RI-ଅମିନ ପରୀକ୍ଷା ବିଭ୍ରାଟ: ବ୍ଲାକ୍ ଲିଷ୍ଟେଡ୍ ସଂସ୍ଥା ହାତରେ ପିଲାଙ୍କ ଭାଗ୍ୟ!

ଲକ୍ଷ ଲକ୍ଷ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ସହ ଖେଳୁଛି କି ଓଡ଼ିଶା ଅଧସ୍ତନ କର୍ମଚାରୀ ଆୟୋଗ ବା OSSSC?

RI-ଅମିନ ପରୀକ୍ଷା ବିଭ୍ରାଟ: ବ୍ଲାକ୍ ଲିଷ୍ଟେଡ୍ ସଂସ୍ଥା ହାତରେ ପିଲାଙ୍କ ଭାଗ୍ୟ!

ଲକ୍ଷ ଲକ୍ଷ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ସହ ଖେଳୁଛି କି ଓଡ଼ିଶା ଅଧସ୍ତନ କର୍ମଚାରୀ ଆୟୋଗ ବା OSSSC? ସରକାରୀ ଚାକିରି ଖଣ୍ଡିକ ପାଇଁ ବାରଦୁଆର ହେଉଥିବା ପିଲାଙ୍କ କ୍ୟାରିୟର ପ୍ରତି କାହିଁକି ଏତେ ଦାୟିତ୍ୱହୀନତା? ପରୀକ୍ଷା ପରିଚାଳନା ପଛରେ ଚାଲିଛି କି ମହାଘୋଟାଲା?

କାହିଁକି ବାରମ୍ବାର ସାମ୍ନାକୁ ଆସୁଛି ସାଂଘାତିକ ଅବ୍ୟବସ୍ଥାର ଚିତ୍ର? ଗତକାଲି ଏବଂ ଆଜିର ଦୁଇଟି ଚିତ୍ର ମଧ୍ୟରେ ବହୁତ୍ ଫରକ୍ । ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଏକ ଘରୋଇ ସଂସ୍ଥାର ସାଇବର୍ କାଫେରେ ବୈଷୟିକ ତ୍ରୁଟି ପାଇଁ ଗତକାଲି ଦିନ ତମାମ ପରୀକ୍ଷା ପରିଚାଳନାରେ କେମିତି ବିଭ୍ରାଟ ହୋଇଥିଲା, ତାହା ଜାଣିଛନ୍ତି ।

ଆଜି ପାରଳାଖେମୁଣ୍ଡିରୁ ଆସିଛି ସମାନ ଚିତ୍ର । ଭେଙ୍କଟେଶ୍ୱର ସ୍ୱାମୀ ଇନଫୋଟେକ୍ ନାମକ ଏକ ଘରୋଇ ସଂସ୍ଥାର ବିଲଡିଂରେ କରାଯାଉଛି ପରୀକ୍ଷା । ଜନଗହଳିପୂର୍ଣ୍ଣ ତଥା ମାର୍କେଟ୍ କମ୍ପ୍ଲେକ୍ସ ଭିତରେ ରହିଛି ଏହି ସେଣ୍ଟର । ଯାହାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ପରୀକ୍ଷାର୍ଥୀ ।

OSSSC ଦ୍ୱାରା ପରିଚାଳିତ RI, ARI, ICDS SUPERVISOR ଓ ଅମୀନ ଭଳି ଗ୍ରୁପ୍-ବି ଏବଂ ଗ୍ରୁପ୍-ସି ପଦବିର ଅନଲାଇନ ପରୀକ୍ଷା ଦାୟିତ୍ୱ ନେଇଛି ତାମିଲନାଡୁର SIFY ଟେକ୍ନୋଲୋଜି ନାମକ ଏକ ଘରୋଇ ସଂସ୍ଥା । ୨୦୨୨ରେ ପେପର୍ ଲିକ୍ ମାମଲାରେ ବ୍ଲାକ୍ ଲିଷ୍ଟେଡ୍ କରିଥିଲେ କେନ୍ଦ୍ର ସରକାର ।

ଏପରିକି ସିବିଆଇରେ କେଶ୍ ଚାଲିବା ସହ ସଂସ୍ଥାର ୧୭ ଜଣଙ୍କୁ ଗିରଫ ବି କରାଯାଇଥିଲା । ଏଭଳି ଅଭିଯୋଗ ଆଣିଛି ଷ୍ଟୁଡେଣ୍ଟସ ଏଗେନେଷ୍ଟ କରପସନ । ଏଭଳି ଏକ କଳାତାଲିକା ଭୁକ୍ତ ସଂସ୍ଥା, ଏବେ ପରୀକ୍ଷା କରିଆସୁଛି ମଣ୍ଡପ, ସାଇବର କାଫେ, ମାର୍କେଟ୍ କଂପ୍ଳେକ୍ସ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ।

ଏହା ଏକ ସୁବ୍ୟବସ୍ଥିତ ସ୍କାମ୍ ବୋଲି ଅଭିଯୋଗ ଆଣିବା ସହିତ ତୁରନ୍ତ ଏହି ସଂସ୍ଥା ବିରୋଧରେ ତଦନ୍ତ କରିବାକୁ ଦାବି କରିଛି ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନ୍ । ପୂର୍ବ ବିଜେଡି ସରକାର ଅମଳରେ ୨୦୨୩ରୁ ହିଁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯାଇଛି SIFYକୁ । ସୂଚନା ଅନୁସାରେ, ଏହି ଅନଲାଇନ ପରୀକ୍ଷା ପରିଚାଳନା ଦାୟିତ୍ୱ ଓକାକକୁ ଦେଇଛି OSSSC ।

ତେବେ ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନର ଅଭିଯୋଗ ଯଦି ସତ, ତାହେଲେ କାହିଁକି ଏହି କଳା ତାଲିକାଭୁକ୍ତ ଏବଂ ପରୀକ୍ଷା ଆୟୋଜନର ମାନଦଣ୍ଡ ପୂରଣ କରୁନଥିବା ସଂସ୍ଥାକୁ ସରକାରୀ ପରୀକ୍ଷା ଆୟୋଜନ ଦାୟିତ୍ୱ ଦିଆଯାଇଛି ? ବିଭିନ୍ନ ସମୟରେ ପରୀକ୍ଷା ପରିଚାଳନାରେ ବିଭ୍ରାଟ ସତ୍ତ୍ୱେ କାହିଁକି ସମସ୍ତେ ନିରବ ?

ଏଭଳି ପ୍ରଶ୍ନ ଉଠୁଥିବା ବେଳେ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । କହିଛନ୍ତି, ଏଭଳି ବ୍ଲାକଲିଷ୍ଟେଡ୍ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯିବା କଥା ନୁହେଁ । ପିଲାମାନେ ଆଶ୍ୱସ୍ତ ରୁହନ୍ତୁ, ସଠିକ୍ ନିଷ୍ପତ୍ତି ନିଆଯିବ ।