ଅଖଣ୍ଡତାକୁ ବିପଦ

ରାଜନୀତିରେ ଏବେ ପ୍ରଭାବ ବିସ୍ତାର ପାଇଁ ଏକ ନୂଆ ମାନସିକତା ସାମ୍ନାକୁ ଆସିଛି। ପ୍ରଥମେ ଜାତି, ତା’ପରେ ଧର୍ମ ଆଧାରିତ ରାଜନୀତିର ଖେଳ ଭାରତୀୟମାନେ ଦେଖିବାର ସୁଯୋଗ ପାଇଲେ। ଏବେ ଜନସଂଖ୍ୟାକୁ ନେଇ ରାଜନୀତି ଆରମ୍ଭ ହେଲାଣି। ଭାରତ ଭଳି ଏକ ଜନବହୁଳ ଦେଶ ପାଇଁ ଏହା ଭବିଷ୍ୟତରେ ଅତ୍ୟନ୍ତ କ୍ଷତିକାରକ ପ୍ରମାଣିତ ହୋଇପାରେ। ଦକ୍ଷିଣ ଭାରତୀୟମାନେ ୧୬ଟି ପିଲା ଜନ୍ମ କରିବା ପାଇଁ ଅକ୍ଟୋବର ୨୧ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ପରାମର୍ଶ ଦେଇଛନ୍ତି। […] The post ଅଖଣ୍ଡତାକୁ ବିପଦ appeared first on Dharitri Odia News.

ଅଖଣ୍ଡତାକୁ ବିପଦ

ରାଜନୀତିରେ ଏବେ ପ୍ରଭାବ ବିସ୍ତାର ପାଇଁ ଏକ ନୂଆ ମାନସିକତା ସାମ୍ନାକୁ ଆସିଛି। ପ୍ରଥମେ ଜାତି, ତା’ପରେ ଧର୍ମ ଆଧାରିତ ରାଜନୀତିର ଖେଳ ଭାରତୀୟମାନେ ଦେଖିବାର ସୁଯୋଗ ପାଇଲେ। ଏବେ ଜନସଂଖ୍ୟାକୁ ନେଇ ରାଜନୀତି ଆରମ୍ଭ ହେଲାଣି। ଭାରତ ଭଳି ଏକ ଜନବହୁଳ ଦେଶ ପାଇଁ ଏହା ଭବିଷ୍ୟତରେ ଅତ୍ୟନ୍ତ କ୍ଷତିକାରକ ପ୍ରମାଣିତ ହୋଇପାରେ। ଦକ୍ଷିଣ ଭାରତୀୟମାନେ ୧୬ଟି ପିଲା ଜନ୍ମ କରିବା ପାଇଁ ଅକ୍ଟୋବର ୨୧ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ପରାମର୍ଶ ଦେଇଛନ୍ତି। ନିକଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ବୟସ୍କ ଓ ଯୁବକଙ୍କ ମଧ୍ୟରେ ଜନସାଂଖିକ ସମନ୍ବୟ ରକ୍ଷାକରିବା ସକାଶେ ଅଧିକ ପିଲା ଜନ୍ମ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ଚନ୍ଦ୍ରବାବୁ ନାଇଡୁଙ୍କ କହିବା ପଛରେ ଉଦ୍ଦେଶ୍ୟ ରହିଛି ଯେ, ତାଙ୍କ ରାଜ୍ୟ ଆନ୍ଧ୍ରରେ ବୟସ୍କଙ୍କ ସଂଖ୍ୟା ତୁଳନାରେ ଯୁବକଙ୍କ ସଂଖ୍ୟା ହ୍ରାସ ପାଉଛି। ଏହାର ମୁଖ୍ୟ କାରଣ ହେଲା ଜାପାନ, ଆମେରିକା ଏବଂ ଜର୍ମାନୀ ଭଳି ବିକଶିତ ଦେଶଗୁଡ଼ିକରେ ଉଚ୍ଚଶିକ୍ଷିତ ଏବଂ ଧନୀ ପରିବାରରେ ସନ୍ତାନ ଜନ୍ମ କରିବା ଯେଉଁଭଳି ଭାବେ କମୁଛି ଆନ୍ଧ୍ର ଏବଂ ଅନ୍ୟ ଦକ୍ଷିଣ ରାଜ୍ୟରେ ତାହା ହିଁ ଘଟୁଛି। ଅନୁରୂପ ଭାବେ ତାମିଲନାଡୁରେ ମଧ୍ୟ ଶିଶୁ ଜନ୍ମ ହାର କମୁଛି। ଅର୍ଥନୈତିକ ଅଗ୍ରଗତି ସହିତ ଶିଶୁ ଜନ୍ମ ହାର ହ୍ରାସ ପାଇବା ଏକ ସାଧାରଣ ସମସ୍ୟା ଭାବେ ସମଗ୍ର ବିଶ୍ୱରେ ଦେଖିବାକୁ ମିଳୁଛି। ଅର୍ଥନୀତି ସହିତ ଯେତେବେଳେ ଶିକ୍ଷିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେଥିରେ ମଧ୍ୟ ଜନସଂଖ୍ୟା ବୃଦ୍ଧି ହାର କମିବାରେ ଲାଗିଛି। ଏହା କହିବା ସମୟରେ ଚାଇନାର ଦୁର୍ଗତି ସମ୍ପର୍କରେ ସମସ୍ତେ ସଚେତନ ଅଛନ୍ତି। ସେଠାରେ ଏକଚ୍ଛତ୍ରବାଦୀ ସରକାର ଥିବା ହେତୁ ପିଲା ଜନ୍ମ କରିବା ଉପରେ କଟକଣା ଲଗାଯାଇଥିଲା। ଗୋଟିଏ ଦମ୍ପତିକୁ ଗୋଟିଏ ପିଲା ଜନ୍ମ କରିବାକୁ ଅନୁମତି ମିଳୁଥିଲା। ସେହି କଟକଣାକୁ ଏବେ ହଟାଇବା ପାଇଁ ଚାଇନା ବ୍ୟାକୁଳ ହୋଇ ଓଲଟା ଦିଗକୁ ଯିବାକୁ ବାଧ୍ୟ ହେଲାଣି। କାରଣ ଶିଶୁ ଜନ୍ମହାର ହ୍ରାସ ପାଇଲେ ଯୁବକଙ୍କ ସଂଖ୍ୟା କମିଯାଉଛି। ଯେଉଁଠାରେ ଯୁବକ ନାହାନ୍ତି ସେଠାରେ କାର୍ଯ୍ୟକ୍ଷମ ଶକ୍ତି ହ୍ରାସ ପାଉଛି। ସମାନ ସମୟରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ହେତୁ ସମାଜ ଏବଂ ଦେଶ ଉପରେ ବୋଝ ବଢୁଛି। ଅବଶ୍ୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ କଥାକୁ ଉତ୍ତର ଭାରତରେ କିଛି ନେତା ଏକ ରାଜନୈତିକ ମୋଡ଼ ଦେବା ପାଇଁ ଚେଷ୍ଟା କରୁଛନ୍ତି। ଅଳ୍ପ କିଛି ବର୍ଷ ମଧ୍ୟରେ ହେବାକୁ ଥିବା ଲୋକ ସଭା ଆସନର ସୀମା ପୁନଃ ନିର୍ଦ୍ଧାରଣ (ଡିଲିମିଟେଶନ) ଓଡ଼ିଶା ସମେତ ଦକ୍ଷିଣ ରାଜ୍ୟଗୁଡ଼ିକୁ ନକାରାତ୍ମକ ଭାବେ ପ୍ରଭାବିତ କରିବ। ଉଦାହରଣ ସ୍ବରୂପ, ଓଡ଼ିଶାରେ ଲୋକ ସଭାକୁ ଯାଉଥିବା ସାଂସଦଙ୍କ ସଂଖ୍ୟା ୨୧ରୁ କମି ନ ପାରେ। ଯେଉଁ ସଂଖ୍ୟା ଅଛି ତାହା ରହିପାରେ। କିନ୍ତୁ ଉତ୍ତର ଭାରତରେ ବିଶେଷକରି ହିନ୍ଦୀ ଏବଂ ଗୁଜରାଟୀ ଭାଷା ରାଜ୍ୟଗୁଡ଼ିକରେ ଲୋକ ସଭା ଆସନର ସଂଖ୍ୟା ବୃଦ୍ଧି ପାଇଯିବ। ସେତେବେଳେ ଉତ୍ତର ଭାରତର ନେତାମାନେ ସମଗ୍ର ଦେଶ ଉପରେ ସବୁବେଳେ ରାଜତ୍ୱ କରିବାର ସୁଯୋଗ ପାଇବେ। ଦେଖିବାକୁ ଗଲେ ଉତ୍ତର ଭାରତରେ ଅଧିକ ଜନସଂଖ୍ୟା ସହିତ ଗରିବଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଶିକ୍ଷା ବ୍ୟବସ୍ଥାରେ ଉତ୍ତର ଭାରତ ଅନେକ ପଛରେ ରହିଆସିଛି। ଏହାର ଜ୍ୱଳନ୍ତ ଉଦାହରଣ ଖୋଜିଲେ ଓଡ଼ିଶାର ଅଧିକାଂଶ ଯୁବତୀଯୁବକ କେଉଁଆଡ଼େ ମୁହଁାଉଛନ୍ତି ତାହା ଦେଖିଲେ ବୁଝାପଡ଼ିବ। ଆଜିର ପରିସ୍ଥିତିରେ ହାଇଦ୍ରାବାଦ, ବେଙ୍ଗାଲୁରୁ, ଗୋଆ, ଚେନ୍ନାଇ ଏବଂ କେରଳ ଭଳି ରାଜ୍ୟକୁ ଅଧିକ ସଂଖ୍ୟକ ଓଡ଼ିଆ, ବିହାରୀ ଏବଂ ବଙ୍ଗାଳୀ ଶିକ୍ଷିତ ଯୁବଶକ୍ତି ଯିବାକୁ ପସନ୍ଦ କରୁଛନ୍ତି। କିଛି ଦଶନ୍ଧି ପୂର୍ବରୁ ଏହିଭଳି ସ୍ରୋତ ଦିଲ୍ଲୀକୁ ମୁହଁାଉଥିଲା। ଏବେ ଦିଲ୍ଲୀରେ ମଧ୍ୟ ନିଯୁକ୍ତିର ସୁଯୋଗ ଅତ୍ୟନ୍ତ ସଙ୍କୁଚିତ ହୋଇଯାଇଛି। ଅନ୍ୟପଟେ ଦକ୍ଷିଣ ଏବଂ ପଶ୍ଚିମ ଭାରତରେ ସ୍ଥାନୀୟ ଲୋକଙ୍କର ଅର୍ଥନୀତିରେ ବିକାଶ ଘଟୁଥିବାରୁ ଅନେକ ପ୍ରକାର ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି। ଏଥିରୁ ବୁଝିବାକୁ ହେବ ଯେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପରିବର୍ତ୍ତେ ଉତ୍ତର ଭାରତରେ ହିନ୍ଦୀ ଭାଷାଭାଷୀ ନେତାମାନେ ନିଜର ସୁବିଧା ପାଇଁ ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟକୁ ମୋଡ଼ିବାକୁ ଚେଷ୍ଟା କରୁଛନ୍ତି। ଅଧିକ ସଂଖ୍ୟକ ଉତ୍ତର ଭାରତୀୟ ସାଂସଦ ଯେତେବେଳେ ଲୋକ ସଭାରେ ରହିବେ, ସେତେବେଳେ ସରକାରୀ ନୀତିରେ ମଧ୍ୟ ସେମାନଙ୍କର ପ୍ରଭାବ ବଢ଼ିବ। ତାହାର ଲାଭ ସବୁବେଳେ ଉତ୍ତରଭାରତୀୟଙ୍କୁ ଯିବ।
ସକ୍ଷିପ୍ତରେ କହିବାକୁ ଗଲେ ଓଡ଼ିଶା ଭଳି ରାଜ୍ୟରେ ଜନସଂଖ୍ୟା ଆଖିଦୃଶିଆ ଭାବେ ବୃଦ୍ଧି ପାଉ ନ ଥିବା ହେତୁ ଲୋକ ସଭା ଆସନ ମଧ୍ୟ ବଢ଼ିବ ନାହିଁ। କିନ୍ତୁ ଓଡ଼ିଶାର ଖଣି ଖାଦାନରୁ ଆଦାୟ ହେଉଥିବା ବିପୁଳ ମାତ୍ରାର ଅର୍ଥ କେବଳ ଉତ୍ତରଭାରତର ଜନସଂଖ୍ୟା ବହୁଳ ଅଞ୍ଚଳରେ ଖର୍ଚ୍ଚ ହେବ। ସେହିଭଳି ଦକ୍ଷିଣ ଭାରତର ଶିଳ୍ପ ଏବଂ ସାମାଜିକ ଅଗ୍ରଗତିର ସୁଫଳ ତାମିଲନାଡୁ, ତେଲଙ୍ଗାନା, ଆନ୍ଧ୍ର କିମ୍ବା କର୍ନାଟକ ଭଳି ରାଜ୍ୟ ପରିବର୍ତ୍ତେ ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟକୁ ସରକାର ଆଦାୟ କରୁଥିବା ଟିକସ ଖର୍ଚ୍ଚରେ ସବୁ ସୁଫଳ ମିଳିବ। ଏଭଳି ନୀତି କାର୍ଯ୍ୟକାରୀ ହେଲେ ତାହା ଭାରତୀୟ ସଂଘୀୟ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବା ସହିତ ଦେଶ ଅଖଣ୍ଡତାକୁ ମଧ୍ୟ ବିପଦ ଡାକି ଆଣିପାରେ।

The post ଅଖଣ୍ଡତାକୁ ବିପଦ appeared first on Dharitri Odia News.