୪୦ ଟଙ୍କା ପାଇଁ ଦୋକାନୀଙ୍କୁ ହତ୍ୟା

ବିଜୟ ପଣ୍ଡା ନିଜର ବକେୟା ଟଙ୍କା ପାଇଁ ଅଡ଼ି ବସିଥିଲେ। ହେଲେ ରମେଶ ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ।

୪୦ ଟଙ୍କା ପାଇଁ ଦୋକାନୀଙ୍କୁ ହତ୍ୟା

୪୦ ଟଙ୍କା ମାଗିବାରୁ ଦୋକାନୀଙ୍କୁ ହତ୍ୟା। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ମୃତକଙ୍କ ନାଁ ବିଜୟ ପଣ୍ଡା। ସେ ଭଦ୍ରକ ଟାଉନ୍ ଥାନା ପଥରଆଡ଼ି ଛକରେ ତେଜରାତି ଦୋକାନ କରିଥିଲେ। 

ଆଜି ସକାଳେ ବିଜୟ ପଣ୍ତାଙ୍କ ଦୋକାନକୁ ଆସିଥିଲେ ଚରମ୍ପା ଅଞ୍ଚଳର ଯୁବକ ରମେଶ ପରିଡ଼ା। ତାଙ୍କ ଦୋକାନରୁ ୧୮୦ ଟଙ୍କାର ଜିନିଷ କିଣିଥିଲେ ରମେଶ। ସେ ଫୋନ ପେ’ ମାଧ୍ୟମରେ ୧୪୦ ଟଙ୍କା ଦେଇଥିଲେ। ବିଜୟ ପଣ୍ଡା ତାଙ୍କୁ ଆଉ ୪୦ ଟଙ୍କା ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପରେ ରମେଶ ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ। ଶେଷରେ ବିଜୟ ପଣ୍ଡାଙ୍କୁ ସେ ଜୋରରେ ଧକ୍କା ଦେଇଥିଲେ। ଫଳରେ ବିଜୟ ତଳେ ପଡ଼ି ଅଚେତ ହୋଇ ଯାଇଥିଲେ।

ସ୍ଥାନୀୟ ଲୋକ ବିଜୟଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବିଜୟ ପଣ୍ଡାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସଂପର୍କରେ ବିଜୟଙ୍କ ପରିବାର ଲୋକ ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଛି।