IPL 2024: ପଡ଼ିଆକୁ ଓହ୍ଲାଇଲେ ପନ୍ତ, ଦର୍ଶକ ଏମିତି କଲେ ସ୍ୱାଗତ

ଦିଲ୍ଲୀ କ୍ୟାପିଟାଲ୍‌ସ (DC)ର ଦ୍ୱିତୀୟ ୱିକେଟ୍ ପଡ଼ିବା ପରେ ପନ୍ତ ବ୍ୟାଟିଂ କରିବାକୁ ଆସିଥିଲେ।

IPL 2024: ପଡ଼ିଆକୁ ଓହ୍ଲାଇଲେ ପନ୍ତ, ଦର୍ଶକ ଏମିତି କଲେ ସ୍ୱାଗତ

ଆଇପିଏଲ୍ ୨୦୨୪ର ଦ୍ୱିତୀୟ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍‌ସ (DC) ଓ ପଞ୍ଜାବ କିଙ୍ଗସ (PBKS)। ଆଉ ଏହି ମ୍ୟାଚ୍ ସହିତ ୧୫ ମାସ ପରେ କୌଣସି ପ୍ରତିଯୋଗିତାମୂଳକ ମ୍ୟାଚ୍‌ ପାଇଁ ପଡ଼ିଆକୁ ଓହ୍ଲାଇଛନ୍ତି ଋଷଭ ପନ୍ତ।

ଏକ ଭୟାନକ ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ କ୍ରିକେଟରୁ ଦୂରେଇ ରହିଥିବା ଦିଲ୍ଲୀ କ୍ୟାପିଟାଲ୍‌ସର ଅଧିନାୟକ ଋଷଭ ପନ୍ତ ଆଜି ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିବା ମାତ୍ରେ ଦର୍ଶକମାନେ ଛିଡ଼ା ହୋଇ କର ତାଳି ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ଏହା ପନ୍ତଙ୍କ ଫ୍ୟାନ୍ ତଥା ସମସ୍ତ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଭାବବିହ୍ୱଳ ମୁର୍ହୂତ୍ତ ଥିଲା।

ଦିଲ୍ଲୀ କ୍ୟାପିଟାଲ୍‌ସ (DC)ର ଦ୍ୱିତୀୟ ୱିକେଟ୍ ପଡ଼ିବା ପରେ ପନ୍ତ ବ୍ୟାଟିଂ କରିବାକୁ ଆସିଥିଲେ। ନବମ ଓଭରରେ ଡାଭିଡ ୱାର୍ଣ୍ଣର ଆଉଟ୍ ହୋଇଥିଲେ। ସେତେବେଳେକୁ ଦଳର ସ୍କୋର ୭୪ରେ ପହଞ୍ଚିଥିଲା। ଡାଭିଡ ୱାର୍ଣ୍ଣର ୨୯ ରନ୍ କରି ଆଉଟ୍ ହୋଇଥିଲେ।

୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ଋଷଭ ପନ୍ତ ୧୩ଟି ବଲ୍‌ରୁ ୧୮ ରନ୍ କରିଥିଲେ। ତା’ ମଧ୍ୟରେ ୨ଟି ଚୌକା ଥିଲା। ହର୍ଷଲ ପଟେଲଙ୍କ ବଲ୍‌ରେ ଜନ୍ନୀ ବେୟାରଷ୍ଟୋଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ପନ୍ତ।

ଦିଲ୍ଲୀ କ୍ୟାପିଟାଲ୍‌ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୪ ରନ୍ କରିଛି। ଦଳ ପକ୍ଷରୁ ଶାଇ ହୋପ୍ ସର୍ବାଧିକ ୩୩ ରନ୍ କରିଥିବା ବେଳେ ଅଭିଷେକ ପୋରେଲ ଅପରାଜିତ ୩୨ ରନ୍ କରିଛନ୍ତି। ମିଚେଲ ମାର୍ଶ ୨୦ ଓ ଅକ୍ଷର ପଟେଲ ୨୧ ରନ୍ କରିଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନଥିଲେ।

ପଞ୍ଜାବ କିଙ୍ଗସ ପକ୍ଷରୁ ଅର୍ଶଦୀପ ସିଂହ ଓ ହର୍ଷଲ ପଟେଲ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ରାବଡ଼ା, ହରପ୍ରୀତ ବ୍ରାର ଓ ରାହୁଲ ଚହର ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।