ଅଡୁଆ ବଢ଼ାଇଛି ଦଫା ‘୩୦୬’ : ପୁରୁଷଙ୍କ ଲାଗି କଠୋର, ମହିଳାଙ୍କୁ ଅନୁକମ୍ପା

ଭୁବନେଶ୍ୱର : ସମସ୍ତଙ୍କ ଲାଗି ଆଇନ୍‌‌ ସମାନ। ମହିଳା ହୁଅନ୍ତୁ ଅବା ପୁରୁଷ ଆଇନ୍‌‌ ଆଖିରେ ସମସ୍ତେ ଏକ। ଅପରାଧ କିମ୍ବା ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିଲେ, ସମସ୍ତେ ଜାଲରେ ଫସିବେ। ସମାନ ଦଫାରେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି। ମାତ୍ର ଏହି ଆଇନରେ ଏବେ ପାତରଅନ୍ତର କରାଯାଉଥିବା ଅଭିଯାଗ ହୋଇଛି। ଭାରତୀୟ ଦଣ୍ଡ ବିଧାନ ଆଇନ୍‌‌ ଦଫା ୩୦୬(ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା) ମାମଲା ଅଡୁଆ ବଢ଼଼ାଇଛି। ମହିଳାଙ୍କ କ୍ଷେତ୍ରରେ କମିସନରେଟ୍‌‌ ପୁଲିସ ଅନୁକମ୍ପା ବା […]

ଅଡୁଆ ବଢ଼ାଇଛି ଦଫା ‘୩୦୬’ : ପୁରୁଷଙ୍କ ଲାଗି କଠୋର, ମହିଳାଙ୍କୁ ଅନୁକମ୍ପା
IPC Section 360 strict for men, favor for women

ଭୁବନେଶ୍ୱର : ସମସ୍ତଙ୍କ ଲାଗି ଆଇନ୍‌‌ ସମାନ। ମହିଳା ହୁଅନ୍ତୁ ଅବା ପୁରୁଷ ଆଇନ୍‌‌ ଆଖିରେ ସମସ୍ତେ ଏକ। ଅପରାଧ କିମ୍ବା ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିଲେ, ସମସ୍ତେ ଜାଲରେ ଫସିବେ। ସମାନ ଦଫାରେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି। ମାତ୍ର ଏହି ଆଇନରେ ଏବେ ପାତରଅନ୍ତର କରାଯାଉଥିବା ଅଭିଯାଗ ହୋଇଛି। ଭାରତୀୟ ଦଣ୍ଡ ବିଧାନ ଆଇନ୍‌‌ ଦଫା ୩୦୬(ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା) ମାମଲା ଅଡୁଆ ବଢ଼଼ାଇଛି। ମହିଳାଙ୍କ କ୍ଷେତ୍ରରେ କମିସନରେଟ୍‌‌ ପୁଲିସ ଅନୁକମ୍ପା ବା ସହାନୁଭୂତି ଦେଖାଉଛି। କିନ୍ତୁ ପୁରୁଷଙ୍କ କ୍ଷେତ୍ରରେ କମିସନରେଟ୍‌‌ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଅଭିଯୋଗ ହୋଇଛି।

