ଅନ୍ଧାରରେ କୁମ୍ଭକାରଙ୍କ କୌଳିକ ବୃତ୍ତି: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି
କୋକସରା,୨୬ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଲୋକର ପର୍ବ ଦୀପାବଳି ଆସିଲେ ଗାଁଠୁ ସହର ଚଳଚଞ୍ଚଳ ହୋଇଉଠେ। ଏହି ପର୍ବରେ ସବୁଠୁ ଅଧିକ ଆବଶ୍ୟକ ହୁଏ ଦୀପ। ଘରେ ବା ଦାଣ୍ଡଦୁଆରେ ଦୀପ ଜଳିଲେ ଅମାବାସ୍ୟା ରାତି ହୋଇଉଠେ ଆଲୋକମୟ। ହେଲେ ମାଟିଦୀପ ପ୍ରସ୍ତୁତ କରୁଥିବା କୁମ୍ଭକାରଙ୍କ କୌଳିକ ବୃତ୍ତି ଏବେ ଅନ୍ଧାର ଭିତରେ। କଳାହାଣ୍ଡି ଜିଲା କୋକସରା ବ୍ଲକ୍ର ମାଝିଗୁଡ଼ା, ଫୁପଗାଁ, କାଉଡୋଲା ଆଦି ଗ୍ରାମର କୁମ୍ଭକାର ପରିବାର ନିଜ କୌଳିକ ବୃତ୍ତିକୁ ଜୀବନ ଜୀବିକା ଭାବେ […] The post ଅନ୍ଧାରରେ କୁମ୍ଭକାରଙ୍କ କୌଳିକ ବୃତ୍ତି: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି appeared first on Dharitri Odia News.
କୋକସରା,୨୬ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଲୋକର ପର୍ବ ଦୀପାବଳି ଆସିଲେ ଗାଁଠୁ ସହର ଚଳଚଞ୍ଚଳ ହୋଇଉଠେ। ଏହି ପର୍ବରେ ସବୁଠୁ ଅଧିକ ଆବଶ୍ୟକ ହୁଏ ଦୀପ। ଘରେ ବା ଦାଣ୍ଡଦୁଆରେ ଦୀପ ଜଳିଲେ ଅମାବାସ୍ୟା ରାତି ହୋଇଉଠେ ଆଲୋକମୟ। ହେଲେ ମାଟିଦୀପ ପ୍ରସ୍ତୁତ କରୁଥିବା କୁମ୍ଭକାରଙ୍କ କୌଳିକ ବୃତ୍ତି ଏବେ ଅନ୍ଧାର ଭିତରେ। କଳାହାଣ୍ଡି ଜିଲା କୋକସରା ବ୍ଲକ୍ର ମାଝିଗୁଡ଼ା, ଫୁପଗାଁ, କାଉଡୋଲା ଆଦି ଗ୍ରାମର କୁମ୍ଭକାର ପରିବାର ନିଜ କୌଳିକ ବୃତ୍ତିକୁ ଜୀବନ ଜୀବିକା ଭାବେ ଗ୍ରହଣ କରି ମାଟିରେ ଘରକରଣା ସାମଗ୍ରୀ ତିଆରି କରି ନିକଟସ୍ଥ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ହେଲେ ନୂତନ ପିଢ଼ିର ଯୁବଗୋଷ୍ଠୀ ନିଜର କୌଳିକ ବୃତ୍ତି ପ୍ରତି ମୁହଁ ମୋଡୁଥିବା କହିଛନ୍ତି ବୟସ୍କ ମାଟି କାରିଗର।
