ଟିମ ଇଣ୍ଡିଆ ପାଇଁ ‘ରବିବାର କାଳ’

ଭାରତ ୧୨ ବର୍ଷ ପରେ ଓ ନ୍ୟୁଜିଲ୍ୟାଣ୍ଡ ୨୫ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି।

ଟିମ ଇଣ୍ଡିଆ ପାଇଁ ‘ରବିବାର କାଳ’

ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଆସନ୍ତାକାଲି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଲଢ଼େଇ କରିବେ। ଏହି ମ୍ୟାଚ୍‌ ଉପରେ ପୂରା ବିଶ୍ୱର ନଜର ରହିଛି। ମ୍ୟାଚ୍‌ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମର କେଉଁ ପିଚ୍‌ରେ ମ୍ୟାଚ୍‌ ଖେଳାଯିବ, ତା’ର ନିଷ୍ପତ୍ତି ମଧ୍ୟ ହୋଇ ସାରିଛି। ଭାରତ ୧୨ ବର୍ଷ ପରେ ଓ ନ୍ୟୁଜିଲ୍ୟାଣ୍ଡ ୨୫ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି।

ଭାରତ ଗ୍ରୁପ ପର୍ଯ୍ୟାୟରେ ଗୋଟିଏ ଥର ନ୍ୟୁଜିଲ୍ୟାଣ୍ଡକୁ ହରାଇ ସାରିଛି। ସେହିପରି ଦୁବାଇରେ ଦଳ କ୍ରମାଗତ ୪ଟି ମ୍ୟାଚ୍‌ ମଧ୍ୟ ଜିତିଛି। ତେଣୁ ନ୍ୟୁଜିଲ୍ୟାଣ୍ତ ତୁଳନାରେ ଭାରତର ପଲ୍ଲା ଫାଇନାଲରେ ଭାରୀ ରହିଥିବା କୁହାଯାଉଛି। କିନ୍ତୁ ଆସନ୍ତାକାଲି ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆକୁ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବ୍ୟତୀତ ରବିବାର ସହ ମଧ୍ୟ ଲଢ଼ିବାକୁ ପଡ଼ିବ।

ଅନ୍ଧବିଶ୍ୱାସୀ ଫ୍ୟାନ୍ସ ଆସନ୍ତାକାଲି ରବିବାର ହୋଇଥିଲେ ହେଁ ଟିମ ଇଣ୍ଡିଆର ଭାଗ୍ୟ ବଦଳିବ ବୋଲି ଆଶା କରିଛନ୍ତି। କାରଣ ଭାରତ ରବିବାର ଖେଳୁଥିବା ପ୍ରାୟ ସବୁ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ ହାରିଛି। ବେଶ କିଛି ଦଶନ୍ଧି ଧରି ଏହି ପରମ୍ପରା ଲାଗି ରହିଛି। ଆସନ୍ତାକାଲି ରବିବାର ହୋଇଥିବା ବେଳେ ଭାରତ ଫାଇନାଲ ଖେଳିବାକୁ ଯାଉଛି। ସାମ୍ନାରେ ନ୍ୟୁଜିଲ୍ୟାଣ୍ଡ ଓ ଅନ୍ଧବିଶ୍ୱାସ ଅନୁଯାୟୀ ରବିବାର। ତେଣୁ ଫ୍ୟାନ୍ସଙ୍କ ଛାତି ଧଡ଼ଧଡ଼ ହେବାରେ ଲାଗିଛି। ଭାରତ ପାଇଁ ବର୍ଷବର୍ଷ ଧରି କାଳ ସାଜିଥିବା ରବିବାରର ପୁନରାବୃତ୍ତି ଆସନ୍ତାକାଲି ଯେମିତି ନ ହେବ, ସେଆଶା ସମସ୍ତେ କରିଛନ୍ତି।

୨୦୦୦ ମସିହା ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଠାରୁ ଆରମ୍ଭ କରି ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ ରବିବାର ଖେଳା ଯାଇଥିଲା। ଏହି ଫାଇନାଲରେ ଭାରତ ନଜର ଆସିଥିଲେ ହେଁ ଦଳକୁ ହାରିବାକୁ ପଡ଼ିଥିଲା। ୨୦୦୦ ମସିହାରେ ଚାମ୍ପିୟନ୍ସ ଟ୍ରଫିର ନାଁ ଆଇସିସି ନକଆଉଟ ରହିଥିଲା। ଏହାର ଫାଇନାଲ ରବିବାର ଖେଳା ଯାଇଥିବା ବେଳେ ଭାରତ ୪ ୱିକେଟରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିଲା।

