Raja Parba 2024: ପିଠାର ପର୍ବ ରଜ; ଜାଣନ୍ତୁ କିପରି ତିଆରି କରିବେ ସ୍ୱାଦିଷ୍ଟ ପୋଡ଼ପିଠା

ସବୁ ପର୍ବ ପରି ରଜ ପର୍ବରେ ମଧ୍ୟ ଏକ ସ୍ୱତନ୍ତ୍ର ପିଠାର ପରମ୍ପରା ରହିଛି। ଏହି ଦିନର ବିଶେଷ ପିଠା ହେଉଛି ପୋଡ଼ପିଠା। ଆପଣ ଯଦି ପୋଡ ପିଠା ତିଆରି ଜାଣି ନାହାନ୍ତି, ତେବେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି।

Raja Parba 2024: ପିଠାର ପର୍ବ ରଜ; ଜାଣନ୍ତୁ କିପରି ତିଆରି କରିବେ ସ୍ୱାଦିଷ୍ଟ ପୋଡ଼ପିଠା

ବିଭିନ୍ନ ପର୍ବ-ପର୍ବାଣୀରେ ବନ୍ଧା ଓଡ଼ିଶା। ଏଠି ପ୍ରତ୍ୟେକ ପର୍ବରେ କିଛି ନା କିଛି ସ୍ୱତନ୍ତ୍ର ପିଠା-ପଣାର ବ୍ୟବସ୍ଥା ରହିଛି। ଗଣପର୍ବ ରଜ ମଧ୍ୟ ସେହିଭଳି ଏକ ପିଠାର ପର୍ବ।

ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି। ବାଡୁଅ ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରନ୍ତି। ସବୁ ପର୍ବ ପରି ଏହି ପର୍ବରେ ମଧ୍ୟ ଏକ ସ୍ୱତନ୍ତ୍ର ପିଠାର ପରମ୍ପରା ରହିଛି। ଏହି ଦିନର ବିଶେଷ ପିଠା ପୋଡ଼ପିଠା ହୋଇଥିଲେ ବି କେହି କେହି ଚକୁଳି ପିଠାର ମଜ୍ଜା ମଧ୍ୟ ନେଇଥାନ୍ତି।

ଅଧିକ ପଢ଼ନ୍ତୁ: Raja Parba 2024: ଆପଣ ଯଦି ପୂରା ରଜଗୀତ ଜାଣି ନାହାନ୍ତି ତେବେ ପଢ଼ନ୍ତୁ…

ଓଡ଼ିଆ ପରମ୍ପରାରେ ଚୁଲି ଲଗାଇ ନିୟମିତ ରୋଷେଇ କରିବା ମହିଳାଙ୍କ କାର୍ଯ୍ୟ। ଯେହେତୁ ରଜରେ ମହିଳାମାନଙ୍କୁ ବିଶ୍ରାମ ଦିଆଯାଏ; ତେଣୁ ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ପିଠା ତିଆରି କରାଯାଇଥାଏ। ଏହି ପିଠା ସହଜରେ ନଷ୍ଟ ହୁଏ ନାହିଁ ଏବଂ କିଛି ଦିନ ରହିଥାଏ। ଏହି ପୋଡ଼ପିଠାକୁ ରଜ ୩ ଦିନ ଖିଆଯାଏ। ଭାତ ବଦଳରେ ଫଳମୂଳ ଓ ବିଭିନ୍ନ ପ୍ରକାର ପିଠାପଣା ଏକାଠି ଖାଇ ସମସ୍ତେ ମଜା କରିଥାନ୍ତି।

ପୋଡ଼ପିଠା ଏକ ପାରମ୍ପରିକ ଓଡ଼ିଆ ପିଠା। ଏହା ଚାଉଳ ଚୁନା ଓ ଗୁଡ଼/ଚିନିରେ ତିଆରି ପିଠଉକୁ ଏକ ବଡ଼ କଡ଼ାଇରେ ଚାରିପଟୁ ପୋଡ଼ି ତିଆରି କରାଯାଏ। ଏହା ପ୍ରତ୍ୟେକ ଓଡ଼ିଆ ଘରେ ରଜରେ ତିଆରି କରାଯାଇଥାଏ। ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଏହା ଠାକୁରଙ୍କୁ ଅର୍ପଣ କରାଯାଇଥାଏ।

ଆଜିର ଆଧୁନିକ ଯୁଗରେ ଧିରେ ଧିରେ ଏହି ପିଠା ହଜିବାକୁ ବସିଥିବା ବେଳେ ଏହାକୁ ବଞ୍ଚେଇ ରଖିବା ଜରୁରୀ। ତେବେ ଆସନ୍ତୁ ଜାଣିବା ଏହାକୁ କିପରି ତିଆରି କରାଯାଏ।

ସାମଗ୍ରୀ:

  • ୫୦୦ଗ୍ରାମ ଚାଉଳ
  • ୪୦୦ ଗ୍ରାମ ଗୁଡ଼/ ଚିନି
  • ୨ ଚାମଚ ଘିଅ
  • ଏହା ସହିତ ଆବଶ୍ୟକ ପରିମାଣର ବିରି, କୋରା ନଡ଼ିଆ, ଛେନା, କାଜୁ, କିସ୍‌ମିସ୍‌, ଲୁଣ, ଅଳେଇଚ, ଗୋଲମରିଚ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଏକ ପାତ୍ରକୁ ଚୁଲିରେ ବସେଇ ପାଣିକୁ ଫୁଟାନ୍ତୁ
  • ପରେ ସେଥିରେ ଧିରେ ଧିରେ ଚାଉଳ ଚୁନା ଓ ଗୁଡ଼ ଗୋଳାଯାଇ ବହଳିଆ ପିଠଉ ତିଆରି କରନ୍ତୁ
  • ସେଥିରେ କାଜୁ, କିସ୍‌ମି୍‌ସ୍‌, ନଡିଆପାତି ଓ ଘିଅ ଆଦି ଗୋଳାଯାଇ ଏକ ବଡ଼ କଡ଼ାଇରେ କଦଳୀ ପତ୍ର ରଖି ଅଜାଡ଼ି ଦିଅନ୍ତୁ
  • ଏହା ଉପରେ ପୁଣି ପତ୍ର ଘୋଡ଼ାଇ ତାହାକୁ ଜଳନ୍ତା ଅଙ୍ଗାରରେ ଢାଙ୍କି ଦିଅନ୍ତୁ
  • ଏହି କଡ଼ାଇକୁ ଅଳ୍ପ ନିଆଁ ଥିବା ଚୁଲିରେ ଅଧଘଣ୍ଟାରୁ ଘଣ୍ଟାଏ ଯାଏଁ ରଖନ୍ତୁ
  • ଏହା ପରେ ଅଙ୍ଗାର ଓ ପତ୍ର ସବୁକୁ ବାହାର କରି ସଫା କରନ୍ତୁ
  • ପୋଡ ପିଠା ପ୍ରସ୍ତୁତ ହୋଇଯିବା ପରେ ଏହାକୁ କାଟି ପରଷି ଦିଅନ୍ତୁ

ରଜରେ ଚକୁଳି ପିଠା ମଧ୍ୟ ତିଆରି କରାଯାଏ। ଏହା ଏକ ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଓ ବିରିକୁ ମିଶେଇ ବହଳିଆ ଆଣ ତିଆରି କରାଯାଏ। ଏହା ପରେ ତାୱାକୁ ଚୁଲିରେ ବସେଇ ସେଥିରେ ଆଣକୁ ଢାଳି ଚକୁଳି ତିଆରି କରାଯାଏ।