ଅଟୋରେ ବ୍ରାଉନ୍ ସୁଗର ନେଇ ଯାଉଥିବା ବେଳେ ମାଡ଼ି ବସିଲେ ଅବକାରୀ କର୍ମଚାରୀ, ୨ ଗିରଫ

ସମ୍ଭୁ ଓ ମନୋଜ ବାଲେଶ୍ୱରରୁ ବ୍ରାଉନ୍ ସୁଗର ଆଣି ବାରିପଦାରେ ବିକ୍ରି କରୁଥିଲେ।

ଅଟୋରେ ବ୍ରାଉନ୍ ସୁଗର ନେଇ ଯାଉଥିବା ବେଳେ ମାଡ଼ି ବସିଲେ ଅବକାରୀ କର୍ମଚାରୀ, ୨ ଗିରଫ

ଅଟୋରେ ବ୍ରାଉନ ସୁଗର ନେଇ ଯାଉଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି ବାରିପଦା ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି- ସମ୍ଭୁ ମୁଖୀ ଓ ମନୋଜ କୁମାର ଦାସ। ଉଭୟଙ୍କ ଘର ବାରିପଦାର ସୁନାଗଡ଼ିଆ ଅଞ୍ଚଳରେ। ସେମାନଙ୍କଠାରୁ ୧୭୦ ଗ୍ରାମ ବ୍ରାଉନ୍ ସୁଗର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

ସମ୍ଭୁ ଓ ମନୋଜ ବାଲେଶ୍ୱରରୁ ବ୍ରାଉନ୍ ସୁଗର ଆଣି ବାରିପଦାରେ ବିକ୍ରି କରୁଥିଲେ। ସେମାନେ ଦୀର୍ଘ ଦିନରୁ ଅବକାରୀ ବିଭାଗର ସ୍କାନରରେ ଥିଲେ। ଆଜି ସେମାନେ ବ୍ରାଉନ୍ ସୁଗର ନେଇ ଅଟୋରେ କୌଣସି ସ୍ଥାନକୁ ଯାଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ। ଏହା ପରେ ଚଢ଼ାଉ କରି ଦେବେନ୍ଦୟପୁର ସୁଇମିଂପୁଲ ଛକରୁ ଉଭୟଙ୍କୁ ଧରିଥିଲେ ଅବକାରୀ ବିଭାଗର କର୍ମଚାରୀମାନେ।

ବ୍ରାଉନ୍ ସୁଗର ସହିତ ସେମାନଙ୍କଠାରୁ ଦୁଇଟି ଅଟୋ ଜବତ କରାଯାଇଛି। ଏହି ଦୁଇ ଜଣଙ୍କ ବ୍ରାଉନ ସୁଗର ବେପାର ପଛରେ କୌଣସି ରାକେଟ କାମ କରୁଛି କି ନାହିଁ ତାହା ଜାଣିବା ପାଇଁ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ। ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ରିପୋର୍ଟ- ବାରିପଦାରୁ ମାନିକ୍ ଲାଲ୍ ପାଣି