ଦେଶ ପାଇଁ ପଦକ ଜିତି ମୁଁ ଗର୍ବିତ: ଅମିତ୍‌

ଭୁବନେଶ୍ୱର, ୧୦।୮ (ତପନ ସ୍ବାଇଁ): ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଏହାର ସମୃଦ୍ଧ ଇତିହାସ ପୃଷ୍ଠାରେ ଏକ ନୂଆ ଫର୍ଦ୍ଦ ସଂଯୋଗ କରିଛି। ଟୋକିଓ ପରେ ପ୍ୟାରିସରେ ଅର୍ଥାତ୍‌ କ୍ରମାଗତ ୨ଟି ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଭାରତୀୟ ଦଳ ୫୨ ବର୍ଷର ପୁରୁଣା ସ୍ମୃତିକୁ ତାଜା କରିଛି। ୮ ଥର ସ୍ବର୍ଣ୍ଣ ପଦକ ବିଜେତା ଭାରତ ଏହା ପୂର୍ବରୁ ଶେଷଥର ପାଇଁ ୧୯୬୮ ଓ ୧୯୭୨ କ୍ରମାଗତ ଅଲିମ୍ପିକ୍ସରେ ବ୍ରୋଞ୍ଜ […] The post ଦେଶ ପାଇଁ ପଦକ ଜିତି ମୁଁ ଗର୍ବିତ: ଅମିତ୍‌ appeared first on Dharitri Odia News.

ଦେଶ ପାଇଁ ପଦକ ଜିତି ମୁଁ ଗର୍ବିତ: ଅମିତ୍‌

ଭୁବନେଶ୍ୱର, ୧୦।୮ (ତପନ ସ୍ବାଇଁ): ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଏହାର ସମୃଦ୍ଧ ଇତିହାସ ପୃଷ୍ଠାରେ ଏକ ନୂଆ ଫର୍ଦ୍ଦ ସଂଯୋଗ କରିଛି। ଟୋକିଓ ପରେ ପ୍ୟାରିସରେ ଅର୍ଥାତ୍‌ କ୍ରମାଗତ ୨ଟି ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଭାରତୀୟ ଦଳ ୫୨ ବର୍ଷର ପୁରୁଣା ସ୍ମୃତିକୁ ତାଜା କରିଛି। ୮ ଥର ସ୍ବର୍ଣ୍ଣ ପଦକ ବିଜେତା ଭାରତ ଏହା ପୂର୍ବରୁ ଶେଷଥର ପାଇଁ ୧୯୬୮ ଓ ୧୯୭୨ କ୍ରମାଗତ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲା। ଏହାପରେ ଥରେ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଛି ଟିମ୍‌ ଇଣ୍ଡିଆ। ଭାରତୀୟ ହକି ଦଳର ଡବଲ ବ୍ରୋଞ୍ଜ ମେଡାଲିଷ୍ଟ ପଦକ ବିଜେତାଙ୍କ ବିରଳ କ୍ଲବରେ ସାମିଲ ହୋଇଛନ୍ତି ଓଡ଼ିଶାର ତାରକା ଡିଫେଣ୍ଡର ଅମିତ ରୋହିଦାସ। ସେ ଟୋକିଓ ଅଲିମ୍ପିକ୍ସରେ ଖେଳିଥିଲେ ଏବଂ ପ୍ୟାରିସରେ ନିଜ ଦକ୍ଷତା ପ୍ରତିପାଦନ କରିଥିଲେ। କ୍ରମାଗତ ୨ ଥର ଦେଶପାଇଁ ବ୍ରୋଞ୍ଜ ପଦକ ଜିତିଥିବାରୁ ସେ ଅତ୍ୟନ୍ତ ଗର୍ବିତ ବୋଲି ସମ୍ପ୍ରତି ପ୍ୟାରିସରେ ଥିବା ଅମିତ ପ୍ରକାଶ କରିଛନ୍ତି। ସେ ଯେଉଁ କ୍ରୀଡ଼ାକୁ କ୍ୟାରିୟର କରିଛନ୍ତି ସେଥିରେ ଦେଶବାସୀଙ୍କ ମୁହଁରେ ହସ ଫୁଟାଇଥିବାରୁ ଅତ୍ୟନ୍ତ ଆନନ୍ଦିତ। ଏହା କେବଳ ଦେଶବାସୀଙ୍କ ଭଲପାଇବା ଏବଂ ଆଶୀର୍ବାଦ ଯୋଗୁ ସମ୍ଭବ ହୋଇପାରିଲା ବୋଲି ସେ କହିଛନ୍ତି। ଏପରି ସମର୍ଥନ ଏବଂ ଭଲପାଇବା ଜାରି ରହିଲେ ଆଗାମୀ ଦିନରେ ଭାରତୀୟ ହକି ଦଳ ଆହୁରି ଅଧିକ ସଫଳତା ପାଇପାରିବ। ଭାରତ ପଦକ ଜିତିଥିବାରୁ ତାଙ୍କ ପରିବାରଠାରୁ ଆରମ୍ଭ କରି ଓଡ଼ିଶା ଏବଂ ଦେଶବାସୀ ଗର୍ବ ଅନୁଭବ କରୁଛନ୍ତି। ଏହା ତାଙ୍କୁ ବହୁ ପରିମାଣରେ ଗର୍ବିତ କରିଛି ବୋଲି ଅମିତ କହିଛନ୍ତି।
ପ୍ରକାଶଯୋଗ୍ୟ ଯେ, ଗ୍ରେଟ ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲରେ ପ୍ରତିପକ୍ଷ ଖେଳାଳିଙ୍କୁ ଆଘାତ ଅଭିଯୋଗରେ ଅମିତଙ୍କୁ ରେଡ୍‌କାର୍ଡ ହୋଇଥିଲା। ଫଳରେ ସେ ଜର୍ମାନୀ ବିପକ୍ଷ ସେମିଫାଇନାଲରେ ଖେଳିପାରି ନ ଥିଲେ। ଭାରତ ଏହି ମ୍ୟାଚରେ ହାରି ଯାଇଥିଲା। ଅମିତ ରେଡ୍‌କାର୍ଡ ପାଇବାଭଳି ସେମିତି କିଛି ଅପରାଧ କରି ନ ଥିଲେ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି। ସେ ହେଉଛନ୍ତି ଭାରତୀୟ ଦଳର ପ୍ରଥମ ରଶର। ପେନାଲ୍ଟି କର୍ନର ଶୁଟ୍‌ବେଳେ ତାହାକୁ ପ୍ରତିରୋଧ କରିବାରେ ରଶରଙ୍କର ବଡ଼ ଭୂମିକା ଥାଏ। ଅମିତ ଥିଲେ ହୁଏତ ଭାରତ ସେମିଫାଇନାଲରେ ହାରି ନ ଥାନ୍ତା ଏବଂ ପଦକର ରଙ୍ଗ ଭିନ୍ନ ହୋଇଥାନ୍ତା ବୋଲି ମତପ୍ରକାଶ ପାଇଛି। କାରଣ ସ୍ପେନ୍‌ ବିପକ୍ଷ ବ୍ରୋଞ୍ଜ ପଦକ ମୁକାବିଲାରେ ପେନାଲ୍ଟି କର୍ନର ଶୁଟ୍‌ ସମୟରେ ରକ୍ଷଣଭାଗରେ ଗୋଲକିପର ପି.ଆର. ଶ୍ରୀଜେଶ୍‌ଙ୍କ ସହ ପାହାଡ଼ ସଦୃଶ ଦଣ୍ଡାୟମାନ ହୋଇଥିଲେ ଅମିତ। ଭାରତକୁ ବ୍ରୋଞ୍ଜ ପଦକ ଜିତାଇବାରେ ତାଙ୍କର ବଡ଼ ଭୂମିକା ରହିଥିଲା। ଭାରତ ଏହା ପୂର୍ବରୁ ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଓ ୧୯୮୦ରେ ୮ ଥର ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ୧୯୬୦ରେ ରୌପ୍ୟ ଏବଂ ୧୯୬୮, ୧୯୭୨ ଓ ୨୦୨୦ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲା। ପ୍ୟାରିସରେ ଭାରତ ବ୍ରୋଞ୍ଜ ପଦକ ଜିତିଥିବାରୁ ଅମିତଙ୍କ କ୍ୟାରିୟର ଅଧିକ ରୁଦ୍ଧିମନ୍ତ ହୋଇଛି। ରାଜ୍ୟର ପ୍ରଥମ ଖେଳାଳିଭାବେ ସେ ୨ଟି ଅଲିମ୍ପିକ୍ସରେ ପଦକ ଜିତି ଇତିହାସ ରଚିଛନ୍ତି। ଏହି ସଫଳତା ପାଇଁ ଅମିତ ଇଷ୍ଟକୋଷ୍ଟ ରେଲଓ୍ବେ, ହକି ଲଭର୍ସ, ଭାରତ ସରକାର, ହକି ଇଣ୍ଡିଆ, ଓଡ଼ିଶା ସରକାର, ରେଲଓ୍ବେ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ, ଇଣ୍ଡିଆନ ରେଲଓ୍ବେ ଏବଂ କିଟ୍‌ ଓ କିସ୍‌ର କ୍ରୀଡ଼ା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।
ଓଡ଼ିଶା ଆଥ୍‌ଲେଟଙ୍କ ମଧ୍ୟରେ ପୂର୍ବରୁ ହକି ଖେଳାଳି ପଦ୍ମଶ୍ରୀ ଦିଲୀପ ତିର୍କୀ, ଲାଜରୁସ ବାର୍ଲା, ଇଗ୍ନେସ ତିର୍କୀ, ଓ୍ବିଲିୟମ ଖାଲ୍‌କୋ, ଦୀପ୍‌ଗ୍ରେସ୍‌ ଏକ୍କା, ନମିତା ଟପ୍ପୋ, ଲିଲିମା ମିଞ୍ଜ, ସୁନୀତା ଲାକ୍ରା, ଆଥ୍‌ଲେଟ୍‌ ଅନୁରାଧା ବିଶ୍ୱାଳ, ରଚିତା ମିସ୍ତ୍ରି ପଣ୍ଡା, ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ ଏବଂ ଭାରୋତ୍ତୋଳକ କେ. ରବିକୁମାର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ ହେଁ ପଦକରୁ ବଞ୍ଚତ୍ତ ହୋଇଥିଲେ। ଟୋକିଓ ଅଲିମ୍ପିକ୍ସରେ ମହିଳା ଦଳରେ ଦୀପ୍‌ ଗ୍ରେସ୍‌ ଏକ୍କା ଏବଂ ନମିତା ଟପ୍ପୋ ଖେଳିଥିଲେ ହେଁ ଭାରତୀୟ ଦଳ ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ମିସ୍‌ କରିଥିଲା। ଟୋକିଓରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳରେ ଅମିତଙ୍କ ସହ ବୀରେନ୍ଦ୍ର ଲାକ୍ରା ସାମିଲ ଥିଲେ। ଏଥର କିନ୍ତୁ ଅମିତ ଏକା ଓଡ଼ିଶା ପକ୍ଷରୁ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରିଥିଲେ।
ଅଲିମ୍ପିକ୍ସରେ ୨ଟି ବ୍ରୋଞ୍ଜ ବ୍ୟତୀତ ଅମିତ ଏସିଆନ ଗେମ୍ସରେ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ, ଏସିଆ କପ୍‌ରେ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ, ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ସ୍ବର୍ଣ୍ଣ, ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଏବଂ ହକି ଓ୍ବାଲର୍‌ଡ ଲିଗ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ଦଳର ସଦସ୍ୟ ରହି ଆସିଛନ୍ତି।

The post ଦେଶ ପାଇଁ ପଦକ ଜିତି ମୁଁ ଗର୍ବିତ: ଅମିତ୍‌ appeared first on Dharitri Odia News.