ଅଧିନାୟକଙ୍କ ସହ ଝଗଡ଼ା କରି ପଡ଼ିଆ ଛାଡ଼ିଲେ ଇଣ୍ଡିଜ ଟିମର ଏହି ଷ୍ଟାର ଖେଳାଳି

ଇଂଲଣ୍ଡ ଇନିଂସର ୪ର୍ଥ ଓଭରରେ ପୂରା ଘଟଣା ଘଟିଛି। ଯୋଶେଫ ବୋଲିଂ ବେଳେ ଫିଲ୍ଡିଂ ସେଟ୍‌କୁ ନେଇ ଅଧିନାୟକ ହୋପଙ୍କ ସହ ଯୁକ୍ତିତର୍କ କରିଥିଲେ।

ଅଧିନାୟକଙ୍କ ସହ ଝଗଡ଼ା କରି ପଡ଼ିଆ ଛାଡ଼ିଲେ ଇଣ୍ଡିଜ ଟିମର ଏହି ଷ୍ଟାର ଖେଳାଳି

ମ୍ୟାଚ୍‌ ଅଧାରେ ଅଧିନାୟକଙ୍କ ସହ ଝଗଡ଼ା କରି ପଡ଼ିଆ ଛାଡ଼ିଛନ୍ତି ୱେଷ୍ଟଇଣ୍ଡିଜ୍‌ର ଷ୍ଟାର ଦ୍ରୁତ ବୋଲର ଅଲଜାରି ଯୋଶେଫ। କୌଣସି ଘରୋଇ ଟୁର୍ଣ୍ଣାମେଣ୍ଟରେ ନୁହେଁ, ବରଂ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଏପରି ଘଟଣା ଘଟିଛି। ଅଧିନାୟକ ଶାଇ ହୋପଙ୍କ ଉପରେ ରାଗି ଯୋଶେଫ ରାଗରେ ପଡ଼ିଆ ଛାଡ଼ିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଇଂଲଣ୍ଡ ଇନିଂସର ୪ର୍ଥ ଓଭରରେ ପୂରା ଘଟଣା ଘଟିଛି। ଯୋଶେଫ ବୋଲିଂ ବେଳେ ଫିଲ୍ଡିଂ ସେଟ୍‌କୁ ନେଇ ଅଧିନାୟକ ହୋପଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହାପରେ ସେ ପଡ଼ିଆ ଛାଡ଼ିଥିଲେ। ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଯୋଶେଫଙ୍କ ଆଚରଣରେ ସମସ୍ତେ ଚକିତ ହୋଇଛନ୍ତି।

ଯୋଶେଫ ଉକ୍ତ ଓଭରରେ କୌଣସି ରନ ଦେଇ ନଥିବା ବେଳେ ଇଂଲଣ୍ତର ଜଣେ ବ୍ୟାଟରଙ୍କୁ ଆଉଟ କରିଥିଲେ। ତଥାପି ସେ ହୋପଙ୍କ ଫିଲ୍ଡ ପ୍ଲେସମେଣ୍ଟକୁ ନେଇ ଖୁସି ନଥିଲେ। ସେ ପଡ଼ିଆ ମଧ୍ୟରେ ଏହାକୁ ନେଇ ଆକ୍ରମଣାତ୍ମକ ଆଭିମୁଖ୍ୟ ମଧ୍ୟ ପ୍ରଦର୍ଶନ କରିଥିଲେ।

ହୋପଙ୍କ ଉପରେ ରାଗି ଯୋଶେଫ ପଡ଼ିଆ ବାହାରକୁ ଚାଲି ଯାଇଥିଲେ। ଏଥିସହ ସାଥୀ ଖେଳାଳି ହାୟଡେନ ୱାଲଶଙ୍କ ସହ ଡଗ ଆଉଟରେ କଥା ହୋଇଥିଲେ। ଏଥିଯୋଗୁ ଇଣ୍ଡିଜ ଟିମ ଗୋଟିଏ ଓଭର ୧୦ ଜଣଙ୍କୁ ନେଇ ଫିଲ୍ଡିଂ କରିଥିଲା। ଏହାପରେ ଯୋଶେଫଙ୍କ ରାଗ ଥଣ୍ଡା ହୋଇଥିଲା ଓ ସେ ପୁଣି ପଡ଼ିଆକୁ ଫେରିଥିଲେ।

ମ୍ୟାଚ୍‌ କଥା ବିଚାରକୁ ନେଇ ଭ୍ରମଣକାରୀ ଇଂଲଣ୍ଡ ୮ ୱିକେଟ ହରାଇ ୨୬୩ ରନ କରିଥିଲା। ଏହାର ଜବାବରେ ବ୍ରାଣ୍ଡନ କିଙ୍ଗ ଓ କେ କାର୍ଟୀଙ୍କ ଶତକ ବଳରେ ଇଣ୍ଡିଜ ଟିମ ୮ ୱିକେଟରେ ମ୍ୟାଚ୍‌ ଜିତି ସିରିଜ କବଜା କରିଛି।