୭୩୦ ଯବାନ କରିଛନ୍ତି ଆତ୍ମହତ୍ୟା, ୫୫ ହଜାରରୁ ଅଧିକ ଦେଇଛନ୍ତି ଇସ୍ତଫା

ରାଜ୍ୟସଭାରେ ଗୃହ ମନ୍ତ୍ରଣାଳୟ ତଥ୍ୟରୁ ଚାଞ୍ଚଲ୍ୟକର ଖୁଲାସା। ଘରୁ ଛୁଟି ସାରି କାର୍ଯ୍ୟକୁ ଫେରିବା ପରେ ୮୦ ପ୍ରତିଶତ ଯବାନ ଆତ୍ମହତ୍ୟା କରିଛନ୍ତି।

୭୩୦ ଯବାନ କରିଛନ୍ତି ଆତ୍ମହତ୍ୟା, ୫୫ ହଜାରରୁ ଅଧିକ ଦେଇଛନ୍ତି ଇସ୍ତଫା

ଲମ୍ବା ସମୟ ଧରି ଡ୍ୟୁଟି ଏବଂ ନିଦ୍ରା ଅଭାବରୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (CAPF)ରେ ନିୟୋଜିତ ଯବାନମାନେ କରୁଛନ୍ତି ଆତ୍ମହତ୍ୟା। କେବଳ ଆତ୍ମହତ୍ୟା ନୁହେଁ, ବରଂ ଚାକିରି ଶେଷ ହେବା ପୂର୍ବରୁ ମଧ୍ୟ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରୁଛନ୍ତି। ବୁଧବାର ରାଜ୍ୟସଭାରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ତଥ୍ୟ ରଖିଛନ୍ତି।

ଏହି ତଥ୍ୟ ଅନୁସାରେ ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ(ସିଏପିଏଫ୍‌), ନ୍ୟାଶନାଲ୍ ସିକ୍ୟୁରିଟି ଗାର୍ଡ(ଏନ୍‌ଏସ୍‌ଜି), ଆସାମ ରାଇଫଲ୍ସ(ଏଆର୍‌) ପରି ଅର୍ଦ୍ଧସାମରିକ ବଳର ୭୩୦ ଜଣ ଯବାନ ଆତ୍ମହତ୍ୟା କରିଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୫୫,୫୫୫ ଜଣ ଯବାନ ଇସ୍ତଫା ଦେଇଛନ୍ତି କିମ୍ବା ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି। ତେବେ ଅଧିକାଂଶ ଆତ୍ମହତ୍ୟା ବ୍ୟକ୍ତିଗତ କାରଣ ଯୋଗୁ ହୋଇଥିବା ରିପୋର୍ଟରେ କୁହାଯାଇଛି। ଖାସ୍‌କରି ସ୍ତ୍ରୀ କିମ୍ବା ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ, ବୈବାହିକ ମତଭେଦ କିମ୍ବା ଛାଡପତ୍ର, ଆର୍ଥିକ ଅସୁବିଧା ଏବଂ ପିଲାମାନଙ୍କ ପାଇଁ ପର୍ଯ୍ୟାପ୍ତ ଶିକ୍ଷା ସୁଯୋଗର ଅଭାବ ଆଦି କାରଣ ଯୋଗୁ ଯବାନମାନେ ଆତ୍ମହତ୍ୟା କରୁଛନ୍ତି।

ତେବେ ଅର୍ଦ୍ଧସାମରିକ ବଳର ଯବାନମାନଙ୍କ ଆତ୍ମହତ୍ୟା ବୃଦ୍ଧିର କାରଣ ଅଧ୍ୟୟନ କରୁଥିବା ଟାସ୍କଫୋର୍ସ ରିପୋର୍ଟ ଅନୁସାରେ ଘରୁ ଛୁଟି ସାରି କାର୍ଯ୍ୟକୁ ଫେରିବା ପରେ ୮୦ ପ୍ରତିଶତ ଯବାନ ଆତ୍ମହତ୍ୟା କରିଛନ୍ତି। ଏହାକୁ ରୋକିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ‘୧୦୦ ଦିନ ଛୁଟି’ ନୀତି କାର୍ଯ୍ୟକାରୀ କରିଛନ୍ତି। CAPF ଏବଂ ଆସାମ ରାଇଫଲରେ ଆତ୍ମହତ୍ୟା ରୋକିବା ପାଇଁ ଗୃହ ମନ୍ତ୍ରଣାଳୟ ଟାସ୍କଫୋର୍ସକୁ କହିଛି। ଯବାନମାନଙ୍କ ଅଭିଯୋଗ ଜାଣିବା ଏବଂ ସମାଧାନ କରିବା ପାଇଁ ସେମାନଙ୍କ ସହ ନିୟମିତ ଆଲୋଚନା କରିବାକୁ କୁହାଯାଇଛି। ଡ୍ୟୁଟି ସମୟରେ ସେମାନଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ଏବଂ ଅବକାଶ ସୁନିଶ୍ଚିତ କରିବାକୁ କୁହାଯାଇଛି।