୫୦ ଯାତ୍ରୀଙ୍କୁ ନେଇ ବ୍ରିଜ୍‌ ଉପରେ ଯାଉଥିଲା ବସ୍‌, ଘଟିଲା ଏମିତି ଘଟଣା

ଅଳ୍ପକେ ବର୍ତ୍ତି ଗଲେ ୫୦ରୁ ଅଧିକ ଯାତ୍ରୀ

୫୦ ଯାତ୍ରୀଙ୍କୁ ନେଇ ବ୍ରିଜ୍‌ ଉପରେ ଯାଉଥିଲା ବସ୍‌, ଘଟିଲା ଏମିତି ଘଟଣା

ବ୍ରିଜ୍ ଉପରେ ଯାଉଥିଲା ବସ୍‌। ବିପରୀତ ଦିଗରୁ ଆସୁଥିବା ଏକ ଡମ୍ପର ହଠାତ୍ ଏହାକୁ ଦେଇଥିଲା ଧକ୍କା। ଏଥିରେ ୨ ଜଣ ବସ୍ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କମଗରା ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଆଜି ସକାଳେ ଘଟିଛି ଏହି ଦୁର୍ଘଟଣା।

ଗୋପୀନାଥ ନାମକ ଏକ ଘରୋଇ ବସ୍ ଟାଟା ମାଇନ୍ସ ଅଞ୍ଚଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ। 

ବସ୍‌ଟି କମଗରା ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଅତିକ୍ରମ କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଡମ୍ପରର ଷ୍ଟିୟରିଂ ଛିଡ଼ି ଯାଇଥିଲା। ଫଳରେ ଡମ୍ପରଟି ବସ୍‌ଟିକୁ ଗୋଟିଏ ପାର୍ଶ୍ୱରୁ ଧକ୍କା ଦେଇଥିଲା। ଏଥିରେ ୨ ଜଣ ବସ୍ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟମାନଙ୍କର କିଛି ହୋଇନାହିଁ। ତେବେ ଅଳ୍ପକେ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଗଲା ବୋଲି କୁହାଯାଉଛି।

Accidentଦୁର୍ଘଟଣା ଘଟାଇଥିବା ଡମ୍ପର

ଏହି ଦୁର୍ଘଟଣା ପରେ କିଛି ସମୟ ପାଇଁ ବ୍ରିଜ୍ ଜାମ୍ ହୋଇଯାଇଥିଲା। ଏହାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିଲେ। ତୁମୁସିଙ୍ଗା ପୁଲିସ୍ ପହଞ୍ଚି ସ୍ଥିତିକୁ ସମ୍ଭାଳିଥିଲା। ପରେ ବ୍ରିଜ୍ ଉପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।

କାମାକ୍ଷାନଗରରୁ ବିଦ୍ୟାଧର ବରାଳଙ୍କ ରିପୋର୍ଟ