୪୫ ବର୍ଷରେ କପିଳାସ ପ୍ରାଣୀ ଉଦ୍ୟାନ
ଢେଙ୍କାନାଳ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କପିଳାସରେ ଥିବା ପ୍ରାଣୀ ଉଦ୍ୟାନ ୪୫ ବର୍ଷରେ ପଦାର୍ପଣ କରିଛି। ୧୯୭୯ ମସିହା ଜାନୁଆରୀ ୨୬ରେ ସବୁଜିମାମୟ କପିଳାସର ପାଦ ଦେଶରେ ୫ ହେକ୍ଟର ଜାଗାରେ ଡିଅର ପାର୍କରୁ ଏହି ପ୍ରାଣୀ ଉଦ୍ୟାନ ଆରମ୍ଭ ହୋଇଥିଲା। ଏହାପରେ ଦେବୋତ୍ତର ବିଭାଗ ଏବଂ କପିଳାସ ସଂରକ୍ଷିତ ଜଙ୍ଗଲର କିଛି ଅଞ୍ଚଳକୁ ନେଇ ୨୬.୬୪ ହେକ୍ଟରକୁ ଏହା ସମ୍ପ୍ରସାରିତ ହୋଇଥିଲା। ୧ ଏପ୍ରିଲ ୧୯୮୬ରେ ଏହା ମିନି ଜୁ ଭାବେ ମାନ୍ୟତା ପାଇଥିଲା। ଏହି […] The post ୪୫ ବର୍ଷରେ କପିଳାସ ପ୍ରାଣୀ ଉଦ୍ୟାନ appeared first on Dharitri Odia News.
ଢେଙ୍କାନାଳ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କପିଳାସରେ ଥିବା ପ୍ରାଣୀ ଉଦ୍ୟାନ ୪୫ ବର୍ଷରେ ପଦାର୍ପଣ କରିଛି। ୧୯୭୯ ମସିହା ଜାନୁଆରୀ ୨୬ରେ ସବୁଜିମାମୟ କପିଳାସର ପାଦ ଦେଶରେ ୫ ହେକ୍ଟର ଜାଗାରେ ଡିଅର ପାର୍କରୁ ଏହି ପ୍ରାଣୀ ଉଦ୍ୟାନ ଆରମ୍ଭ ହୋଇଥିଲା। ଏହାପରେ ଦେବୋତ୍ତର ବିଭାଗ ଏବଂ କପିଳାସ ସଂରକ୍ଷିତ ଜଙ୍ଗଲର କିଛି ଅଞ୍ଚଳକୁ ନେଇ ୨୬.୬୪ ହେକ୍ଟରକୁ ଏହା ସମ୍ପ୍ରସାରିତ ହୋଇଥିଲା। ୧ ଏପ୍ରିଲ ୧୯୮୬ରେ ଏହା ମିନି ଜୁ ଭାବେ ମାନ୍ୟତା ପାଇଥିଲା। ଏହି ପ୍ରାଣୀ ଉଦ୍ୟାନରେ ୨୪୭ଟି ଜୀବଜନ୍ତୁ ରହିଛନ୍ତି।
୨୦୦୯ ମସିହାରେ ଏହି ପ୍ରାଣୀ ଉଦ୍ୟାନ ପରିସରରେ ଏକ ହାତୀ ଉଦ୍ଧାର କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ଢେଙ୍କାନାଳ ସମେତ ବିଭିନ୍ନ ଜିଲାରୁ ଉଦ୍ଧାର ହାତୀଛୁଆ ଓ ଉପଦ୍ରବ କରୁଥିବା ହାତୀଙ୍କୁ ଆଣି ଏଠାରେ ରଖାଯିବାର ବ୍ୟବସ୍ଥା ହୋଇଥିଲା। ଏହି ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରରେ ବର୍ତ୍ତମାନ ୭ଟି ହାତୀ ରହିଛନ୍ତି। ଏତଦ୍ବ୍ୟତୀତ ଏହା ମଧ୍ୟରେ ଏକ ସ୍ବତନ୍ତ୍ର ଏନ୍କ୍ଲୋଜର ରହିଛି। ଏକଦା ତାଳଚେର ଓ ଢେଙ୍କାନାଳ ଜିଲାର ପରଜଙ୍ଗ ଅଞ୍ଚଳରେ ଉପଦ୍ରବ କରି ୧୨ଜଣଙ୍କ ଜୀବନ ନେଇଥିବା ଦନ୍ତାହାତୀ ରାକେଶକୁ ତାର ସ୍ବଭାବରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଏହି ସ୍ବତନ୍ତ୍ର ଏନ୍କ୍ଲୋଜରରେ ରଖାଯାଇଛି। ଏତଦ୍ବ୍ୟତୀତ ଏହି ଚିଡିଆଖାନାରେ ୧୩୦ ହରିଣ ରହିଥିବା ବେଳେ ଶମ୍ବର, ଭାଲୁ, ମିଥୁନ ଗାଈ, ଜଙ୍ଗଲୀ ବାର୍ହା, କୁମ୍ଭୀର, ଅହିରାଜ ଓ କଇଁଛ, ଠେକୁଆ, ମୟୂର, ପେଚା, ଏମୁ ଆଦି ରହିଛନ୍ତି ା ବୋଟିଂ ପାଇଁ ଏକ ଜଳାଶୟ ରହିଛି। ପ୍ରାଣୀ ଉଦ୍ୟାନ ଭ୍ରମଣ ପାଇଁ ଜଣକ ପିଛା ଟିକେଟ୍ ମୂଲ୍ୟ ୨୦ଟଙ୍କା ଲେଖାଏ ରଖାଯାଇଥିବା ବେଳେ ବୋଟିଂ ପାଇଁ ୫୦ ଟଙ୍କା ରଖାଯାଇଛି। ସେହିପରି ପ୍ରାଣୀ ଉଦ୍ୟାନରେ ୨୪୭ଟି ଜୀବଜନ୍ତୁ ଓ ହାତୀ ଉଦ୍ଧାର କେନ୍ଦ୍ରରେ ୭ ହାତୀ ରହିଛନ୍ତି। ହାତୀ ଉଦ୍ଧାର କେନ୍ଦ୍ରରେ ହାତୀଙ୍କୁ ତାଲିମ ପାଇଁ କ୍ରଲ୍ ଏବଂ ଆସାମରୁ ତାଲିମପ୍ରାପ୍ତ ୫ଜଣ ମାହୁନ୍ତ ଅଛନ୍ତି।
ତେବେ ଏହାର ବିକାଶ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବନବିଭାଗ ସମେତ ଜୁ ଅଥରିଟି ଅଫ୍ ଇଣ୍ଡିଆର ଆନ୍ତରିକତା ଅଭାବ ପରିଲକ୍ଷିତ ହେଉଛି। ଫଳରେ ଏହା ଯେତିକି ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା କଥା ତାହା ଦେଖାଯାଉ ନାହିଁ। ସେହିପରି ପ୍ରତିବର୍ଷ ଅଧିକ ପ୍ରାଣୀଙ୍କୁ ଆଣିବା ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତାବ ଯାଉଥିଲେ ମଧ୍ୟ ଏ ସମ୍ପର୍କରେ ରାଜ୍ୟ ବନବିଭାଗ କର୍ତ୍ତୃପକ୍ଷ ଆନ୍ତରିକତା ପ୍ରଦର୍ଶନ କରୁ ନ ଥିବା ଆଲୋଚନା ହେଉଛି। ଏଥିସହ ଜରୁରୀ ସମୟରେ ହାତୀ ଓ ଜୀବଜନ୍ତୁଙ୍କ ଚିକିତ୍ସା ପାଇଁ ଜଣେ ଠିକା ପ୍ରାଣୀ ଚିକିତ୍ସକ ରହିଛନ୍ତି। ତାଲିମପ୍ରାପ୍ତ କର୍ମଚାରୀ ମଧ୍ୟ ନାହାନ୍ତି। ଫଳରେ ଆବଶ୍ୟକସ୍ଥଳେ ସାତକୋଶିଆ କିମ୍ବା ନନ୍ଦନକାନନର ଚିକିତ୍ସା ବିଶେଷଜ୍ଞଙ୍କ ଉପରେ ବନବିଭାଗ ନିର୍ଭର କରୁଛି। ଏ ସଂକ୍ରାନ୍ତରେ କପିଳାସ ରେଞ୍ଜର ତରୁଣ କୁମାର ମହାନ୍ତି କହିଛନ୍ତି, ବହୁଦିନ ହେବ ୫ଟି କେଜ୍ ନିର୍ମାଣ ହୋଇ ରହିଛି। ପ୍ରତିବର୍ଷ ଅନ୍ୟ ପ୍ରକାରର ପ୍ରାଣୀଙ୍କୁ ଆଣିବା ପାଇଁ ପ୍ରସ୍ତାବ ଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ କୌଣସି ନିର୍ଦ୍ଦେଶନାମା ଆସିନାହିଁ। ପର୍ଯ୍ୟାପ୍ତ ଭିତ୍ତିଭୂମି ଓ ପ୍ରକୃତି କୋଳରେ ରହିଥିବା ଏହି କପିଳାସ ପ୍ରାଣୀ ଉଦ୍ୟାନର ବିକାଶ କରିବା ସହିତ ଅଧିକ ପ୍ରାଣୀଙ୍କୁ ରଖାଯାଇପାରିଲେ ଏହା ବହୁସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହିତ ଅଧିକ ଜନାଦୃତ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।
ରିପୋର୍ଟ- ରତନ ନାୟାର, ଢେଙ୍କାନାଳ
The post ୪୫ ବର୍ଷରେ କପିଳାସ ପ୍ରାଣୀ ଉଦ୍ୟାନ appeared first on Dharitri Odia News.