IPL final ଆଜି: ବେଙ୍ଗାଲୁରୁ-ପଞ୍ଜାବ ମହାମୁକାବିଲା

ଅହମଦାବାଦ, ୩।୬: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୫ର ମେଗା ଫାଇନାଲ ମଙ୍ଗଳବାର ଅନୁଷ୍ଠିତ ହେବ। ପରସ୍ପରର ସମ୍ମୁଖୀନ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ। ଆରସିବି କିମ୍ବା ପଞ୍ଜାବ ପୂର୍ବରୁ କେବେହେଲେ ଆଇପିଏଲ୍‌ ଟାଇଟଲ ହାସଲ କରି ନାହାନ୍ତି। ତେଣୁ ୧୮ଶ ସଂସ୍କରଣରେ ଆଇପିଏଲ୍‌କୁ ମିଳିବ ନୂଆ ବିଜେତା। ବିରାଟ କୋହଲିଙ୍କ ଜର୍ସି ନମ୍ବର ହେଉଛି ୧୮। ପାଖାପାଖି ଦୁଇ ଦଶନ୍ଧି ଧରି ଏହି ତାରକା ବ୍ୟାଟର ହାତରେ ଟ୍ରଫି ଧରିବାକୁ ଅପେକ୍ଷା କରି […] The post IPL final ଆଜି: ବେଙ୍ଗାଲୁରୁ-ପଞ୍ଜାବ ମହାମୁକାବିଲା appeared first on Dharitri Odia News.

IPL final ଆଜି: ବେଙ୍ଗାଲୁରୁ-ପଞ୍ଜାବ ମହାମୁକାବିଲା

ଅହମଦାବାଦ, ୩।୬: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୫ର ମେଗା ଫାଇନାଲ ମଙ୍ଗଳବାର ଅନୁଷ୍ଠିତ ହେବ। ପରସ୍ପରର ସମ୍ମୁଖୀନ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ। ଆରସିବି କିମ୍ବା ପଞ୍ଜାବ ପୂର୍ବରୁ କେବେହେଲେ ଆଇପିଏଲ୍‌ ଟାଇଟଲ ହାସଲ କରି ନାହାନ୍ତି। ତେଣୁ ୧୮ଶ ସଂସ୍କରଣରେ ଆଇପିଏଲ୍‌କୁ ମିଳିବ ନୂଆ ବିଜେତା। ବିରାଟ କୋହଲିଙ୍କ ଜର୍ସି ନମ୍ବର ହେଉଛି ୧୮। ପାଖାପାଖି ଦୁଇ ଦଶନ୍ଧି ଧରି ଏହି ତାରକା ବ୍ୟାଟର ହାତରେ ଟ୍ରଫି ଧରିବାକୁ ଅପେକ୍ଷା କରି ରହିଛନ୍ତି। ବିରାଟ କ୍ୟାରିୟରର ୪ର୍ଥ ଆଇପିଏଲ୍‌ ଫାଇନାଲ ଖେଳିବାକୁ ଯାଉଛନ୍ତି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହଜାର ହଜାର ଦର୍ଶକଙ୍କୁ ୧୮ ନମ୍ବର ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିବ। ତେଣୁ ୧୮ଶ ସଂସ୍କରଣରେ ଟାଇଟଲ ଜିତି ବିଭିନ୍ନ ଦୃଷ୍ଟିକୋଣରୁ ଆଇପିଏଲ୍‌କୁ ସ୍ମରଣୀୟ କରିବା ଆଶାରେ ରହିଛି ଆରସିବି।

ପୂର୍ବରୁ ଆରସିବି ୨୦୦୯, ୨୦୧୧ ଓ ୨୦୧୬ରେ ଫାଇନାଲ ଖେଳିଥିଲେ ହେଁ ରନରଅପ୍‌ରେ ସନ୍ତୁଷ୍ଟ ରହିଥିଲା। ଅନ୍ୟପକ୍ଷରେ ପଞ୍ଜାବ ୨୦୧୪ରେ ରନରଅପ୍‌ ହୋଇଥିଲା। କୋହଲି ଅନ୍ତର୍ଜାତୀୟ ଟି୨୦ ଓ ଟେଷ୍ଟ କ୍ରିକେଟରୁ ଅବସର ନେଇ ଯାଇଥିବାରୁ ଆଉ ଅଧିକ ସମୟ ପଡ଼ିଆରେ ଦେଖିବାକୁ ମିଳିବେ ନାହିଁ। ତେଣୁ ତାଙ୍କ ଖେଳ ଦେଖିବା ପାଇଁ ଦର୍ଶକଙ୍କ ଭାବାବେଗ ବଢ଼ିବା ସ୍ବାଭାବିକ। କ୍ୱାଲିଫାୟର-୧ରେ ଆରସିବି ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଥିଲା। ତେଣୁ ଦଳଠାରୁ ସେପରି ଆଉଏକ ଶ୍ରେଷ୍ଠ ପ୍ରଦର୍ଶନ ଆଶାରେ ରହିବେ କୋହଲିଙ୍କ ପ୍ରଶଂସକ। ପ୍ରତି ବର୍ଷ ଭଳି କୋହଲି ଚଳିତ ବର୍ଷ ମଧ୍ୟ ପ୍ରଚୁର ରନ ସଂଗ୍ରହ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୬୧୪ ରନ ସ୍କୋର କରି ଫର୍ମରେ ଥିବାର ପରିଚୟ ଦେଇଛନ୍ତି। ଏହି ସୁପରଷ୍ଟାରଙ୍କ ବ୍ୟତୀତ ଫିଲ୍‌ ସଲ୍ଟ, ମୟଙ୍କ ଅଗ୍ରଓ୍ବାଲ, ଅଧିନାୟକ ରଜତ ପଟିଦାର ଓ ଜୀତେଶ ଶର୍ମାଙ୍କୁ ନେଇ ଦଳର ବ୍ୟାଟିଂ ଲାଇନ୍‌ଅପ୍‌ ବେଶ୍‌ ଦୃଢ଼ ରହିଛି। ଆହତ ସମସ୍ୟା ଯୋଗୁ ଗତ ୨ଟି ମ୍ୟାଚରେ ଖେଳିପାରି ନ ଥିବା ଟିମ୍‌ ଡାଭିଡ ଯଦି ଫିଟ୍‌ ହୁଅନ୍ତି ତେବେ ଡେଥ୍‌ ଓଭରରେ ସେ ଓ ରୋମାରିଓ ଶେଫର୍ଡ ଦଳକୁ ବହୁ ଫାଇଦାରେ ରଖି ପାରିବେ। ବ୍ୟାଟିଂରେ କୋହଲିଙ୍କ ଭଳି ବୋଲିଂରେ ଜୋଶ ହାଜେଲଉଡ୍‌ ୨୧ଟି ଉଇକେଟ ନେଇ ଆରସିବି ପାଇଁ ସମ୍ଭାବନା ସୃଷ୍ଟି କରିଛନ୍ତି। ଏହି ଅଷ୍ଟ୍ରେଲୀୟ ଖେଳାଳିଙ୍କଠାରୁ ଆରସିବି ଆଉ ଏକ ଶ୍ରେଷ୍ଠ ପ୍ରଦର୍ଶନ ଆଶା କରିବ।

ଅନ୍ୟପକ୍ଷରେ କ୍ୱାଲିଫାୟର-୧ରେହାରିବା ପରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ କ୍ୱାଲିଫାୟର-୨ରେ ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦକ୍ଷତା ଦେଖାଇଛି। ଦୀର୍ଘ ୧୧ ବର୍ଷ ପରେ ପଞ୍ଜାବ ଫାଇନାଲରେ ପ୍ରବେଶ କରିଛି। ଅଧିନାୟକ ଆୟର ଓ କୋଚ୍‌ ରିକି ପଣ୍ଟିଂଙ୍କ କମ୍ବିନେଶନ ବେଶ୍‌ ଜମିଛି। ଆୟର ଗତବର୍ଷ ନିଜ ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସକୁ ଚାମ୍ପିୟନ କରାଇଥିଲେ। ସେ ମଧ୍ୟ ଚମତ୍କାର ଫର୍ମରେ ଥାଇ ୬୦୩ ରନ ସଂଗ୍ରହ କରି ସାରିଛନ୍ତି। ଆଇପିଏଲ୍‌ର ୧୮ ବର୍ଷ ଇତିହାସରେ ସେ ଏକମାତ୍ର ଅଧିନାୟକ ଭାବେ ୩ଟି ଭିନ୍ନଭିନ୍ନ ଦଳକୁ ଫାଇନାଲରେ ପହଞ୍ଚାଇଛନ୍ତି। ତୃତୀୟ ଦଳଟି ହେଉଛି ଦିଲ୍ଲୀ କ୍ୟାପିଟାଲ୍ସ। କିଛି ମାସତଳେ ପଞ୍ଜାବ ଦଳରେ ସାମିଲ ହୋଇଥିବା ଆୟର ନିଜ ନୂଆ ଫ୍ରାଞ୍ଚାଇଜ୍‌ ଦଳକୁ ଟ୍ରଫି ଜିତାଇବାକୁ ଭୋକିଲା ଅଛନ୍ତି। ଆୟରଙ୍କ ସହ ପ୍ରଭସିମରନ ସିଂ, ଜୋଶ ଇଂଲିଶ୍‌, ପ୍ରିୟଂଶ ଆର୍ଯ୍ୟ ଓ ଶଶାଙ୍କ ସିଂଙ୍କୁ ନେଇ ପଞ୍ଜାବ ଦଳର ବ୍ୟାଟିଂ ଲାଇନ୍‌ଅପ୍‌ ବେଶ୍‌ ଆକ୍ରମଣାତ୍ମକ। ମର୍କୁସ ଜାନସେନଙ୍କ ଅନୁପସ୍ଥିତିରେ ଦଳର ବୋଲିଂ ବିଭାଗ ସାମାନ୍ୟ ଦୁର୍ବଳ ମନେହେଉଥିଲେ ହେଁ ମୁମ୍ବାଇକୁ ହରାଇବାପରେ ଦଳର ମନୋବଳ ବହୁ ଉପରେ ରହିଛି। ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ ମଧ୍ୟ ହାତରେ ଆଘାତଜନିତ ସମସ୍ୟାରେ ଥିଲେ ହେଁ ନିଜ ପୂର୍ବ ଫ୍ରାଞ୍ଚାଇଜ୍‌ ଆରସିବି ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ ଲକ୍ଷ୍ୟରେ ରହିବେ।

ଫାଇନାଲରେ ବର୍ଷା ହେବାର କୌଣସି ପୂର୍ବାନୁମାନ ନାହିଁ। ଯଦି ହୁଏ ତେବେ ଅତିରିକ୍ତ ୧୨୦ ମିନିଟରେ ଖେଳ ଶେଷ କରାଯିବାକୁ ଉଦ୍ୟମ କରାଯିବ। ଏହା ନ ହୋଇପାରିଲେ ରିଜର୍ଭ ଡେ’ରେ ଖେଳ ହେବ।

The post IPL final ଆଜି: ବେଙ୍ଗାଲୁରୁ-ପଞ୍ଜାବ ମହାମୁକାବିଲା appeared first on Dharitri Odia News.