ଅନ୍ୟ ଜାତିରେ ବିବାହ କରିବାରୁ ଭଉଣୀକୁ ନିର୍ମମ ହତ୍ୟା

କାର୍ ମଡ଼ାଇ ଖଣ୍ଡାରେ ହାଣି ହତ୍ୟା କରିଥିବା ଅଭିଯୋଗ।

ଅନ୍ୟ ଜାତିରେ ବିବାହ କରିବାରୁ ଭଉଣୀକୁ ନିର୍ମମ ହତ୍ୟା

ଜଣେ ମହିଳା କନଷ୍ଟେବଳଙ୍କୁ ତାଙ୍କ ଭାଇ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେଲାଙ୍ଗାନାର ରେଙ୍ଗା ରେଡ୍ଡୀ ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଛି। ଅନ୍ୟ ଜାତିରେ ବିବାହ କରିବା କାରଣରୁ ଭଉଣୀକୁ ଭାଇ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନା ଅନୁସାରେ, ମୃତ ମହିଳା ନାଗମଣି ହାୟାତନଗର ପୁଲିସ ଷ୍ଟେସନରେ କାମ କରୁଥିଲେ। ସେ ୨୦୨୦ ବ୍ୟାଚର କନଷ୍ଟେବଳ ଥିଲେ। ଦୁଇ ସପ୍ତାହ ପୂର୍ବରୁ ଶ୍ରୀକାନ୍ତ ନାମକ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ଘରେ ବିବାହ ନେଇ ଜଣାଇଥିଲେ ବି ପୁଅ ଅନ୍ୟ ଜାତିରେ ହୋଇଥିବାରୁ ବିରୋଧ କରିବା ପରେ ଉଭୟ ନିଜ ଇଚ୍ଛାରେ ବିବାହ କରିଥିଲେ।  

କିନ୍ତୁ ଝିଅର ସ୍ୱଇଚ୍ଛାରେ ବିବାହକୁ ଗ୍ରହଣ କରିପାରିନଥିଲେ ପରିବାର ଲୋକେ। ଏଥିରେ କ୍ରୋଧାନ୍ୱିତ ହୋଇ ନାଗମଣିଙ୍କ ବାଇ ପରମେଶ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ପୁଲିସର କହିବା ଅନୁସାରେ, ନାଗମଣି ସ୍କୁଟି ନେଇ ରାଇପୋଲରୁ ମନ୍ନୀଗୁଡ଼ା ଯାଉଥିଲେ। ଏହି ସମୟରେ ତାଙ୍କ ଭାଇ ପରମେଶ ଏକ କାରରେ ଆସି ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ। ସେ ତଲେ ପଡ଼ିଯିବା ପରେ ଖଣ୍ଡାରେ ବାରମ୍ବାର ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ହିଁ ଛଟପଟ ହୋଇ ନାଗମଣିଙ୍କ ଜୀବନ ଚାଲିଯାଇଛି।  

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ନାଗମଣିଙ୍କ ମୃତ୍ୟୁ ହୋଇ ସାରିଥିଲା। ପ୍ରେମ ବିବାହକୁ ବିରୋଧ କରୁଥିବା ତାଙ୍କ ଭାଇ ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଖୋଜୁ ଥିବାବେଳେ, ଜମି ବିବାଦ କିମ୍ବା ଅନ୍ୟ ଦିଗ ଉପରେ ତଦନ୍ତ କରୁଛି।