୩୦୬ ଦଫାରେ ଜଣେ ପୁରୁଷଙ୍କ ଲାଗି ମହିଳା ଆତ୍ମହତ୍ୟା କଲେ ପୁଲିସ ଏହି ମାମଲାରେ ତ୍ୱରିତ ପଦକ୍ଷେପ ନେଇ ପୁରୁଷଙ୍କୁ ଗିରଫ କରି ଜେଲ୍‌‌ ପଠାଉଛି। ଅନୁରୂପ ଭାବେ ଯଦି ଜଣେ ମହିଳାଙ୍କ ଲାଗି ପୁରୁଷ ଆତ୍ମହତ୍ୟା କରୁଛି, ତେବେ ପୁଲିସ ମହିଳାଙ୍କୁ ଗିରଫ କରିବା ବଦଳରେ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଛି। ଏହିକ୍ରମରେ ଶୁଭଶ୍ରୀ ମହାପାତ୍ର, ଆଇନ୍‌‌ଜୀବୀ ଦୀପାଳି ପ୍ରିୟଦଶର୍ନୀ ଜେନା, ଏମ୍‌‌ସିଏ ଛାତ୍ରୀ ଆଶ୍ରିତା ସେନାପତି ଓ ଶ୍ୱେତା ଉତ୍କଳ କୁମାରୀ, ସୁଚିସ୍ମିତା ରାଣୀ ପ୍ରଧାନ, ଗଙ୍ଗା ପାଲ୍‌‌ଙ୍କ ଆତ୍ମହତ୍ୟା ଭଳି ଅନେକ ଘଟଣାରେ ପୁଲିସ ପୁରୁଷବନ୍ଧୁଙ୍କୁ ଗିରଫ କରି ଜେଲ୍‌‌ ହାଜତକୁ ପଠାଇ ଦେଇଛି। ମାତ୍ର ‘ଡିଜେ ଆଜେକ୍ସ’ ବା ଅକ୍ଷୟ କୁମାର ମହାରଣା, ମଡେଲ୍‌‌ ସୌମ୍ୟରଞ୍ଜନ ପାଣିଗ୍ରାହୀ ଓ ଏସିଏଫ୍‌‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।

ଏହି ସମସ୍ତ ଆତ୍ମହତ୍ୟା ମାମଲାରେ ପୁଲିସ ଦଫା ୩୦୬ରେ ମାମଲା ରୁଜୁ କରି ତଦନ୍ତ କରୁଛି। ମାତ୍ର ତଦନ୍ତରେ ଶିଥିଳତା ଯୋଗୁଁ ମାମଲାଗୁଡ଼ିକର ତଦନ୍ତ ଭାର କ୍ରାଇମ୍‌‌ବ୍ରାଞ୍ଚ ନେଇଛି। ଖଣ୍ଡଗିରି, ଶ୍ରୀଲିଙ୍ଗରାଜ, ସହିଦନଗର ଭଳି ଥାନା ଅଞ୍ଚଳରେ ପ୍ରେମିକାଙ୍କ ପ୍ରତାରଣାର ଶିକାର ହୋଇ ପ୍ରେମିକ ଆତ୍ମହତ୍ୟା କରିଛନ୍ତି। ମାତ୍ର ପ୍ରେମିକାଙ୍କ ପ୍ରତି ପୁଲିସ କୋହଳ ମନୋଭାବ ଗ୍ରହଣ କରିବା ସହ ଅନୁକମ୍ପା ଦେଖାଉଛି। ତେଣୁ ପ୍ରେମିକା କିମ୍ବା ବାନ୍ଧବୀଙ୍କ ବିରୋଧରେ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା ଅଭିଯୋଗଗୁଡ଼ିକରେ ପୁଲିସର ଧିମା ତଦନ୍ତକୁ ଚ୍ୟାଲେଞ୍ଜ କରି ଯୁବକଙ୍କ ପରିବାର ଲୋକ କୋର୍ଟର ଦ୍ୱାରସ୍ଥ ହୋଇ ନ୍ୟାୟ ଦାବି କରୁଛନ୍ତି।

