୫ ବର୍ଷର ଅସୁସ୍ଥ ଝିଅକୁ ଡାକ୍ତରଖାନା ନେଉଥିଲେ ବାପା ଓ ମାମୁ, ବାଟରେ କାର ଧକ୍କାରେ ଚାଲିଗଲା ଜୀବନ
ଦୁର୍ଘଟଣା ଘଟାଇଥିବା କାର୍ଟିକୁ ପୁଲିସ ଜବତ କରିଛି। ଏହା ସହିତ କାର ଡ୍ରାଇଭର ଓ ତାଙ୍କ ସହିତ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପୁଲିସ ନିଜ ହେପାଜତକୁ ନେଇଛି।
ଗତକାଲି ବିଳମ୍ବିତ ରାତିରେ ନୋଏଡାର ସେକ୍ଟର ୨୦ରେ ଏକ ବିଏମ୍ଡବ୍ଲ୍ୟୁ କାର ଧକ୍କାରେ ଜଣେ ୫ ବର୍ଷର ଝିଅର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପା ଓ ମାମୁ ଆହତ ହୋଇଛନ୍ତି।
ମୃତ ଝିଅର ନାଁ ଆୟାତ। ତାଙ୍କ ବାପାଙ୍କ ନାଁ ଗୁଲ୍ ମହମ୍ମଦ ଓ ତାଙ୍କ ମାମୁଙ୍କ ନାଁ ରାଜା। ସେମାନେ ନୋଏଡାର ସେକ୍ଟର ୪୫ ନିକଟସ୍ଥ ସଦରପୁରର ବାସିନ୍ଦା।
ଗତକାଲି ବିଳମ୍ବିତ ରାତିରେ ଆୟାତ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଏହା ଦେଖି ତାଙ୍କ ବାପା ଓ ମାମୁ ତାଙ୍କୁ ନୋଏଡାର ସେକ୍ଟର ୩୦ ସ୍ଥିତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍ ଚାଇଲ୍ଡ ହେଲ୍ଥକୁ ନେଇଯିବାକୁ ନିଷ୍ପତ୍ତି ନେଇଥିଲେ।
ଗୁଲ ମହମ୍ମଦ ଓ ରାଜା ସ୍କୁଟରରେ ଆୟାତଙ୍କୁ ନେଇ ଡାକ୍ତରଖାନା ଅଭିମୁଖେ ଯାଇଥିଲେ। ହେଲେ ନୋଏଡାର ସେକ୍ଟର ୨୦ରେ ଏକ ବିଏମ୍ଡବ୍ଲ୍ୟୁ କାର ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଆୟାତଙ୍କର ମୃତ୍ୟୁ ହୋଇଯାଇଥିଲା। ଗୁରୁତର ଆହତ ହୋଇଥିବା ତାଙ୍କ ବାପା ଓ ମାମୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ଘଟାଇଥିବା କାର୍ଟିକୁ ପୁଲିସ ଜବତ କରିଛି। ଏହା ସହିତ କାର ଡ୍ରାଇଭର ଓ ତାଙ୍କ ସହିତ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପୁଲିସ ନିଜ ହେପାଜତକୁ ନେଇଛି। ଏହି ଦୁଇ ବ୍ୟକ୍ତି ହେଉଛି ଯଶ ଶର୍ମା ଓ ଅଭିଷେକ ରାୱତ। ଯଶଙ୍କ ଘର ନୋଏଡାର ସେକ୍ଟର ୩୭ରେ ହୋଇଥିବା ବେଳେ ଅଭିଷେକଙ୍କ ଘର ସେକ୍ଟର ୭୦ରେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।