୨୦୨୩ ଦିନିକିଆ ବିଶ୍ୱକପରେ ଭାରତ କ୍ରମାଗତ ୧୧ଟି ମ୍ୟାଚ୍‌ ଜିତିଥିଲା। କିନ୍ତୁ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା। ସେଦିନ ବି ରବିବାର ଥିଲା। ଏମିତି ଅନେକ ରବିବାର ରହିଛି, ଯେଉଁଠି ଭାରତ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ହାରିଛି।

ତେବେ ଭାରତ ୨୦୧୩ ମସିହାରେ ଏକମାତ୍ର ଆଇସିସି ଟୁର୍ଣ୍ଣାମେଣ୍ଟ ଫାଇନାଲ ରବିବାର ଜିତିଥିଲା। ଇଂଲଣ୍ଡ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଦଳ ବାଜିମାତ କରିଥିଲା। ଫାଇନାଲ ରବିବାର ଆୟୋଜନ ହୋଇଥିଲେ ହେଁ ଏଥିରେ ରହିଛି ଟ୍ୱିଷ୍ଟ। ଜୁନ ୨୩ ତାରିଖ ରବିବାର ମ୍ୟାଚ୍‌ ଆରମ୍ଭ ହୋଇଥିଲା। କିନ୍ତୁ ବର୍ଷା ଯୋଗୁ ଠିକଣା ସମୟରେ ଏହା ଆରମ୍ଭ ହୋଇ ପାରି ନଥିଲା। ମ୍ୟାଚ୍‌କୁ ୨୦ ଓଭର ବିଶିଷ୍ଟ କରାଯାଇଥିଲା। ମ୍ୟାଚ୍‌ ଶେଷ ହେବା ବେଳକୁ ଭାରତୀୟ ସମୟ ରାତି ୧୨ଟା ଅତିକ୍ରମ କରି ସାରିଥିଲା। ତେଣୁ ସୋମବାର ମ୍ୟାଚ୍‌ର ରେଜଲ୍ଟ ବାହାରିଥିଲା। ଭାରତ ଏଥିରେ ଜିତିଥିଲା। ତେଣୁ ରବିବାର ଦୁଃଖ ବଳବତ୍ତର ରହିଥିଲା।

ଭାରତ ଏଯାଏ ୭ଟି ଆଇସିସି ଟ୍ରଫି ଜିତିଛି। କିନ୍ତୁ ଏହି ସବୁ ଟୁର୍ଣ୍ଣାମେଣ୍ଟର ଫାଇନାଲ କେବେ ହେଲେ ରବିବାର ଅନୁଷ୍ଠିତ ହୋଇ ନଥିଲା। 

ଭାରତ ଜିତିଥିବା ICC ଟ୍ରଫି

୧୯୮୩ ଦିନିକିଆ ବିଶ୍ୱକପ ଫାଇନାଲ ଶନିବାର 

୨୦୦୨ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ସୋମବାର

୨୦୦୭ ଟି-୨୦ ବିଶ୍ୱକପ ଫାଇନାଲ ସୋମବାର

୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲ ଶନିବାର

୨୦୧୩ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ରବିବାର/ସୋମବାର

୨୦୨୪ ଟି-୨୦ ବିଶ୍ୱକପ ଫାଇନାଲ ଶନିବାର

ଭାରତ ହାରିଥିବା ICC ଟ୍ରଫି

୨୦୧୪ ଟି-୨୦ ବିଶ୍ୱକପ ଫାଇନାଲ ରବିବାର

୨୦୦୩ ଦିନିକିଆ ବିଶ୍ୱକପ ଫାଇନାଲ ରବିବାର

୨୦୦୦ ମସିହା ଚାମ୍ପିୟନ୍ସ ଟ୍ରଫି ଫାଇନାଲ ରବିବାର

୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ରବିବାର 

୨୦୨୩  ଦିନିକିଆ ବିଶ୍ୱକପ ଫାଇନାଲ ରବିବାର