୪.୨୭ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଟ୍ରାଫିକ ଇନ୍‌ସପେକ୍ଟର

ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

୪.୨୭ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଟ୍ରାଫିକ ଇନ୍‌ସପେକ୍ଟର

ନଗଦ ୪.୨୭ ଲକ୍ଷ ଟଙ୍କା ସହ ଧରାପଡ଼ିଛନ୍ତି ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର। ସେ କାର ଯୋଗେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ କଟକ ନିକଟସ୍ଥ ବିରିବାଟିର ତାରିଣୀ ଛକରେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ଥିଲା। 

ଯାଞ୍ଚ ବେଳେ ତାଙ୍କ ପାଖରୁ ନଗଦ ୪.୨୭ ଲକ୍ଷ ଟଙ୍କା ମିଳିଥିଲା। ସେ ଏହି ଟଙ୍କା କେଉଁଠାରୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଥିଲେ ବୋଲି ଭିଜିଲାନ୍ସ ଟିମ୍ ପଚାରିଥିଲେ। ତେବେ ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର ଭିଜିଲାନ୍ସ ଅଧିକାରୀମାନଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ତେଣୁ ଭିଜିଲାନ୍ସ ଉକ୍ତ ଟଙ୍କାକୁ ଜବତ କରିଥିଲା।

ଏହା ପରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହ କରି ଏହି ଚଢ଼ାଉ କରାଯାଇଛି। ଅନ୍ୟପକ୍ଷରେ ସେ କେଉଁଠାରୁ ୪.୨୭ ଲକ୍ଷ ଟଙ୍କା ଆଣିଛନ୍ତି, ସେ ସଂପର୍କରେ ଜାଣିବା ପାଇଁ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।