୪ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସେମାନଙ୍କ ମଧ୍ୟରେ ଖ୍ୟାତନାମା ଆଇନଜୀବୀ ଉଜ୍ଜ୍ୱଳ ନିକମ, ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଳା, ବରିଷ୍ଠ ସମାଜସେବୀ ସି ସଦାନନ୍ଦନ ମାଷ୍ଟର ଓ ବିଶିଷ୍ଟ ଐତିହାସିକ ମୀନାକ୍ଷୀ ଜୈନ ରହିଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ଏହି ୪ ଜଣଙ୍କ ନାମ ଘୋଷଣା କରାଯାଇଛି। ଅନ୍ୟ ରାଜ୍ୟସଭା ସାଂସଦଙ୍କ ଭଳି ସେମାନଙ୍କ କାର୍ଯ୍ୟକାଳ ମଧ୍ୟ ୬ ବର୍ଷ […]

୪ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସେମାନଙ୍କ ମଧ୍ୟରେ ଖ୍ୟାତନାମା ଆଇନଜୀବୀ ଉଜ୍ଜ୍ୱଳ ନିକମ, ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଳା, ବରିଷ୍ଠ ସମାଜସେବୀ ସି ସଦାନନ୍ଦନ ମାଷ୍ଟର ଓ ବିଶିଷ୍ଟ ଐତିହାସିକ ମୀନାକ୍ଷୀ ଜୈନ ରହିଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ଏହି ୪ ଜଣଙ୍କ ନାମ ଘୋଷଣା କରାଯାଇଛି। ଅନ୍ୟ ରାଜ୍ୟସଭା ସାଂସଦଙ୍କ ଭଳି ସେମାନଙ୍କ କାର୍ଯ୍ୟକାଳ ମଧ୍ୟ ୬ ବର୍ଷ ରହିବ। ସମ୍ବିଧାନର ଧାରା ୮୦(୧) ଏବଂ ସେହି ଧାରାର କ୍ଲଜ୍‌ -୩ ଅନୁଯାୟୀ ରାଷ୍ଟ୍ରପତି ଏହି ବ୍ୟକ୍ତିମାନଙ୍କୁ ମନୋନୀତ କରିଛନ୍ତି। ବରିଷ୍ଠ ଆଇନଜୀବୀ ଉଜ୍ଜ୍ୱଳ ନିକମଙ୍କୁ ଆଇନ ସେବାରେ ଶ୍ରେଷ୍ଠତା ପାଇଁ ମନୋନୀତ କରାଯାଇଛି। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଏବଂ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ଅଜମଲ କସାବ ବିରୋଧରେ ସେ ମାମଲା ପରିଚାଳନା କରୁଥିଲେ। ପୂର୍ବତନ ବୈଦେଶିକ ସଚିବ ତଥା ଆମେରିକା ଓ ବାଂଲାଦେଶରେ ଭାରତର ରାଷ୍ଟ୍ରଦୂତ ରହିଥିବା ହର୍ଷବର୍ଦ୍ଧନ ଶ୍ରୀଙ୍ଗଳାଙ୍କୁ କୂଟନୈତିକ ସେବାରେ ଅବଦାନ ପାଇଁ ମନୋନୀତ କରାଯାଇଛି। ଜାନୁଆରି ୨୦୨୦ରୁ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ସେ ଭାରତର ବୈଦେଶିକ ସଚିବ ଥିଲେ ଏବଂ ବୈଦେଶିକ ନୀତିର ଅନେକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ସି. ସଦାନନ୍ଦନ ମାଷ୍ଟର ହେଉଛନ୍ତି କେରଳର ବରିଷ୍ଠ ସମାଜସେବୀ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ତୃଣମୂଳ ସ୍ତରରେ ଶିକ୍ଷା ଓ ସାମାଜିକ ସଚେତନତା ପାଇଁ ସେ ବିଭିନ୍ନ ଅଭିଯାନର ନେତୃତ୍ୱ ନେଉଛନ୍ତି। ରାଜ୍ୟସଭାକୁ ମନୋନୀତ ହୋଇଥିବା ଅନ୍ୟତମ ବ୍ୟକ୍ତିତ୍ବ ହେଲେ ଖ୍ୟାତନାମା ଐତିହାସିକ ତଥା ଶିକ୍ଷାବିତ୍ ଡକ୍ଟର ମୀନାକ୍ଷୀ ଜୈନ। ଭାରତୀୟ ଇତିହାସ ଓ ସାଂସ୍କୃତିକ ଅଧ୍ୟୟନରେ ତାଙ୍କର ବିଶେଷ ଅବଦାନ ପାଇଁ ସେ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ।