NEET ବିବାଦ: ପେପର୍‌ ଲିକ୍‌ ହୋଇନି କହିଲେ ଶିକ୍ଷା ମନ୍ତ୍ରୀ

ପେପର ଲିକ୍ ହୋଇନି, କି ହେବାର ଏବେ ଯାଏଁ ପ୍ରମାଣ ମିଳିନି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

NEET ବିବାଦ: ପେପର୍‌ ଲିକ୍‌ ହୋଇନି କହିଲେ ଶିକ୍ଷା ମନ୍ତ୍ରୀ

ଚଳିତ NEET UG ରେଜଲ୍ଟ ପ୍ରକାଶ ପାଇବା ପରଠାରୁ ବିବାଦ ଆରମ୍ଭ ହୋଇଛି। ଏଥିରେ ହେରଫେର୍‌ କରାଯାଇଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି। ଏହାରି ଭିତରେ NEET ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି। ପେପର୍‌ ଲିକ୍ ହୋଇଥିବା ଖବରକୁ ସେ ଖଣ୍ଡନ କରିଛନ୍ତି।

ଚଳିତ NEET UG ପରୀକ୍ଷାରେ ପେପର୍‌ ଲିକ୍‌ ହୋଇନି। ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଭାରତ ସରକାର ଓ NTA ପ୍ରତିବଦ୍ଧ। ୨୪ ଲକ୍ଷ ଛାତ୍ରଛାତ୍ରୀ ସ୍ୱଚ୍ଛତାର ସହ ପରୀକ୍ଷା ଦେଇଛନ୍ତି। ପେପର ଲିକ୍ ହୋଇନି, କି ହେବାର ଏବେ ଯାଏଁ ପ୍ରମାଣ ମିଳିନି। କେହି ଦୋଷୀ ସାବ୍ୟସ୍ତ ହେଲେ ନିଶ୍ଚୟ ଦଣ୍ଡିତ କରାଯିବ। ଏଥିପାଇଁ ବିଭାଗ ପକ୍ଷରୁ କମିଟି ଗଠନ କରାଯାଇଛି। ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ୧୫୬୦ ପିଲାଙ୍କ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମଡେଲ ଗ୍ରହଣ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଗ୍ରହଣ କରିବୁ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

କହିରଖୁ ଯେ, ଆଜି ସୁପ୍ରିମକୋର୍ଟରେ NEET ପରୀକ୍ଷାରେ ହୋଇଥିବା ହେରଫେର୍‌କୁ ନେଇ ଶୁଣାଣି ହୋଇଛି। ଏହି ମାମଲାରେ ଛାତ୍ରଛାତ୍ରୀଙ୍କ ବଡ଼ ବିଜୟ ହାସଲ ହୋଇଛି। NEET ପରୀକ୍ଷା ଫଳାଫଳରେ ହୋଇଥିବା ଅନିୟମିତତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ୧୫୬୩ ଜଣ ଛାତ୍ରଛାତ୍ରୀଙ୍କ ଗ୍ରେସ୍ ମାର୍କ ବାତିଲ କରିବାକୁ ଏବଂ ପୁନର୍ବାର NEET ପରୀକ୍ଷା କରିବାକୁ NTA କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି।

ଛାତ୍ରଛାତ୍ରୀଙ୍କୁ ଏନଟିଏ ଦୁଇଟି ବିକଳ୍ପ ଦେଇଛି, ପୁଣିଥରେ NEET ପରୀକ୍ଷା ଦିଅନ୍ତୁ ନଚେତ ଗ୍ରେସ ମାର୍କ ବିନା ନିଟ୍ ୟୁଜି କାଉନସିଲିଂରେ ସାମିଲ ହୁଅନ୍ତୁ।ଆସନ୍ତା ୨୩ ଜୁନରେ ୧୫୬୩ ଜଣ ଛାତ୍ରଛାତ୍ରୀ ପୁଣିଥରେ NEET ପରୀକ୍ଷା ଦେବା ପରେ କାଉନସିଲିଂରେ ବସିବେ। ଜୁନ୍ ୩୦ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ।

ଚଳିତଥର NEET UG ପରୀକ୍ଷାରେ ୬୭ ଜଣ ୭୨୦ରୁ ୭୨୦ ନମ୍ବର ରଖିଛନ୍ତି । ହରିୟାଣାର ଏକ ସେଣ୍ଟରରୁ ୬ ଜଣ ୭୨୦ ନମ୍ବର ରଖିଥିଲେ। ଯାହାକୁ ନେଇ ସନ୍ଦେହ ଉପୁଜିଥିଲା ଏବଂ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।