ଅନ୍‌ଲାଇନରେ ପତିତପାବନ ବାନା : ବିକ୍ରି ପାଇଁ ଅନୁମତି ଦେଇଛି କିଏ ?

ପୁରୀ : ଅନ୍‌ଲାଇନରେ ବିକ୍ରି ହେଉଛି ପତିତପାବନ ବାନା। ଯାହାକୁ ନେଇ ଏବେ ସନ୍ଦେହରେ ଭକ୍ତ, ସେବାୟତ। ବାସ୍ତବରେ ଏହି ବାନାକୁ ଅନ୍‌ଲାଇନରେ ବିକ୍ରି କରାଯିବା ପାଇଁ ସମ୍ପୃକ୍ତ କମ୍ପାନୀ ଅନୁମତି ପାଇଛି ନା ନାହିଁ, ଯଦି କିଏ ଦେଇଛି ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଛି। କେବଳ ବାନା ନୁହେଁ, ପୂର୍ବରୁ ଅନ୍‌ଲାଇନରେ ନିର୍ମାଲ୍ୟ, ଶୁଖିଲା ଭୋଗ, ମହାପ୍ରସାଦ ବିକ୍ରିକୁ ନେଇ ସ୍ୱର ଉଠାଇଛନ୍ତି ସେବାୟତ। ଅନ୍‌ଲାଇନରେ ବିକ୍ରି ହେଲେ ଏହିସବୁର ପବିତ୍ରତା ରକ୍ଷା […]

ଅନ୍‌ଲାଇନରେ ପତିତପାବନ ବାନା : ବିକ୍ରି ପାଇଁ ଅନୁମତି ଦେଇଛି କିଏ ?
Who gave permission for sale patita pabana bana in online

ପୁରୀ : ଅନ୍‌ଲାଇନରେ ବିକ୍ରି ହେଉଛି ପତିତପାବନ ବାନା। ଯାହାକୁ ନେଇ ଏବେ ସନ୍ଦେହରେ ଭକ୍ତ, ସେବାୟତ। ବାସ୍ତବରେ ଏହି ବାନାକୁ ଅନ୍‌ଲାଇନରେ ବିକ୍ରି କରାଯିବା ପାଇଁ ସମ୍ପୃକ୍ତ କମ୍ପାନୀ ଅନୁମତି ପାଇଛି ନା ନାହିଁ, ଯଦି କିଏ ଦେଇଛି ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଛି। କେବଳ ବାନା ନୁହେଁ, ପୂର୍ବରୁ ଅନ୍‌ଲାଇନରେ ନିର୍ମାଲ୍ୟ, ଶୁଖିଲା ଭୋଗ, ମହାପ୍ରସାଦ ବିକ୍ରିକୁ ନେଇ ସ୍ୱର ଉଠାଇଛନ୍ତି ସେବାୟତ। ଅନ୍‌ଲାଇନରେ ବିକ୍ରି ହେଲେ ଏହିସବୁର ପବିତ୍ରତା ରକ୍ଷା ହେବ ନାହିଁ ବୋଲି ମନ୍ଦିର ପ୍ରଶାସନକୁ ଜଣାଇଛନ୍ତି। ହେଲେ ଏ ଦିଗରେ ମନ୍ଦିର ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବାବେଳେ ଏମିତି କିଛି କମ୍ପାନୀ ଏବଂ ବ୍ୟକ୍ତିବିଶେଷ ମନମାନୀ କରିବାକୁ ପରୋକ୍ଷରେ ସାହସ ପାଇଛନ୍ତି। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ। ଏବେ ଅନ୍‌ଲାଇନରେ ପତିତପାବନ ବାନା ବିକ୍ରି କରାଯାଉଥିବା କୁହାଯାଉଥିଲେ ହେଁ, ବାସ୍ତବରେ ତାହାର ଶୁଦ୍ଧତା ଓ ପବିତ୍ରତାକୁ ନେଇ ଉଠିଛି ପ୍ରଶ୍ନ। ଅନ୍‌ଲାଇନରେ ଯିଏ ଯାହା ବିକ୍ରି କରୁ କିନ୍ତୁ ପତିତପାବନ ନାଁ କହି ପତାକା ବିକ୍ରି କରିବା ଦୋଷାବହ ବୋଲି କହିଛନ୍ତି ଶ୍ରୀମନ୍ଦିର ଚୁନରା ସେବାୟତ। ଏଠାରେ ପ୍ରଶ୍ନଉଠୁଛି ଅନ୍‌ଲାଇନରେ ବିକ୍ରି ପାଇଁ ଅନୁମତି ଦେଇଛି କିଏ?

