ଼ି ସକାଳୁ ଡେରିରେ ଉଠୁଥିଲେ, ତାଙ୍କ ବାପା ଆମକୁ ଡାକପକାଇ ଉଠାଇଦେଉଥିଲେ। ସେତେବେଳେ ତାଙ୍କ ବାପା ସ୍କୁଲ୍ ପିଅନ ଭାବେ କାମ କରୁଥିଲେ। ପିଲାଟି ବେଳୁ ମୋହନ ଜାଣିଛନ୍ତି ସଂଘର୍ଷ କ’ଣ।
ଅଧିକ ପଢ଼ନ୍ତୁ: ଓଡ଼ିଶାର ମଙ୍ଗ ଧରିଲେ ମୋହନ ମାଝୀ; ଆସନ୍ତୁ ଜାଣିବା ତାଙ୍କର ପୂରା ରାଜନୈତିକ କ୍ୟାରିୟର୍
ଏତିକି କହୁ କହୁ ଆଖି ଛଳ ଛଳ କରି ପକାଇଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପିଲା ବେଳର ସାଙ୍ଗ ଅକ୍ଷୟ କୁମାର ବେହେରା । ଆଉ ସେଇ ପୁରୁଣା କଥାକୁ ଯେମିତି ଗୋଟି ଗୋଟି କରି ମନେ ପକାଇଲେ । ନୂଆ ମୁଖ୍ୟମନ୍ତ୍ରୀ ପଦ ଘୋଷଣା ହେବା ପରଠାରୁ ତାଙ୍କ ଖୁସି କହିଲେ ନସରେ । ଆଖିରେ ଆଖିଏ ଖୁସି । ଯେତେବେଳେ ଟିଭିରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ମୋହନ ମାଝି ବୋଲି ଘୋଷଣା ହେଲା, ସେତେବେଳେ ତାଙ୍କ ପାଦ ଆଉ ତଳେ ରହିଲା ନାହିଁ । ତୁରନ୍ତ ଗାଁର କିଛି ସାଙ୍ଗସାଥିଙ୍କ ସହ ପୁରୀ ଅଭିମୁଖେ ବାହାରିଥିଲେ । ଅଧ ରାତିରେ ଆସି ପୁରୀରେ ପହଞ୍ଚିଥିଲେ । ଆଉ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।
ଅକ୍ଷୟ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝି ପିଲା ବେଳର ସାଙ୍ଗ । ରାଇକଳାରେ ଗୋଟିଏ ସ୍କୁଲରେ ପାଠ ପାଢ଼ୁଥିଲେ । ବଡ଼ ହେଲା ପରେ ମୋହନ ଶିଶୁମନ୍ଦିର ସ୍କୁଲରେ ଶିକ୍ଷକତା ବି କରିଥିଲେ। ତାପରେ କିଛି ବର୍ଷ ପରେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ସରପଞ୍ଚ ହୋଇଥିଲେ । ତାପରେ ସେ ଆଉ ପଛକୁ ଚାହିଁନଥିଲେ । ତାଙ୍କ ରାଜନୈତିକ ଜୀବନ ଆଗେଇ ଚାଲିଥିଲା । ଆଉ ଆଜି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ।
କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ଏବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ଆଜି ଅପରାହ୍ନରେ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିବେ। ଏଥିଲାଗି ଭୁବନେଶ୍ୱର ଜନତା ମଇଦାନରେ ହୋଇଛି ଭବ୍ୟ ଆୟୋଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ।
ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାଁ ଘୋଷଣା ହେବା ପରେ ତାଙ୍କୁ ଅର୍ଡର ଅଫ୍ ଆପଏଣ୍ଟମେଣ୍ଟ ପ୍ରଦାନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ଏଥିସହ ତାଙ୍କୁ ରାଜ୍ୟରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ସହ ୨ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା ହୋଇଛି। ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଏବଂ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ହେବେ ଉପମୁଖ୍ୟମନ୍ତ୍ରୀ।
ଅଧିକ ପଢ଼ନ୍ତୁ: କନକବର୍ଦ୍ଧନ ଓ ପ୍ରଭାତୀ ପରିଡ଼ା ହେଲେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ; କେମିତି ଥିଲା ତାଙ୍କର ରାଜନୈତିକ ଯାତ୍ରା, ଜାଣନ୍ତୁ...
ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ପ୍ରଥମ ସମ୍ବୋଧନରେ କହିଛନ୍ତି, ଓଡ଼ିଶାବାସୀ ଯେଉଁ ଆଶା ଆକାଂକ୍ଷା ନେଇ ୨୪ ବର୍ଷର ସରକାରକୁ ବଦଳାଇଛନ୍ତି ଏବଂ ଓଡ଼ିଶାର ବିକାଶ ପାଇଁ ବିଜେପି ପ୍ରତି ଆସ୍ଥା ପ୍ରକଟ କରିଛନ୍ତି, ଆଗାମୀ ଦିନରେ ବିଜେପି ତାହାକୁ ନିଶ୍ଚିତ ରୂପେ ପୂରଣ କରିବ। ଏଥିସହ ଓଡ଼ିଶାକୁ ଭାରତର ୧ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ସଂକଳ୍ପ ନେଉଛି ବୋଲି କହିଛନ୍ତି ମୋହନ ମାଝୀ।
ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କ ସହ ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀ, ଲୋକସଭା ସାଂସଦ ଓ ବିଧାୟକମାନେ ଯୋଗ ଦେଇଥିଲେ। ଘଣ୍ଟାଏରୁ ଅଧିକ ସମୟର ବୈଠକ ପରେ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଥିଲେ ରାଜନାଥ ସିଂ।