DBTରେ ୯ କୋଟି ୩୦ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୨୦୦୦ ଲେଖାଏଁ ଟଙ୍କା
ବରଗଡ଼ରେ ସିଏମ୍ ମୋହନ ମାଝୀ ଦେଲେ ସହାୟତା । ବଦଳିବ କି କାଳିଆ ଯୋଜନା, ବଢ଼ିଲା ଚର୍ଚ୍ଚା।
ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଉ ନେଉ ପ୍ରଥମେ ପିଏମ କିଷାନ ସମ୍ମାନ ନିଧି ଫାଇଲରେ ସିଗ୍ନେଚର କରିଥିଲେ ପ୍ରଧାନମନ୍ତ୍ରୀ ମୋଦି, ଆଜି ନିଜ ନିର୍ବାଚନ ମଣ୍ଡଳୀ ବାରାଣସୀକୁ ଆସି ଚାଷୀଙ୍କୁ ପ୍ରଦାନ କରିଛନ୍ତି ଯୋଜନାର ୧୭ତମ କିସ୍ତି। ଚାଷୀଙ୍କ ଖାତାକୁ ସିଧାସଳଖ ପଠାଯାଇଛି ୨ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା। ଡିବିଟି ଜରିଆରେ ଦେଶର ମୋଟ ୯ କୋଟି ୩୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୨୦ ହଜାର କୋଟିରୁ ଅଧିକ ଟଙ୍କା। ଚାଷୀଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଏପଟେ ବରଗଡ଼ରେ ଚାଷୀଙ୍କୁ ପିଏମ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତି ଚାଷୀଙ୍କୁ ମିଳିଛି ୨ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂହଦେଓ ଓ ଅନ୍ୟ ବିଧାୟକଙ୍କ ଉପସ୍ଥିତିରେ ଚାଷୀଙ୍କୁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏଥିପାଇଁ ବରଗଡ଼ରେ ଆୟୋଜିତ ହୋଇଥିଲା ଏଭଳି ବିରାଟ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ମୋହନ ମାଝୀ ପ୍ରଥମ ଥର ଲାଗି ପଶ୍ଚିମ ଓଡ଼ିଶା ଗସ୍ତରେ ବରଗଡ଼ ଆସିଛନ୍ତି। ପ୍ରଥମେ ସହରର ଗାନ୍ଧୀ ଛକରୁ ବାନ୍ଦୁଟିକ୍ରା ଛକ ଯାଏଁ ରୋଡ୍ ଶୋ କରିଥିଲେ। ପରେ ଜର୍ଜ ହାଇସ୍କୁଲ ପଡିଆରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ।
କେନ୍ଦ୍ରର ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ ତିନିଟି କିସ୍ତିରେ ୨ ହଜାର ଲେଖାଏଁ ୬ ହଜାର ଟଙ୍କା ମିଳୁଛି। ଏହାବ୍ୟତୀତ ରାଜ୍ୟ ସରକାରଙ୍କ ନିଜସ୍ୱ କାଳିଆ ଯୋଜନାରେ ଚାଷୀଙ୍କୁ ଦୁଇଟି କିସ୍ତିରେ ବର୍ଷକୁ ଆଉ ୪ ହଜାର ଟଙ୍କା ସହାୟତା ମିଳୁଛି। ଖରିଫ ଋତୁରେ ୨ ହଜାର ଏବଂ ରବି ଫସଲ ପାଇଁ ୨ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । କାଳିଆ ସ୍କିମକୁ ଆଉ ୩ ବର୍ଷ ଅର୍ଥାତ୍ ୨୦୨୬-୨୭ ଯାଏଁ ବୃଦ୍ଧି କରିଥିଲେ ତତ୍କାଳୀନ ସରକାର। କିନ୍ତୁ ଏବେ ରାଜ୍ୟରେ ବିଜେପି ସରକାର ଆସିବା ପରେ କାଳିଆ ଯୋଜନା ବଜାୟ ରହିବ, ନା ଆଉ କିଛି ପଦକ୍ଷେପ ନେବେ ତା ଉପରେ ନଜର।