ସେପଟେ ସନ୍ଦେହଜନକ ଆତ୍ମହତ୍ୟାଗୁଡ଼ିକୁ ତଦନ୍ତ ଲାଗି ସ୍ୱତନ୍ତ୍ର ଟିମ୍‌‌ ଗଠନ କରାଯାଉଛି। ଫୋରେନ୍‌‌ସିକ ଟିମ୍‌‌ ସହ ସ୍ଥାନୀୟ ଥାନା ପକ୍ଷରୁ ମିଳିତ ତଦନ୍ତ ଚାଲୁଛି। ଏଥିରେ ଫିଙ୍ଗର୍‌‌ପ୍ରିଣ୍ଟ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ, ଅନ୍ୟ ପ୍ରମାଣପତ୍ର ଯୋଗାଡ଼ କରାଯାଉଛି। ଅଭିଯୋଗ ଭିତ୍ତିରେ ତଦନ୍ତ କରାଯାଉଛି। ଅଭିଯୋଗର ସତ୍ୟାସତ୍ୟ ଥିଲେ, ମାମଲା ରୁଜୁ କରାଯାଉଛି। ସେଇ ମାମଲାଗୁଡ଼ିକରେ ଯାହାର ବି ସମ୍ପୃକ୍ତି ପଦାକୁ ଆସୁଛି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

 

ଗିରଫ ହୋଇଥିବା କିଛି ପୁରୁଷବନ୍ଧୁ…

କଳିଙ୍ଗନଗର-କେ ୱାନ୍‌‌ରେ ସୁଚିସ୍ମିତା ରାଣୀ ପ୍ରଧାନ ଆତ୍ମହତ୍ୟା କରିଥିଲେ। ସେ ରହୁଥିବା ଆପାର୍ଟମେଣ୍ଟର ଫ୍ଲାଟ୍‌‌ରୁ ଝୁଲନ୍ତା ମୃତଦେହ ମିଳିଥିଲା। ପରେ ଭରତପୁର ଥାନା ପୁଲିସ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ଭାଗୀରଥି ଦାଶକୁ ଗିରଫ କରିଥିଲା।

ଖାରବେଳନଗର ଥାନା ଅଞ୍ଚଳରେ ବିବାହିତ ମହିଳା ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା କରିଥିଲେ। ଘର ଭିତରୁ ଝୁଲନ୍ତା ମୃତଦେହ ଜବତ କରିଥିଲା ପୁଲିସ। ଶୁଭଶ୍ରୀଙ୍କୁ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ତାଙ୍କ ପୁରୁଷବନ୍ଧୁ ଚିତ୍ତରଞ୍ଜନ ଜେନାଙ୍କୁ ଗିରଫ କରିଥିଲା ଖାରବେଳନଗର ଥାନା ପୁଲିସ।

ଧଉଳି ଥାନା ଅଞ୍ଚଳର ମହିଳା ଆଇନ୍‌‌ଜୀବୀ ଦୀପାଳି ପ୍ରିୟଦଶର୍ନୀ ଜେନାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଦୀପାଳିଙ୍କ ଆତ୍ମହତ୍ୟା କରିବା ପଛରେ ପୁରୁଷ ବନ୍ଧୁଙ୍କ ସମ୍ପୃକ୍ତି ରହିଥିଲା। ପୁଲିସ ପ୍ରବର୍ତ୍ତାଇବା ଦଫାରେ ଦୀପାଳିଙ୍କ ପୁରୁଷବନ୍ଧୁ ବିକ୍ରମ କେଶରୀ ମିଶ୍ରକୁ ଗିରଫ କରିଥଲା।

ମୈତ୍ରୀବିହାର ଥାନା ଅଞ୍ଚଳରେ ଗଙ୍ଗା ପାଲ୍‌‌ ଆତ୍ମହତ୍ୟା କରିଥିଲେ। ସେ ରହୁଥିବା ଭଡ଼ା ଘରୁ ଝୁଲନ୍ତା ମୃତଦେହ ମିଳିଥିଲା। ତାଙ୍କ ଆତ୍ମହତ୍ୟା ପଛରେ ଆଶିଷ ନାୟକଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଥିଲା। ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା ମାମଲାରେ ଆଶିଷଙ୍କୁ ଗିରଫ କରାଯାଇଥିଲା।

