YSR କଂଗ୍ରେସ ଛାଡିଲେ ଅମ୍ବାତି ରାଇଡୁ, ଆଠ ଦିନ ତଳେ ଦଳରେ ଯୋଗ ଦେଇଥିଲେ

ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ 45 ଦିନିଆ କ୍ରୀଡା ମହୋତ୍ସବ 'ଆଦୁଧାନ ଆନ୍ଧ୍ର' (Let's play Andhra) ଆରମ୍ଭ କରିବାର ଦୁଇ ଦିନ ପରେ ଦଳରେ ଯୋଗ ଦେଇଥିଲେ କ୍ରିକେଟର ଅମ୍ବାତି ରାଇଡୁ।

YSR କଂଗ୍ରେସ ଛାଡିଲେ ଅମ୍ବାତି ରାଇଡୁ, ଆଠ ଦିନ ତଳେ ଦଳରେ ଯୋଗ ଦେଇଥିଲେ

ରାଜନୀତିରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାଇଡୁ। YSR କଂଗ୍ରେସରେ ଯୋଗ ଦେବାର ମାତ୍ର ଆଠ ଦିନ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ରାଇଡୁ। କ୍ରିକେଟରୁ ରାଜନେତା ପାଲଟିଥିବା ରାଇଡୁ YSR କଂଗ୍ରେସ ଛାଡିବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି।

ସେ ଏନେଇ ଏକ୍ସ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, "ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ, ମୁଁ YSRCP ଛାଡିବାକୁ ନିଷ୍ପତ୍ତି ନେଇଛି ଏବଂ ଅଳ୍ପ ସମୟ ରାଜନୀତିରେ ଯୋଗଦେବା ପରେ ଏଥିରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି। ସମୟ ଆସିଲେ ମୋର ପରବର୍ତ୍ତୀ ପଦକ୍ଷେପ ବାବଦରେ ଜଣାଇବି।" 

ପ୍ରକାଶ ଥାଉ କି, ଗତ ବର୍ଷ ଡିସେମ୍ବର 28ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ 45 ଦିନିଆ କ୍ରୀଡା ମହୋତ୍ସବ 'ଆଦୁଧାନ ଆନ୍ଧ୍ର' (Let's play Andhra) ଆରମ୍ଭ କରିଥିଲେ। ଏହାର ଦୁଇ ଦିନ ପରେ ଦଳରେ ଯୋଗ ଦେଇଥିଲେ କ୍ରିକେଟର ଅମ୍ବାତି ରାଇଡୁ। କିନ୍ତୁ ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଆନ୍ଧ୍ରରେ ଆୟୋଜିତ ଏହି କ୍ରୀଡା ମହୋତ୍ସବରେ ରାଇଡୁ ଯୋଗଦେଇ ନଥିଲେ। 

କୌଣସି ବ୍ୟକ୍ତିଗତ କାମ ଥିବାରୁ ସେ ଏହି ମହୋତ୍ସବରେ ଯୋଗ ଦେଇନଥିଲେ। କିନ୍ତୁ ପରେ ଦଳରେ ଯୋଗଦେଇ ମାତ୍ର ଆଠ ଦିନ ପରେ ରାଜନୀତିରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। 

ରାଇଡୁ ଜୁନ୍ 2023ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଏବଂ ରାଜନୀତିରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରିଥିଲେ।