'ଅନ୍ନଦାତା'ଙ୍କୁ ଗିରଫ କରିବା ଭୁଲ୍‌: କେଜ୍ରିଓ୍ୱାଲ

ବାୱନା ଷ୍ଟାଡିୟମକୁ ଅସ୍ଥାୟୀ ଜେଲରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ କେଜ୍ରିୱାଲ ଖାରଜ କରିଛନ୍ତି।

'ଅନ୍ନଦାତା'ଙ୍କୁ ଗିରଫ କରିବା ଭୁଲ୍‌: କେଜ୍ରିଓ୍ୱାଲ

'ଅନ୍ନଦାତା'ଙ୍କୁ ଗିରଫ କରି ଜେଲ୍‌ରେ ରଖିବା ଭୁଲ୍‌। କୃଷକଙ୍କ 'ଦିଲ୍ଲୀ ଚଲୋ' ଡାକରାକୁ ସମର୍ଥନ କରି ଏଭଳି କିଛି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଏଥିସହ ବାୱନା ଷ୍ଟାଡିୟମକୁ ଅସ୍ଥାୟୀ ଜେଲରେ ପରିଣତ କରିବାକୁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ କେଜ୍ରିୱାଲ ପ୍ରତ୍ୟାଖ୍ୟାନ କରିଛନ୍ତି।

ଫେବ୍ରୁଆରୀ ୧୩ ତାରିଖ ଦିନ କୃଷକଙ୍କ ରାଲି ବେଳେ ଅଟକ ରଖାଯାଇଥିବା ବିକ୍ଷୋଭକାରୀଙ୍କ ପାଇଁ ବାଓ୍ୱନା ଷ୍ଟାଡିୟମ୍‌କୁ ଅସ୍ଥାୟୀ ଜେଲ୍‌ରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି ଜଣାଇଥିଲେ। ତେବେ କେଜ୍ରିଓ୍ୱାଲ କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି।

ଦିଲ୍ଲୀ ସରକାରଙ୍କ ଅନୁଯାୟୀ ଚାଷୀଙ୍କ ଦାବି ଯଥାର୍ଥ ଅଟେ। ଶାନ୍ତିପୂର୍ଣ୍ଣ ଭାବରେ ପ୍ରଦର୍ଶନ କରିବା ସମ୍ବିଧାନର ପ୍ରତ୍ୟେକ ନାଗରିକଙ୍କର ଅଧିକାର। କୃଷକମାନେ ଏହି ଦେଶର ଅନ୍ନଦାତା ଅଟନ୍ତି। ସେମାନଙ୍କୁ ଜେଲରେ ରଖିବା ଠିକ୍ ନୁହେଁ। ଏଭଳି ପରିସ୍ଥିତିରେ ବାୱାନା ଷ୍ଟାଡିୟମକୁ ଜେଲରେ ପରିଣତ କରିବାକୁ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ।

ସେପଟେ ଆପ୍‌ ମନ୍ତ୍ରୀ କୈଳାଶ ଗେହଲଟ କହିଛନ୍ତି, କୃଷକଙ୍କ ଦାବି ବାସ୍ତବିକ ଅଟେ। ପ୍ରତ୍ୟେକ ନାଗରିକର ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବା ଅଧିକାର ରହିଛି। କେନ୍ଦ୍ର ସରକାର ପ୍ରକୃତରେ ଚାଷୀମାନଙ୍କୁ ଆଲୋଚନା ପାଇଁ ଡାକିବା ଉଚିତ। ସେମାନଙ୍କର ପ୍ରକୃତ ସମସ୍ୟାର ସମାଧାନ ଖୋଜିବା ପାଇଁ ଚେଷ୍ଟା କରିବା ଉଚିତ୍। ଦେଶର କୃଷକମାନେ ହେଉଛନ୍ତି ଆମର ଅନ୍ନଦାତା। ସେମାନଙ୍କୁ ଗିରଫ କରି ଏଭଳି ବ୍ୟବହାର କରିବା ହେଉଛି ସେମାନଙ୍କ କଟା ଘା'ରେ ଲୁଣ ଲଗାଇବା ଭଳି।

କିଷାନ ମଜଦୁର ସଂଘର୍ଷ କମିଟିର ମହାସଚିତ ସରଓ୍ୱନ ସିଂହ ପଣ୍ଡେର କହିଛନ୍ତି, ଆମେ ରାସ୍ତା ଅବରୋଧ କରିବୁ ନାହିଁ। ଗତ ଦୁଇ ତିନି ଦିନ ଧରି ସରକାର ନିଜେ ରାସ୍ତା ଅବରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପଞ୍ଜାବ ଓ ହରିୟାଣାର ବିଭିନ୍ନ ଚାଷୀ ସଂଗଠନ ବିଭିନ୍ନ ଦାବି ନେଇ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି। ୨୦ରୁ ୨୫ ହଜାର ଚାଷୀ ଏଥିପାଇଁ ଆଜି ୨୫୦୦ ଟ୍ରାକ୍ଟର ଜରିଆରେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଏମାନଙ୍କୁ ଅଟକାଇବା ପାଇଁ ପୁଲିସ ଦିଲ୍ଲୀକୁ ଆସୁଥିବା ସମସ୍ତ ସୀମା ସିଲ୍‌ କରିଛି। ବିଭିନ୍ନ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ କଡା କଟକଣା ଜାରି କରାଯାଇଛି।