BJPର ପ୍ରଚାର ଚକ୍ରବ୍ୟୂହ, ପ୍ରତିଦିନ ଓଡ଼ିଶା ଆସିବେ କେନ୍ଦ୍ରୀୟ ନେତା..!

ମୋଦି ଯିବା ପରେ କାଲି ଆସୁଛନ୍ତି ରାଜନାଥ, ବିଷ୍ଣୁ ଦେବ ସାଏ । ୯ ତାରିଖରେ ଆସିବେ ନୀତିନ ଗଡ଼କରି, ହିମନ୍ତ ବିଶ୍ବଶର୍ମା ।

BJPର ପ୍ରଚାର ଚକ୍ରବ୍ୟୂହ, ପ୍ରତିଦିନ ଓଡ଼ିଶା ଆସିବେ କେନ୍ଦ୍ରୀୟ ନେତା..!

ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରହ୍ମପୁର ଓ ନବରଙ୍ଗପୁର ନିର୍ବାଚନୀ ସଭା ସରୁ ସରୁ ଆସନ୍ତାକାଲିଠୁ ଓଡ଼ିଶାକୁ ବିଜେପି କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ। କାଲି ଆସିବେ ରାଜନାଥ ଓ ବିଷ୍ଣୁ ଦେଓ ସାଏ। ୯ରେ ଗଡ଼କରୀ ଆଉ ହିମନ୍ତ ବିଶ୍ୱଶର୍ମା। ୧୦ରେ ପୁଣି ମୋଦି। ଆଉ ୧୨ରେ ଅମିତ ଶାହ। ବିରୋଧୀ କ୍ୟାଂପ୍ କୁ ଜମାରୁ ଫୁରସତ୍ ଦେବ ନାହିଁ ବିଜେପି। 

ଏପଟେ ବିଜେଡି ପାଇଁ ମାରାଥନ ପ୍ରଚାର ଚଳାଇଛନ୍ତି କେବଳ ନବୀନ ଆଉ ପାଣ୍ଡିଆନ। ଯାହାକୁ କଟାକ୍ଷ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ଦୁଇ ଜଣ ହେଲିକେପ୍ଟରରେ ବୁଲି ବୁଲି କହିଲେ ସରକାର ହୁଏନି। ଓଡିଶାରେ ମୋଦି ମଡେଲ ବିଜେପି ସରକାର ହେବ।.

ବିଜେଡିକୁ ଘେରାବନ୍ଦୀ କରିବାକୁ ବିଜେପିର ପ୍ରଚାର ଚକ୍ରବ୍ୟୁହ। ମଇଦାନରେ ବିଜେପିର ହେଭିୱେଟ୍। ଗଣ୍ଡା ଗଣ୍ଡା କେନ୍ଦ୍ର ନେତୃତ୍ୱଙ୍କ ଓଡ଼ିଶା ଗସ୍ତ। ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସି ରାୟଗଡ଼ା ଓ ଭବାନୀପାଟଣା ସମାବେଶରେ ଯୋଗ ଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେହିପରି କାଲିଠାରୁ ଦୁଇ ଦିନିଆ ଗସ୍ତରେ ଆସୁଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ କୋରାପୁଟରେ ୩ଟି ସ୍ଥାନରେ ସଭା କରି ଭୋଟ ଭିକ୍ଷା କରିବେ।

ତା ପରଦିନ ଅର୍ଥାତ ୯ ତାରିଖ ନବରଙ୍ଗପୁରରେ ବି ୩ ସଭା କରିବେ ବିଷ୍ଣୁଦେଓ। ପୁଣି ୯ରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପୁରୀ ଗସ୍ତ କରି କୃଷ୍ଣପ୍ରସାଦ ଠାରେ ବିରାଟ ସଭା କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସହ ୯ ତାରିଖ ଦିନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଦିନିକିଆ ଗସ୍ତରେ ଆସି ମାଲକାନଗିରି, ଚିତ୍ରକୋଣ୍ଡା ଏବଂ ଖଲ୍ଲିକୋଟରେ ପ୍ରଚାର କରିବେ।

ଗଣ୍ଡା ଗଣ୍ଡା ବିଜେପି ହେଭିୱେଟ୍‌ଙ୍କ ମଧ୍ୟରେ ପୁଣି ୧୦ ତାରିଖରେ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚି ବିଶାଳ ରୋଡ୍ ସୋ' କରିବେ। ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ପାଇଁ ପ୍ରାୟ ୨ ଲକ୍ଷ କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକଙ୍କୁ ସାମିଲ କରିବାକୁ ଯୋଜନା କରିଛି ଦଳ। ପରଦିନ ବଲାଙ୍ଗୀର ସମାବେଶରେ ଯୋଗ ଦେଇ ଉଦବୋଧନ ଦେବେ ମୋଦି।

ଗୋଟିଏ ପଟେ ବିଜେପିର ମାଳମାଳ ହେଭିଓ୍ୱେଟ ପ୍ରଚାର ମଇଦାନକୁ ସରଗରମ କରୁଥିବା ବେଳେ ବିଜେଡି ପାଇଁ ପ୍ରଚାର ମୈଦାନରେ ଟପ୍ ଟୁ ଲିଡର। ନବୀନ ଆଉ ପାଣ୍ଡିଆନ। ମାରାଥନ ପ୍ରଚାର କରି ଭୋଟ୍ ଭିକ୍ଷା କରୁଛନ୍ତି। ଯାହାକୁ ନେଇ କଟାକ୍ଷ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଆଜି ବିଜେଡି ସରକାରର ଶପଥ ଉତ୍ସବ ନିମନ୍ତ୍ରଣ ପତ୍ରକୁ କାଉଣ୍ଟର କରି କହିଛନ୍ତି, ୨ ଜଣରେ ସରକାର ହୁଏନି। ସରକାର ଗଠନ ପାଇଁ ୧୪୭ ଦରକାର। ୨ ଜଣ ନେତା ହେଲିକେପ୍ଟରରେ ବୁଲି ବୁଲି କହିଲେ ସରକାର ହୁଏ ନାହିଁ। ଜୁନ୍ ୧୦ରେ ଓଡିଶାରେ ମୋଦି ମଡେଲରେ ବିଜେପି ସରକାର ଆରମ୍ଭ ହେବ।

ଗତକାଲି ବ୍ରହ୍ମପୁର ଓ ନବରଙ୍ଗପୁର ମଞ୍ଚରୁ ପ୍ରଧାନମନ୍ତ୍ରୀଙ୍କ ସିଧା ନିଶାନା ଆଉ ବିଜେଡିର ଏକ୍ସପାଏରି ଡେଟ ଘୋଷଣା ପରେ ଫୁଲ ଯୋଶରେ ଗେରୁଆ କ୍ୟାମ୍ପ। ପୁଣି ଆଗକୁ କେନ୍ଦ୍ରୀୟ ନେତାଙ୍କ ଘନଘନ ପ୍ରଚାର କାର୍ଯ୍ୟକ୍ରମ ଏକ ବଡ ପ୍ରଭାବ ପକାଇବ ବୋଲି ବି କୁହାଯାଉଛି ।