ଅଟୋକୁ ଚାପି ଦେଲା ଟ୍ରକ୍‌; ଚାଲିଗଲା ୯ ଜୀବନ

ଏକ ଯାତ୍ରୀବାହୀ ଅଟୋକୁ ଏକ ଟ୍ରକ୍‌ ଧକ୍କା ଦେବାରୁ ଚାଲି ଯାଇଛି ୯ ଜୀବନ । ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ପ୍ରାୟ ୫ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। 

ଅଟୋକୁ ଚାପି ଦେଲା ଟ୍ରକ୍‌; ଚାଲିଗଲା ୯ ଜୀବନ

ବିହାରର ଲଖିସରାଇ ଜିଲ୍ଲା ରାମଗଡ଼ ଥାନା ଅଧୀନ ଝୁଲୌନ ଗାଁ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋକୁ ଏକ ଟ୍ରକ୍‌ ଧକ୍କା ଦେବାରୁ ଚାଲି ଯାଇଛି ୯ ଜୀବନ । ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ପ୍ରାୟ ୫ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। 

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଅଟୋରେ ପ୍ରାୟ ୧୪ ଯାତ୍ରୀ ଥିଲେ। ସେମାନେ ଲଖିସରାଇ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ଟି ଅଟୋକୁ ପ୍ରବଳ ଜୋରରେ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର ଥିଲା ଯେ, ବହୁ ଯାତ୍ରୀ ଟ୍ରକ୍‌ ଚକା ତଳେ ଚାପି ହୋଇ ଯାଇଥିବା ବେଳେ ଆଉ କିଛି ଛିଟିକି ରାସ୍ତା ଉପରେ ପଡ଼ିଥିଲେ।

 ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା। ଗୁରୁତର ୬ ଜଣଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଆଖି ବୁଜିଥିବା ଜଣାଯାଇଛି। ତେଣୁ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି। ଅନ୍ୟ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।

ପୁଲିସ୍‌ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି। ଅଭିଯୁକ୍ତ ଟ୍ରକ୍‌ ଡ୍ରାଇଭରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।