Amul ପରେ କ୍ଷୀର ଦର ବୃଦ୍ଧି କଲା Mother Dairy

ଦର ବୃଦ୍ଧି ପରେ ଦିଲ୍ଲୀ-ଏନସିଆରରେ ମଦର୍ ଡେରୀର ମଇଁଷି ଏବଂ ଗାଈ କ୍ଷୀରର ଲିଟର ପିଛା ମୂଲ୍ୟ ଯଥାକ୍ରମେ ୭୨ ଟଙ୍କା ଏବଂ ୫୮ ଟଙ୍କାରେ ପହଞ୍ଚିଛି।

Amul ପରେ କ୍ଷୀର ଦର ବୃଦ୍ଧି କଲା Mother Dairy

ଅମୂଲ ପରେ ଦୁଗ୍ଧ ମୂଲ୍ୟ ବୃଦ୍ଧି କରିଛି ମଦର୍ ଡେରୀ(Mother Dairy)। ଆଜି କମ୍ପାନୀ ପକ୍ଷରୁ କ୍ଷୀର ପ୍ୟାକେଟ୍ ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ନିକଟରେ ଅମୂଲ ମଧ୍ୟ କ୍ଷୀର ଲିଟର୍ ପିଛା ୨ ଟଙ୍କା ବୃଦ୍ଧି କରିଥିଲା।  

ଗତ ୧୫ ମାସ ମଧ୍ୟରେ ଇନପୁଟ୍ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଦର ବୃଦ୍ଧି କରିଛନ୍ତି ଦୁଗ୍ଧ କମ୍ପାନୀ। ଆଜିଠାରୁ ସମଗ୍ର ଦେଶରେ ଏହି ଦର ଲାଗୁ ହେବ ବୋଲି ମଦର୍ ଡେରୀ ପକ୍ଷରୁ କୁହାଯାଇଛି।

କମ୍ପାନୀ କହିଛି ଯେ, ଜୁନ୍ ୩, ୨୦୨୪ ପରଠାରୁ ସମସ୍ତ ଅପରେଟିଂ ମାର୍କେଟରେ ଏହାର ତରଳ କ୍ଷୀର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ବର୍ଷେରୁ ଅଧିକ ସମୟ ଧରି ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇବାକୁ ଲାଗିଛି। ଉତ୍ପାଦକମାନଙ୍କୁ କ୍ଷତିପୂରଣ ଭରିବା ପାଇଁ କମ୍ପାନୀ ଦର ବୃଦ୍ଧି କରିଛି।

କମ୍ପାନୀ ଆହୁରି କହିଛି ଯେ, ଗତ କିଛି ମାସ ମଧ୍ୟରେ କ୍ରୟ ମୂଲ୍ୟ ଅଧିକ ହୋଇଥିଲେ ମଧ୍ୟ ଗ୍ରାହକଙ୍କ ମୂଲ୍ୟ ବଜାୟ ରହିଥିଲା। କୌଣସି ପ୍ରକାର ଦର ବୃଦ୍ଧି କରାଯାଉ ନଥିଲା। ତାପମାତ୍ରା ବୃଦ୍ଧି କାରଣରୁ ଦୁଗ୍ଧ ଉତ୍ପାଦନ ଅଧିକ ପ୍ରଭାବିତ ହୋଇପାରେ ବୋଲି କମ୍ପାନୀ କହିଛି।

ପ୍ରକାଶ ଥାଉକି, ଦିଲ୍ଲୀ-ଏନସିଆରରେ ମଦର୍ ଡେରୀ ଦୈନିକ ୩୫ ଲିଟର୍ ତାଜା କ୍ଷୀର ବିକ୍ରି କରିଥାଏ। କମ୍ପାନୀ ଶେଷ ଥର ପାଇଁ ଫେବ୍ରୁଆରୀ ୨୦୨୩ରେ ଦର ବୃଦ୍ଧି କରିଥିଲା। ଏହାର ଗୋଟିଏ ବର୍ଷ ପରେ ପୁନର୍ବାର କ୍ଷୀର ଦର ବଢାଯାଇଛି। ଏହି ଦର ବୃଦ୍ଧି ପରେ ଦିଲ୍ଲୀ-ଏନସିଆରରେ ମଦର୍ ଡେରୀର ଫୁଲ୍ କ୍ରିମ୍ କ୍ଷୀର ଲିଟର ପିଛା ୬୮ ଟଙ୍କା ଥିବାବେଳେ ଟୋନ୍ଡ କ୍ଷୀର ଲିଟର ପିଛା ୫୬ ଟଙ୍କା ଏବଂ ଡବଲ୍ ଟୋନ୍ଡ କ୍ଷୀର ଲିଟର ପିଛା ୫୦ ଟଙ୍କା ରହିଛି।

ସେହିପରି ମଇଁଷି ଏବଂ ଗାଈ କ୍ଷୀରର ଲିଟର ପିଛା ମୂଲ୍ୟ ଯଥାକ୍ରମେ ୭୨ ଟଙ୍କା ଏବଂ ୫୮ ଟଙ୍କାରେ ପହଞ୍ଚିଛି। ଟୋକେନ୍ କ୍ଷୀର (ବୁଲ୍କ ଭେଣ୍ଡେଡ୍ ମିଲ୍କ) ବର୍ତ୍ତମାନ ଲିଟର ପିଛା ୫୪ ଟଙ୍କା ରହିଛି।