ଅନୁଗୋଳ, ତାଳଚେରକୁ ନେଇ ଛିଣ୍ଡୁନି ଅଡ଼ୁଆ

ଅନୁଗୋଳ,୫।୪ (ଅମିତ କୁମାର ସାମଲ):୨୦୨୪ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ଘୋଷଣା କଲା। ଉକ୍ତ ତାଲିକାରେ ଅନୁଗୋଳ ଜିଲାର ୫ ନିର୍ବାଚନମଣ୍ଡଳୀରୁ କେବଳ ପାଲଲହଡ଼ା ଓ ଛେଣ୍ଡିପଦା ପାଇଁ ପ୍ରାର୍ଥୀଙ୍କ ନାମ ରହିଲା। ତେଣୁ ଦ୍ୱିତୀୟ ପର୍ଯ୍ୟାୟରେ ଜିଲାର ଆଉ ୩ ବିଧାନସଭା ଆସନ ଆଠମଲ୍ଲିକ, ଅନୁଗୋଳ ଓ ତାଳଚେର ପାଇଁ ପ୍ରାର୍ଥୀ ଘୋଷଣା ହେବ ବୋଲି ଜିଲାବାସୀ ଅନୁମାନ କରୁଥିଲେ। ହେଲେ ଗତ ବୁଧବାର ପ୍ରକାଶିତ ଦ୍ୱିତୀୟ ତାଲିକାରେ କେବଳ ଆଠମଲ୍ଲିକ ପାଇଁ […] The post ଅନୁଗୋଳ, ତାଳଚେରକୁ ନେଇ ଛିଣ୍ଡୁନି ଅଡ଼ୁଆ appeared first on Dharitri Odia News.

