ଅଂଶୁଘାତର ବିପଦ

ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ମଣିଷଜାତି ପାଇଁ ଏହା ବଡ଼ ବିପଦ ଭାବେ ଉଭା ହେଲାଣି। ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସକାଶେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ପ୍ରତିବାଦର ଏକ ନୂଆ ଢଙ୍ଗ ଆରମ୍ଭ ହୋଇଛି; ଯେଉଁଥିରେ ମୋଟର ଗାଡ଼ି ଚଳାଚଳକୁ ରୋକିବା, ଉଡ଼ାଜାହାଜ ପଡ଼ିଆରେ ଏହାର ବିମାନ ଉଡ଼ାଣ ଉପରେ ଅଭିନବ ପ୍ରତିବାଦ, ଅତ୍ୟନ୍ତ ମୂଲ୍ୟବାନ ପେଣ୍ଟିଂ ଓ ପ୍ରତିମୂର୍ତ୍ତିକୁ ଅନେକେ […] The post ଅଂଶୁଘାତର ବିପଦ appeared first on Dharitri Odia News.

ଅଂଶୁଘାତର ବିପଦ

ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ମଣିଷଜାତି ପାଇଁ ଏହା ବଡ଼ ବିପଦ ଭାବେ ଉଭା ହେଲାଣି। ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସକାଶେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ପ୍ରତିବାଦର ଏକ ନୂଆ ଢଙ୍ଗ ଆରମ୍ଭ ହୋଇଛି; ଯେଉଁଥିରେ ମୋଟର ଗାଡ଼ି ଚଳାଚଳକୁ ରୋକିବା, ଉଡ଼ାଜାହାଜ ପଡ଼ିଆରେ ଏହାର ବିମାନ ଉଡ଼ାଣ ଉପରେ ଅଭିନବ ପ୍ରତିବାଦ, ଅତ୍ୟନ୍ତ ମୂଲ୍ୟବାନ ପେଣ୍ଟିଂ ଓ ପ୍ରତିମୂର୍ତ୍ତିକୁ ଅନେକେ ନଷ୍ଟ କରୁଛନ୍ତି। ତାହା ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ବିରକ୍ତିଭାବ ଦେଖାଦେଉଛି ପଛେ କୌଣସି ପରିବର୍ତ୍ତନ ଘଟୁନାହିଁ। ଏଭଳି ବିଷୟରେ ପ୍ରତିବାଦକାରୀମାନେ ସଚେତନ ରହିବା ଦରକାର। ସାଧାରଣ ନାଗରିକଙ୍କ ଜୀବନଯାପନରେ ବାଧା ସୃଷ୍ଟିକଲେ ସେଥିରୁ ନକାରାତ୍ମକ ସ୍ଥିତି ଗଢ଼ିଉଠିବ।
ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ଦେଖି ଉପରୋକ୍ତ ପଦକ୍ଷେପ ନିଆଯାଉଛି। କିନ୍ତୁ ପ୍ରତିବାଦର ତରିକା କଠିନ ହୋଇଯାଉଛି। ବାସ୍ତବରେ ଦେଖିଲେ ଯେଉଁଭଳି ଭାବେ ଜଳବାୟୁ ପରିବର୍ତ୍ତନ ଘଟିଚାଲିଛି, ତାହା ଦ୍ୱାରା ପ୍ରତ୍ୟେକ ମଣିଷ ଓ ପ୍ରାଣୀଜଗତ ଘୋର ପ୍ରଭାବିତ ହେଉଛନ୍ତି। ଓଡ଼ିଶାରେ ଗତ କିଛି ଦିନ ହେବ ତାପମାତ୍ରା ବୃଦ୍ଧି ପାଇବା ସହ ଯେଭଳି ଭାବେ ଗୁଳୁଗୁଳି ଅନୁଭୂତ ହେଉଛି, ତାହା ଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ନିର୍ବାଚନ ଚାଲିଥିବା ବେଳେ ଅସହ୍ୟ ଗୁଳୁଗୁଳି ସହି ନ ପାରି ଦାୟିତ୍ୱରେ ଥିବା କେତେ ଜଣ କର୍ମଚାରୀଙ୍କ ସହ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଯାଇଛି। ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ସୂଚନା ଅନୁସାରେ ଇତିମଧ୍ୟରେ ୧୪୧ ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୨୬ ଜଣଙ୍କ ପ୍ରାଣହାନି ଅଂଶୁଘାତରୁ ହୋଇଥିବା ସ୍ଥାନୀୟ ଜିଲାପାଳମାନେ ସ୍ପଷ୍ଟ କରିଛନ୍ତି।
ଏଭଳି ସ୍ଥଳେ ଦେଖିଲେ ଓଡ଼ିଶାର ରାଉରକେଲା ସତେଯେମିତି ଏକ ଜଳନ୍ତା ଚୁଲି ପାଲଟିଗଲାଣି। ସମଗ୍ର ବିଶ୍ୱର ମାନଚିତ୍ରକୁ ଦୃଷ୍ଟି ପକାଇଲେ ମନେ ହେଉଛି ଯେପରି ଓଡ଼ିଶା ଓ ତା’ର ଆଖପାଖ ଅଞ୍ଚଳରେ ଦିନକୁ ଦିନ ସବୁ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବାରେ ଲାଗିଛି। ଆଜିର ମଣିଷ ଓଡ଼ିଶାକୁ ଏକ ମାନଚିତ୍ରରେ ଦେଖିଲେ ତାହା ପ୍ରଶାସନିକ ସୀମା ଭିତରେ ସୀମିତ ବୋଲି ଚିନ୍ତା କରୁଥାଇପାରେ। କିନ୍ତୁ ଗତ ମାସର ତାପମାତ୍ରା ଦେଖିଲେ ବିଶ୍ୱର ସର୍ବାଧିକ ଉତ୍ତପ୍ତ ୧୦ଟି ସହର ମଧ୍ୟରୁ ୫ଟି ଭାରତର ଥିଲା। ସେଗୁଡ଼ିକ ହେଲା ଝାଡ଼ଖଣ୍ଡର ଜାମସେଦପୁର, ପଶ୍ଚିମବଙ୍ଗର ମିଦିନାପୁର, ଓଡ଼ିଶାର ବାରିପଦା, ବାଲେଶ୍ୱର ଓ ଭୁବନେଶ୍ୱର। ତେବେ ସର୍ବାଧିକ ତାପମାତ୍ରାରେ ଯଥାକ୍ରମେ ବାରିପଦା, ବାଲେଶ୍ୱର, ଜାମସେଦପୁର, ମିଦିନାପୁର ଓ ଭୁବନେଶ୍ୱର ରହିଥିଲେ। ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ ଏସବୁ ପୂର୍ବାଞ୍ଚଳ ବିଶେଷକରି ଓଡ଼ିଶା ଓ ତା’ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଥିଲା। ଏହା ସୂଚାଉଛି ଯେ, ମଣିଷ ଜାତି ପାଇଁ ପ୍ରାକୃତିକ ବିପଦ ମୁଣ୍ଡ ଉପରେ ଆସି ବସିପଡ଼ିଲାଣି। ଏହା ଭବିଷ୍ୟବାଣୀ ନୁହେଁ। ରାଉରକେଲା ଦର୍ଶାଉଛି ଏହି ମୁହୂର୍ତ୍ତଠାରୁ ସଚେତନତାମୂଳକ କାର୍ଯ୍ୟକ୍ରମ କଲେ ହୁଏତ ସମସ୍ତେ ବଞ୍ଚିବା ସମ୍ଭବପର ହୋଇପାରନ୍ତା। କେବଳ ମନ୍ତ୍ରୀ କିମ୍ବା ଅମଲାତନ୍ତ୍ରୀ ରାଉରକେଲା ଯାଇ ମୃତକଙ୍କ ପରିବାରକୁ ଆଶ୍ୱାସନା ସହିତ କ୍ଷତିପୂରଣ ଦେଲେ ଏଭଳି ବିରାଟକାୟ ସମସ୍ୟାର ସମାଧାନ ହେବନାହିଁ।

The post ଅଂଶୁଘାତର ବିପଦ appeared first on Dharitri Odia News.