SUV ଡ୍ରାଇଭରଙ୍କ ଉନ୍ମକ୍ତ କାଣ୍ଡ; ଉଦ୍ଦେଶ୍ୟମୂଳକ ଭାବେ ଦୁର୍ଘଟଣା ଘଟାଇ ୪ ଜଣଙ୍କୁ କଲେ ଲହୁ ଲୁହାଣ

ଦୁର୍ଘଟଣା ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

SUV ଡ୍ରାଇଭରଙ୍କ ଉନ୍ମକ୍ତ କାଣ୍ଡ; ଉଦ୍ଦେଶ୍ୟମୂଳକ ଭାବେ ଦୁର୍ଘଟଣା ଘଟାଇ ୪ ଜଣଙ୍କୁ କଲେ ଲହୁ ଲୁହାଣ

ଜନ ଗହଳି ରାସ୍ତାରେ ଜଣେ SUV କାର୍ ଡ୍ରାଇଭର ଉଦ୍ଦେଶ୍ୟମୂଳକ ଭାବେ ଦୁର୍ଘଟଣା ଘଟାଇଛନ୍ତି। ରାସ୍ତା କଡରେ ଛିଡ଼ା ହୋଇଥିବା ଅନ୍ୟ ଏକ SUV କାରକୁ ଧକ୍କା ଦେଇ କିଛି ଲୋକଙ୍କୁ ଘୋଷାଡି ନେବା ପରେ ପୁଣି ଥରେ ୟୁ-ଟର୍ଣ୍ଣ ମାରି ଉକ୍ତ କାରକୁ ଦେଇଛନ୍ତି ଧକ୍କା। ଯାହା ଫଳରେ ଚାରି ଜଣ ଲୋକ ଆହତ ହୋଇଛନ୍ତି।

ମହାରାଷ୍ଟ୍ର ଥାନେ ଜିଲ୍ଲାରେ ଘଟିଥିବା ଏହି ଦୁର୍ଘଟଣା ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଭାଇରାଲ୍ ହେଉଥିବା ଭିଡିଓ ଅନୁସାରେ, ଏକ ଧଳା ରଙ୍ଗର SUV କାର୍ ରାସ୍ତାକଡରେ ଛିଡା ହୋଇଥିଲା। ଏଥିରେ ଡ୍ରାଇଭରଙ୍କ ସମେତ ଜଣେ ମହିଳା ଓ ଛୋଟ ଛୁଆ ବସିଥିଲେ।

ଏହି ସମୟରେ ହଠାତ୍ ଏକ କଳା ରଙ୍ଗର SUV କାର୍ ଆସି ସେମାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। କେବଳ ଏତିକି ନୁହେଁ, ଜନ ଗହଳି ରାସ୍ତାରେ ଡ୍ରାଇଭର ଜଣକ ଦୁର୍ଘଟଣା ଘଟାଇ ଜଣେ ଲୋକଙ୍କ ଉପରେ ମାଡ଼ିଯିବା ସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବୋନେଟ୍ ଉପରେ ଘୋଷାଡ଼ି ନେଇଥିଲେ। 

ଏତିକିରେ ତାଙ୍କ ପାଗଳାମି ଥମି ନଥିଲା ଯେ, ପୁନର୍ବାର ୟୁ-ଟର୍ଣ୍ଣ ନେଇ ସେହି କାରକୁ ଧକ୍କା ଦେଇଥିଲେ। ଏଥିରେ କାର୍ ପଛରେ ଥିବା କିଛି ବାଇକ୍ ଆରୋହୀ ଚାପି ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଚାରି ଜଣ ଲୋକ ଆହତ ହୋଇଥିବା ଜଣାପଡିଛି। 

ସୋଶାଲ ମିଡିଆରେ ଦୁର୍ଘଟଣା ସମୟର ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହ କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଧକ୍କା ଦେଇଥିବା ଡ୍ରାଇଭର ଏବଂ କାରରେ ଥିବା ମହିଳା ସମ୍ପର୍କରେ ସ୍ୱାମୀ-ସ୍ତ୍ରୀ ହେବେ। ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବାରୁ ସ୍ୱାମୀ ତାଙ୍କ ପତ୍ନୀ ଏବଂ ପୁଅ ଥିବା ଧଳା ରଙ୍ଗର SUV କାରକୁ ଧକ୍କା ଦେଇଥିଲେ।