ଅନୁଗୋଳ, ତାଳଚେରକୁ ନେଇ ଛିଣ୍ଡୁନି ଅଡ଼ୁଆ

ଅନୁଗୋଳ,୫।୪ (ଅମିତ କୁମାର ସାମଲ):୨୦୨୪ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ଘୋଷଣା କଲା। ଉକ୍ତ ତାଲିକାରେ ଅନୁଗୋଳ ଜିଲାର ୫ ନିର୍ବାଚନମଣ୍ଡଳୀରୁ କେବଳ ପାଲଲହଡ଼ା ଓ ଛେଣ୍ଡିପଦା ପାଇଁ ପ୍ରାର୍ଥୀଙ୍କ ନାମ ରହିଲା। ତେଣୁ ଦ୍ୱିତୀୟ ପର୍ଯ୍ୟାୟରେ ଜିଲାର ଆଉ ୩ ବିଧାନସଭା ଆସନ ଆଠମଲ୍ଲିକ, ଅନୁଗୋଳ ଓ ତାଳଚେର ପାଇଁ ପ୍ରାର୍ଥୀ ଘୋଷଣା ହେବ ବୋଲି ଜିଲାବାସୀ ଅନୁମାନ କରୁଥିଲେ। ହେଲେ ଗତ ବୁଧବାର ପ୍ରକାଶିତ ଦ୍ୱିତୀୟ ତାଲିକାରେ କେବଳ ଆଠମଲ୍ଲିକ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଏଠାରେ ବିଧାୟକ ରମେଶ ସାଏଙ୍କୁ ଦଳ ପରିବର୍ତ୍ତନ କରି ନଳିନୀ ପ୍ରଧାନଙ୍କୁ ଟିକେଟ୍‌ ଦେଇଛି। ତେବେ ଅନ୍ୟ ୨ଟି ଆସନ ଅନୁଗୋଳ ଓ ତାଳଚେରକୁ ବିଜେଡି ଝୁଲାଇ ରଖିଛି। କେଉଁ କାରଣରୁ ଅନୁଗୋଳ ଓ ତାଳଚେର ପ୍ରାର୍ଥୀଙ୍କୁ ନେଇ ବିଜେଡିର ଅଡ଼ୁଆ ତୁଟୁନି ତାହାକୁ ନେଇ ସାରା ଜିଲାରେ ଚର୍ଚ୍ଚା ଲାଗିରହିଛି।
ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ, ତାଳଚେର ପାଇଁ ବିଜେଡିକୁ ସେପରି କିଛି ସମସ୍ୟା ନାହିଁ। ୨୦୦୯ରେ ଏଠାରେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଥିବା ବ୍ରଜ କିଶୋର ପ୍ରଧାନ ୨୦୧୪ ଓ ୨୦୧୯ରେ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ଇତିମଧ୍ୟରେ ତାଙ୍କର ଲୋକପ୍ରିୟତାରେ ମଧ୍ୟ ସେପରି କିଛି ହ୍ରାସ ଘଟିଥିବା ନଜିର ନାହିଁ। ତେଣୁ ପାଲଲହଡ଼ା ଓ ଛେଣ୍ଡିପଦା ପରି ଏଠାରେ ମଧ୍ୟ ବର୍ତ୍ତମାନର ବିଧାୟକଙ୍କୁ ଟିକେଟ୍‌ ଦେବାରେ ସେପରି କିଛି ଅସୁବିଧା ହୋଇଥାଇ ନ ପାରେ। ତଥାପି ବିଜେଡି କାହିଁକି ଏହାକୁ ଅନୁଗୋଳ ସହ ଝୁଲାଇ ରଖିଛି ତାହାକୁ ନେଇ ନାନା ଆଲୋଚନା ହେଉଛି। ଇତିମଧ୍ୟରେ ବ୍ରଜଙ୍କ ନାମ ଅନୁଗୋଳରେ ଉଠୁଛି। ବ୍ରଜ ଅନୁଗୋଳରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ତାଙ୍କ ସମର୍ଥକମାନେ ଦାବି କରୁଛନ୍ତି। ଏହାକୁ ନେଇ ଅନୁଗୋଳ ବିଜେଡି କର୍ମୀଙ୍କ ମଧ୍ୟରେ ମଧ୍ୟ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ମଧ୍ୟ ବ୍ରଜଙ୍କ ଅନୁଗୋଳ ସମ୍ଭାବ୍ୟ ପ୍ରାର୍ଥତ୍ତ୍ୱ ସମ୍ପର୍କିତ ବିଭିନ୍ନ ପୋଷ୍ଟ ଘୂରି ବୁଲୁଛି। ତେଣୁ ବୋଧହୁଏ ଏହି କାରଣରୁ ବିଜେଡି ଅନୁଗୋଳ ଓ ତାଳଚେର ପାଇଁ ପ୍ରାର୍ଥୀ ଘୋଷଣାକୁ ଝୁଲାଇ ରଖିଛି। ସେହିପରି ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା ଦଳ ଲକ୍ଷ୍ୟ କରୁଥିବାରୁ ଏଠାରେ ରଜନୀଙ୍କ ସ୍ଥାନରେ ବ୍ରଜଙ୍କୁ ନେଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ରଜନୀଙ୍କ ସମର୍ଥକଙ୍କ ମଧ୍ୟରେ ନିର୍ବାଚନକୁ ନେଇ ସେପରି ଉତ୍ସାହ ଲକ୍ଷ୍ୟ କରାଯାଉ ନାହିଁ। ତାଙ୍କ ଶିବିର ଏକଦମ୍‌ ନୀରବ ରହିଛି। ଗତ ନିର୍ବାଚନରେ ଶେଷ ମୁହୂର୍ତ୍ତରେ ରଜନୀକାନ୍ତ ଟିକେଟ୍‌ ଯୋଗାଡ଼ କରିବାରେ ସକ୍ଷମ ହୋଇଥିବାରୁ ଏଥର ମଧ୍ୟ ବିଜେଡି ଶେଷ ମୁହୂର୍ତ୍ତରେ ଅନୁଗୋଳ ଓ ତାଳଚେର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସମୀକ୍ଷକମାନେ ପ୍ରକାଶ କରିଛନ୍ତି।

The post ଅନୁଗୋଳ, ତାଳଚେରକୁ ନେଇ ଛିଣ୍ଡୁନି ଅଡ଼ୁଆ appeared first on Dharitri Odia News.