ମହାପ୍ରଭୁଙ୍କ ପ୍ରତି ବିଶ୍ୱବ୍ୟାପୀ ଭକ୍ତଙ୍କ ଗଭୀର ଶ୍ରଦ୍ଧା, ଭକ୍ତି ଓ ବିଶ୍ୱାସ ରହିଛି। ଅନେକ ସମୟରେ ଭକ୍ତଙ୍କ ଭାବାବେଗର ଫାଇଦା ଉଠାଇଛନ୍ତି ଅନେକ ବ୍ୟକ୍ତି। ସେମାନେ ମହାପ୍ରଭୁଙ୍କ ନାଁ ଯୋଡ଼ି ବ୍ୟକ୍ତିଗତ ଭାବେ ଲାଭବାନ ହେଉଥିବା ଅନେକ ନଜିର ରହିଛି। ଏବେ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗୁଥିବା ବାନା କ୍ଷେତ୍ରରେ ଏଭଳି ଘଟଣା ନଜରକୁ ଆସିଛି। ଫ୍ଲିପ୍‌କାଟ୍‌ରେ ପତିତପାବନ ନାଁରେ ବାନା ବିକ୍ରି କରାଯାଉଛି। କମ୍ପାନୀ ଅନ୍‌ଲାଇନରେ ଏହା ଜଗନ୍ନାଥ ମନ୍ଦିର ପତିତପାବନ ବାନା ବୋଲି ଉଲ୍ଲେଖ କରିଛି। ଦୁଇଟି ରଙ୍ଗ ଅର୍ଥାତ୍‌ ହଳଦିଆ ଏବଂ ନାଲି ରଙ୍ଗରେ ଏହା ଉପଲବ୍ଧ। ଏହାର ମାହାତ୍ମ୍ୟ କ’ଣ, ଏହା କେଉଁ କାର୍ଯ୍ୟରେ ଲାଗେ ଏସବୁ ଉଲ୍ଲେଖ କରି ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରିଛି।

ତେବେ ସବୁଠୁ ବଡ଼ କଥା ହେଉଛି ମହାପ୍ରଭୁଙ୍କ ନାଁରେ ଭକ୍ତଙ୍କୁ ଏକପ୍ରକାର ଶୋଷଣ କରାଯାଉଛି ବୋଲି କୁହାଯାଇପାରିବ। କାରଣ ଏଥିରେ ଏହି ପତାକା ପାଇଁ ଯେଉଁ ମୂଲ୍ୟ ରଖାଯାଇଛି ତାହା ବାସ୍ତବରେ ବିକ୍ରି ହେଉଥିବା ମୂଲ୍ୟଠାରୁ ଢେର୍‌ ଅଧିକ। ଏଥିରେ କମ୍ପାନୀ ପକ୍ଷରୁ ବିଭିନ୍ନ ସାଇଜ୍‌ର ପତାକା ପାଇଁ ଭିନ୍ନ ଭିନ୍ନ ମୂଲ୍ୟ ରହିଛି। ଗୋଟିଏ ୭୦୧ ଟଙ୍କା, ଗୋଟିଏ ୧,୫୪୯ ଟଙ୍କା, ଗୋଟିଏ ୧,୪୯୮ ଟଙ୍କା ରଖାଯାଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା କେନ୍ଦ୍ରରେ ସବୁଠୁ ବଡ଼ ବାନା (ନୀଳଚକ୍ରର ଅଗ୍ରଭାଗରେ ଲାଗୁଥିବା ୧୪ ହାତିଆ) ୩୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ କମ୍ପାନୀ ପ୍ରାୟ ୫ରୁ ୬ ଗୁଣା ଅଧିକରେ ବିକ୍ରି କରୁଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶ୍ରୀମନ୍ଦିର ପତିତପାବନ ବାନା କହି ଯେଉଁ ପତାକା ବା ଧ୍ୱଜା ବିକ୍ରି କରାଯାଉଛି ବାସ୍ତବରେ ତା’ର ଶୁଦ୍ଧତା କିଏ ପରଖୁଛି। ଏହା ଶ୍ରୀମନ୍ଦିର ବାନା ନା ଅନ୍ୟ କେଉଁଠାର ସଠିକତା କ’ଣ? ବିଗତ ଦିନରେ ଏମିତି ଅନେକ ଜିନିଷ ମହାପ୍ରଭୁଙ୍କ ନାଁ ଯୋଡ଼ି ବିକ୍ରି କରାଯିବାର ନଜିର ରହିଛି। ତେଣୁ ବର୍ତ୍ତମାନ ଯେଉଁ ପତିତପାବନ ବାନା ଅନ୍‌ଲାଇନରେ ପୁଣି ମାତ୍ରାଧିକ ମୂଲ୍ୟରେ ବିକ୍ରି କରାଯାଉଛି ତାହାକୁ ଅନୁମତି ଦେଇଛି କିଏ? ଏମିତି ପ୍ରଶ୍ନ ଏବେ ଉଙ୍କି ମାରୁଥିବାବେଳେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଚୁନରା ସେବକ।

ଅନ୍ୟପକ୍ଷରେ ଚୁନରା ସେବକଙ୍କ ମତରେ ଯେ କେହି ଅନ୍‌ଲାଇନରେ ତାଙ୍କର ସାମଗ୍ରୀ ଯେତେ ଟଙ୍କାରେ ବିକନ୍ତୁ ଆମର କିଛି କହିବାର ନାହିଁ। କିନ୍ତୁ ଶ୍ରୀମନ୍ଦିର ପତିତପାବନ ବାନା କହି ଏହାକୁ ବିକ୍ରି କରିବା ଦୋଷାବହ। ନୀଳଚକ୍ର ଓଲାଗି ବାନାକୁ ଶ୍ରୀମନ୍ଦିର ଭିତରେ କେବଳ ଚୁନରା ସେବକମାନେ ହିଁ ବିକ୍ରି କରିପାରିବେ। ଏହା ଆମର ଅଧିକାର। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମାଜନ୍‌ କମ୍ପାନୀ ପାଖରେ ଏହା ପହଞ୍ଚିଲା କିପରି? ସେମାନେ ଭକ୍ତଙ୍କ ଭାବାବେଗକୁ କୁଠାରାଘାତ କରି ମିଛି କହି ବିକ୍ରି କରୁଛନ୍ତି। ପତିତପାବନ ବାନା କହିଲେ କେବଳ ଶ୍ରୀମନ୍ଦିର ଧ୍ୱଜାକୁ ହିଁ ବୁଝାଏ। ଏହା ଦୋଷାବହ, ସମସ୍ତଙ୍କ ଦୃଷ୍ଟିଗୋଚର ହେବା ଦରକାର। ଏ ନେଇ ଆମ ନିଯୋଗ କେବଳ ମନ୍ଦିର ପ୍ରଶାସନକୁ ଅବଗତ କରିବ, କିନ୍ତୁ ମନ୍ଦିର ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ଉଚିତ୍‌।