ମାଆ ଚାକିରି ଗଲା ବୋଲି ସର୍କିଟ୍‌ ହାଉସ୍‌ରେ ଥିବା ଗାଡ଼ିରେ ନିଆଁ ଲଗାଇଦେଲା ପୁଅ

କେନ୍ଦୁପତ୍ର ଫରେଷ୍ଟର ଭାବେ କାର୍ଯ୍ୟ କରନ୍ତି ସୁଜିତ କୁମାର ବେହେରା। ତାଙ୍କ ମାଆ ସର୍କିଟ୍‌ ହାଉସ୍‌ରେ ସୁଇପର ଭାବେ କାମ କରୁଥିଲେ। କିଛି ମାସ ତଳେ କୌଣସି କାରଣରୁ ତାଙ୍କୁ ସର୍କିଟ ହାଉସରୁ ବାହାର କରିଦିଆଯାଇଥିଲା।

ମାଆ ଚାକିରି ଗଲା ବୋଲି ସର୍କିଟ୍‌ ହାଉସ୍‌ରେ ଥିବା ଗାଡ଼ିରେ ନିଆଁ ଲଗାଇଦେଲା ପୁଅ

ମାଆକୁ ଚାକିରିରୁ ବାହାର କରିଦେଲେ ବୋଲି ସର୍କିଟ୍‌ ହାଉସ୍‌ରେ ଥିବା ଗାଡ଼ିରେ ନିଆଁ ଲଗାଇଦେଲା ପୁଅ। ଯେଉଁଥିପାଇଁ ବିଧାୟକଙ୍କ ପିଏସ୍‌ଓଙ୍କ ସମେତ ଅନ୍ୟ ଜଣଙ୍କ ଗାଡ଼ି ପୋଡ଼ିଗଲା। ଆଜି ଏହି ଘଟଣାରେ ପର୍ଦ୍ଦାଫାସ କରିଛି କନ୍ଧମାଳ ପୁଲିସ୍‌। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

କେନ୍ଦୁପତ୍ର ଫରେଷ୍ଟର ଭାବେ କାର୍ଯ୍ୟ କରନ୍ତି ସୁଜିତ କୁମାର ବେହେରା। ତାଙ୍କ ମାଆ ସର୍କିଟ୍‌ ହାଉସ୍‌ରେ ସୁଇପର ଭାବେ କାମ କରୁଥିଲେ। କିଛି ମାସ ତଳେ କୌଣସି କାରଣରୁ ତାଙ୍କୁ ସର୍କିଟ ହାଉସରୁ ବାହାର କରିଦିଆଯାଇଥିଲା। ଯେଉଁଥିପାଇଁ ସେମାନଙ୍କୁ କ୍ୱାର୍ଟର୍ସ ଛାଡ଼ିବାକୁ ପଡ଼ିଥିଲା। ଯାହାକୁ ନେଇ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ ସୁଜିତ। ଆଉ ୨୬ ତାରିଖ ବିଳମ୍ୱିତ ରାତିରେ ସର୍କିଟ ହାଉସ୍‌ କର୍ମଚାରୀ କୃପାସିନ୍ଧୁ ମାଝୀଙ୍କ ସ୍କୁଟିରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ସ୍କୁଟି ପାଖରେ ଛିଡ଼ା ହୋଇଥିବା ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକଙ୍କ PSO ବନମାଳୀ ନାୟକଙ୍କ ପଲସର ବାଇକ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଥିଲା।

ଏନେଇ ଅଭିଯୋଗ ହେବା ପରେ କନ୍ଧମାଳ ଏସ୍‌ପି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ବେଳେ ଏଥିରେ ସୁଜିତଙ୍କ ହାତ ଥିବା ଜଣାପଡ଼ିଥିଲା। ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସେ ଫେରାର ହୋଇଯାଇଥିଲେ। ତାଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ସେହି ସ୍ୱତନ୍ତ୍ର ଟିମ୍‌ ଅଭିଯୁକ୍ତ ଫରେଷ୍ଟରଙ୍କୁ ଶୁକ୍ରବାର ବିଳମ୍ୱିତ ରାତିରେ ଫୁଲବାଣୀ ଟାଉନ ଥାନା ଅଞ୍ଚଳରୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଡିସିନାଲ୍‌ ଏସ୍‌ପି କହିଛନ୍ତି।

ରିପୋର୍ଟ-ଫୁଲବାଣୀରୁ ତ୍ରିନାଥ ସାହୁ