ପ୍ରାଇଭେଟ୍‌ ପାର୍ଟରେ ବାଜିଲା ବଲ୍‌; ଚାଲିଗଲା କୁନିପୁଅର ଜୀବନ

ଦୁନିଆକୁ ଭଲରେ ଦେଖିବା ଆଗରୁ ଆଖି ବୁଜିଦେଲା ୧୧ ବର୍ଷର କୁନି ପୁଅ। ସାଙ୍ଗଙ୍କ ସହ କ୍ରିକେଟ ଖେଳୁ ଖେଳୁ ଘଟିଲା ଅଘଟଣ।

ପ୍ରାଇଭେଟ୍‌ ପାର୍ଟରେ ବାଜିଲା ବଲ୍‌; ଚାଲିଗଲା କୁନିପୁଅର ଜୀବନ

କ୍ରିକେଟ ଖେଳିବା ହେଲା କାଳ। କିଏ ଜାଣିଥିଲା ଦୁନିଆକୁ ଭଲରେ ଦେଖିବା ଆଗରୁ ଆଖି ବୁଜିଦେବ ୧୧ ବର୍ଷର କୁନି ପୁଅ। ସାଙ୍ଗଙ୍କ ସହ କ୍ରିକେଟ ଖେଳୁ ଖେଳୁ ଘଟିଲା ଅଘଟଣ। ପ୍ରାଇବେଟ୍‌ ପାର୍ଟରେ ବଲ୍‌ ବାଜିବାରୁ ଫିଲ୍ଡରେ ହିଁ ଚାଲିଗଲା ୧୧ ବର୍ଷୀୟ ନାବାଳକଙ୍କ ଜୀବନ। ଏପରି ଏକ ଅଘଟଣ ମହାରାଷ୍ଟ୍ରର ପୁଣେରେ ଘଟିଛି। ମୃତ ନାବାଳକର ନାଁ ଶୌର୍ଯ୍ୟ ବୋଲି ଜଣାଯାଇଛି।

ସୂଚନା ମୁତାବକ ପୁଣେର ଲୋହଗାଁରେ ଥିବା ଏକ ଫିଲ୍ଡରେ ପିଲାଟି ନିଜ ସାଙ୍ଗଙ୍କ ସହ କ୍ରିକେଟ ଖେଳୁଥିଲା। ସେହି ସମୟରେ ଜଣେ ପିଲା ବ୍ୟାଟିଂ କରୁଥିବା ବେଳେ ବଲ୍‌ଟି ଆସି ଶୌର୍ଯ୍ୟଙ୍କ ପ୍ରାଇଭେଟ ପାର୍ଟରେ ବାଜିଥିଲା। ଫଳରେ ସେ ତଳେ ପଡ଼ି ଛଟପଟ ହୋଇଥିଲେ। ଏହି ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ଶୌର୍ଯ୍ୟଙ୍କୁ ତଳେ ପଡ଼ିଥିବାର ଦେଖି ସାଥୀ ଖେଳାଳିମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଖେଳିବାକୁ ଯାଇଥିବା ପୁଅର ଏପରି ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି।

ତେବେ ପିଲାଟିର ମୃତ୍ୟୁ କିପରି ହୋଇଛି, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ପୋଲିସ ଛାନଭିନ୍‌ ଆରମ୍ଭ କରିଛି। ଫିଲ୍ଡରେ ସେହି ସମୟରେ ଉପସ୍ଥିତ ଥିବା ପିଲାମାନଙ୍କୁ ଡାକି ପଚରାଉଚରା କରୁଛି ପୋଲିସ।