ଆଉ କିଛିଦିନ ପରେ ଆଲୋକର ପର୍ବ ଦୀପାବଳି । ଏଥିପାଇଁ ମାଟିଦୀପ ପ୍ରସ୍ତୁତିରେ ଲାଗି ପଡିଛନ୍ତି କୁମ୍ଭକାର ପରିବାରର ମହିଳା ଓ ପୁରୁଷ। ଅଖଚକର ଚକା ଭଉଁରି ଭିତରେ ଦିନରାତି ମାଟିରେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ତିଆରି କରୁଛନ୍ତି। କୁମ୍ଭାରଶାଳର ଚକ ବୁଲିଲେ କୁମ୍ଭକାର ପରିବାରର ସଂସାର ଚାଲେ। ହେଲେ ଆଧୁନିକତାର ଚାକଚକ୍ୟ ମଧ୍ୟରେ ହଜିଯାଉଛି ମାଟିର ଦୀପ। ଏହାର ସ୍ଥାନ ନେଇଛି ଇଲେକ୍ଟ୍ରି ସ୍ବୟଂଚାଳିତ ଦୀପ ଓ ରଙ୍ଗବେରଙ୍ଗ ଲିଚୁମାଳ। ଏହାକୁ ନେଇ ଚିନ୍ତିତ ରହିଛନ୍ତି କୁମ୍ଭକାର ପରିବାର ଲୋକେ।
ଆଗକୁ ଦୀପାବଳି ଆସୁଥିଲେ ବି ଦୀପ କିମ୍ବା ମାଟିପାତ୍ର ପାଇଁ କେହି ଜଣେ ହେଲେ ଗରାଖ ଗାଁକୁ ଆସୁନାହାନ୍ତି। ବଜାରକୁ ନେଲେ ମଧ୍ୟ କେତେଜଣ ଗରାଖ ଦୀପ କିଣୁଥିବା ବେଳେ ପୂର୍ବ ଭଳି ଚାହିଦା ନାହିଁ। ମାଟିଦୀପ ଓ ଦୀପାବଳିର ମହତ୍ତ୍ୱ ବୁଝୁଥିବା କେତେଜଣ ଗରାଖ ବରାଦ ଦେଇ ନେଉଛନ୍ତି ବୋଲି କୁହନ୍ତି ମାଝିଗୁଡ଼ା ଗ୍ରାମର ବୟସ୍କ କୁମ୍ଭକାର ଘାସିରାମ ନାଏକ, ହରିନ୍ଦ୍ର ନାଏକ, ପରିକ୍ଷିତ ରଣା, ଗୋପୀ ରଣା, ଦେବୀପ୍ରସାଦ ନାଏକ, କୁନ୍ତଳା ନାଏକ, କୁନି ରଣା, ରୀନା ନାଏକ, ନୀଳାଦ୍ରି ନାଏକ ପ୍ରମୁଖ। ନୂଆ ପିଢ଼ି ଏହି ବେଉସାକୁ ମୁହଁ ମୋଡୁଥିବାରୁ ଆଗକୁ ଆଉ ମାଟିପାତ୍ର ସାମଗ୍ରୀ ଦେଖିବାକୁ ମିଳିବ ନାହିଁ ବୋଲି ସେମାନେ କହନ୍ତି। କୁମ୍ଭକାରଙ୍କ ମାଟି ତିଆରି ବିଭିନ୍ନ ଘରକରଣା ଓ ସାଜସଜ୍ଜା ସାମଗ୍ରୀ ବିକ୍ରି ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କଲେ ହୁଏତ ଆଗକୁ ଯୁବପିଢ଼ି ଆଗ୍ରହ ପ୍ରକାଶ କରିବା ସମ୍ଭାବନା ଦେଖାଯିବ। ପ୍ରଶାସନ ଏ ଦିଗରେ ଦୃଷ୍ଟିଦେବାକୁ କୁମ୍ଭକାର ପରିବାର ଲୋକେ ଦାବି କରିଛନ୍ତି।
The post ଅନ୍ଧାରରେ କୁମ୍ଭକାରଙ୍କ କୌଳିକ ବୃତ୍ତି: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି appeared first on Dharitri Odia News.