ଆଚାର୍ଯ୍ୟବିହାର ସ୍ଥିତି ଭଡ଼ା ଘରେ ଏମ୍‌‌ସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା କରିଥିଲେ। ତ୍ରିକୋଣୀୟ ପ୍ରେମରୁ ସେ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଆତ୍ମହତ୍ୟା ଲାଗି ଆଶ୍ରିତାଙ୍କ ପୁରୁଷ ବନ୍ଧୁ ସତ୍ୟପ୍ରକାଶ ଦାସଙ୍କ ସମ୍ପୃକ୍ତି ରହିଥିଲା। ପ୍ରବର୍ତ୍ତାଇବା ଦଫାରେ ପୁରୁଷବନ୍ଧୁ ସତ୍ୟପ୍ରକାଶଙ୍କୁ ଗିରଫ କରିଥିଲା ସହିଦନଗର ଥାନା ପୁଲିସ।

ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଝୁଲନ୍ତା ମୃତଦେହକୁ ଠାବ କରିଥିଲା ପୁଲିସ। ତାଙ୍କ ଘରୁ ଏକ ଡାଏରୀ ଓ ହାତ ଲେଖା ଚିଠି ମିଳିଥିଲା। ତାଙ୍କ ଆତ୍ମହତ୍ୟା ପାଇଁ ପୁରୁଷ ବନ୍ଧୁ ସୌମ୍ୟଜିତ୍‌‌ ମହାପାତ୍ର ଦାୟୀ ବୋଲି ଦର୍ଶାଯାଇଥିଲା। ପୁଲିସ ପ୍ରବର୍ତ୍ତାଇବା ଦଫାରେ ପୁରୁଷବନ୍ଧୁ ସୌମ୍ୟଜିତ୍‌‌କୁ ଗିରଫ କରିଥିଲା।

କ୍ୟାପିଟାଲ ଥାନା ଅଞ୍ଚଳରେ ପାରିବାରିକ ମାମଲାକୁ କେନ୍ଦ୍ରକରି କୁନି ପରିଡ଼ା ଆତ୍ମହତ୍ୟା କରିଥିଲେ। ସେ ଶୋଇଥିବା ଘରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ମାମଲାର ତଦନ୍ତ କରି ଶିବ ପରିଡ଼ାକୁ ଗିରଫ କରିଥିଲା ପୁଲିସ।

୧୦ବର୍ଷରେ ଗିରଫ ହେଲେଣି ୩୪୩ 

ପ୍ରେମିକା ହୁଅନ୍ତୁ ବା ପତ୍ନୀ ଆତ୍ମହତ୍ୟା କଲେ ସ୍ୱାମୀ ଓ ପ୍ରେମିକା ତଦନ୍ତ ପରିସରଭୁକ୍ତ ହେଉଛନ୍ତି। ପରେ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା ଦଫାରେ ଗିରଫ କରାଯାଉଛି। ଗତ ୧୦ବର୍ଷରେ ୩୦୬ ଦଫାରେ ୩୪୩ଜଣଙ୍କୁ ଗିରଫ କରାଯାଉଛି। ଏଥିରେ ୨୯୭ ପୁରୁଷ ଓ ୮୬ଜଣ ମହିଳା ରହିଛନ୍ତି। ଖଣ୍ଡଗିରି, ନୂଆପଲ୍ଲୀ, ମଞ୍ଚେଶ୍ୱର, ତମାଣ୍ଡୋ, ଇନ୍‌‌ଫୋସିଟି, ଏୟାରପୋର୍ଟ, କ୍ୟାପିଟାଲ, ସହିଦନଗର ଥାନା ଅଞ୍ଚଳରେ ସର୍ବାଧିକ ଗିରଫଦାରୀ ହୋଇଛି। ସେମାନଙ୍କ ପଛରେ ନନ୍ଦନକାନନ, ଏୟାରଫିଲ୍ଡ, ଲକ୍ଷ୍ମୀସାଗର, ଜଟଣୀ, ଚନ୍ଦକା, ଚନ୍ଦ୍ରଶେଖରପୁର, ଧଉଳି, ଖାରବେଳନଗର ଥାନା ଆଦି ରହିଛି।