Gmailକୁ ଟକ୍କର ଦେବ Xmail, ଖୁବଶୀଘ୍ର ଏହାକୁ ଲଞ୍ଚ କରିବେ ମସ୍କ

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ଆଲୋଚନା ସମୟରେ ଏଲନ୍‌ ମସ୍କ କହିଛନ୍ତି ଯେ, ଶୀଘ୍ର Xmail ଆସିବ।

Gmailକୁ ଟକ୍କର ଦେବ Xmail, ଖୁବଶୀଘ୍ର ଏହାକୁ ଲଞ୍ଚ କରିବେ ମସ୍କ

ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ସବୁବେଳେ କିଛି ନୂଆ କରିବା ନେଇ ଚର୍ଚ୍ଚାରେ ରହିଥାନ୍ତି। ପ୍ରଥମେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ୱିଟର’କୁ କିଣି ଏହାକୁ ‘X’ରେ ପରିଣତ କଲେ। ତା’ପରେ ଚାଟ୍‌ ଜିପିଟି ଭଳି xAI ଆଣିଥିଲେ। ଆଉ ଏବେ ଇ-ମେଲ୍‌ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି ମସ୍କ।

ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ଆଲୋଚନା ସମୟରେ ଏଲନ୍‌ ମସ୍କ କହିଛନ୍ତି ଯେ, ଶୀଘ୍ର Xmail ଆସିବ। ଗୁଗୁଲର ଜିମେଲ୍‌କୁ ଟକ୍କର ଦେବା ପାଇଁ ଏକ୍ସମେଲ୍‌ ଆଣିବାକୁ ଯାଉଛନ୍ତି ମସ୍କ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଜଣେ ୟୁଜର ମସ୍କଙ୍କୁ ପଚାରିଥିଲେ କି, ଆମେ କେବେ ଏକ୍ସମେଲ୍‌ ବ୍ୟବହାର କରିବୁ। ଏହାର ଉତ୍ତରରେ ମସ୍କ କହିଛନ୍ତି, ଆଗକୁ ଏକ୍ସମେଲ୍‌ ଆସୁଛି।

ଅନ୍ୟପଟେ ନିକଟରେ ଗୁଗୁଲର Gmail ବନ୍ଦ ହୋଇଯିବ ବୋଲି ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ଚଳିତ ବର୍ଷ ଅଗଷ୍ଟ ମାସରୁ ଗୁଗୁଲ ଜିମେଲ୍‌ ବନ୍ଦ ହୋଇଯିବ। ଆଗକୁ ଆଉ ଏହି ପ୍ଲାଟଫର୍ମରେ କୌଣସି ମେଲ୍‌ ପଠାଯାଇପାରିବ ନାହିଁ କିମ୍ବା ରିସିଭ୍‌ ହୋଇପାରିବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା।

ତେବେ ଏନେଇ ଗୁଗୁଲ୍‌ ପକ୍ଷରୁ ଶୁକ୍ରବାର ସ୍ପଷ୍ଟୀକରଣ ଦିଆଯାଇଛି। ଗୁଗୁଲ୍‌ କହିଛି କି ଲୋକପ୍ରିୟ ଇମେଲ ସେବା Gmail ବନ୍ଦ ହେବ ନାହିଁ। ସୋସିଆଲ ମିଡିଆରେ ଯେଉଁ ସବୁ ଚର୍ଚ୍ଚା ହେଉଛି ତାହା ମିଛ। କେହି ଏହାକୁ ବିଶ୍ୱାସ ନ କରିବାକୁ ଗୁଗୁଲ୍‌ ପକ୍ଷରୁ କୁହହାଯାଇଛି।